ଭୁବନେଶ୍ବର: ରାଜଧାନୀରେ ଛତୁ ଫୁଟିଲା ପରି ଖୋଲୁଛି ଘରୋଇ ପ୍ଲେ’ ସ୍କୁଲ। ପିଲାଙ୍କ ନାମଲେଖା ହେଉଛି। ପାଠପଢ଼ା ବି ଚାଲୁଛି। ଖେଳକୁଦ ଶିଖାଯାଉଛି। ହେଲେ ପ୍ଲେ’ ସ୍କୁଲଗୁଡ଼ିକରେ କିଭଳି ଶିକ୍ଷା ଓ ତାଲିମ୍ ଦିଆଯାଉଛି, ସେଗୁଡ଼ିକର ତଦାରଖ ହେଉନି କି ଯାଞ୍ଚ କରାଯାଉନାହିଁ। ସବୁ କିଛି କେବଳ କାଗଜକଲମରେ ଅଟକି ରହିଛି। ୨୦୧୭ରୁ କେନ୍ଦ୍ର ସରକାର ପ୍ଲେ’ ସ୍କୁଲ ପରିଚାଳନା ପାଇଁ ଗାଇଡ୍ଲାଇନ୍ ଜାରି କରି ସାରିଛନ୍ତି। ସେହି ଆଧାରରେ ରାଜ୍ୟ ସରକାରଙ୍କୁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ହେଲେ ଏଥିପ୍ରତି କାହାର ଧ୍ୟାନ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ତାଗିଦ୍ ଓ ଚିଠି ପରେ ବି ପ୍ଲେ’ ସ୍କୁଲ ଉପରେ ଲଗାମ ଲଗା ଯାଇପାରୁନି। ମନଇଚ୍ଛା ଖୋଲି ଚାଲିଛି ପ୍ଲେ’ ସ୍କୁଲ। ସହରର ଗଳିକନ୍ଦି, ସାହି, ବସ୍ତିରେ ସରକାରୀ ପ୍ଲେ’ ସ୍କୁଲ(ଅଙ୍ଗନବାଡ଼ି) ଚାଲୁ ରହିଛି। ସେଗୁଡ଼ିକର ଭିତ୍ତିଭୂମି ଭଲ ନଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପ୍ରାଥମିକ ଶିକ୍ଷା ପାଇଁ ଘରୋଇ ପ୍ଲେ-ସ୍କୁଲ ଉପରେ ନିର୍ଭର କରୁଛନ୍ତି। ଆଉ ଏହାର ଫାଇଦା ନେଇ ସହରରେ ମାଳମାଳ ଘରୋଇ ପ୍ଲେ’ ସ୍କୁଲ ଖୋଲୁଛି। କେଉଁଠି ଭଡ଼ା ଘରେ ପ୍ଲେ’ ସ୍କୁଲ ଖୋଲାଯାଉଛି ତ ଆଉ କେଉଁଠି ଦୁଇ ମହଲା ଉପରେ ଚାଲୁଛି। କୋଠରିଗୁଡ଼ିକ ଛୋଟ ହେଉ ଅଥବା କୋଠା ଭଲ ନ ଥାଉ, ସେଥିପ୍ରତି ସ୍କୁଲ ପରିଚାଳକ ତଥା ମାଲିକଙ୍କ କିଛି ଯାଏଆସେ ନାହିଁ। ଅର୍ଥ ରୋଜଗାର ଲାଳସାରେ ସେମାନେ ପିଲାଙ୍କ ଜୀବନକୁ ବାଜି ଲଗାଉଛନ୍ତି। ପିଲାଙ୍କ ପ୍ରାଥମିକ ଶିକ୍ଷା ପ୍ରତି ସେତେଟା ଗୁରୁତ୍ବ ଦେଉନାହାନ୍ତି। ନାମକରା ପ୍ଲେ’ ସ୍କୁଲରେ ବି ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନଥିବା ବିଭିନ୍ନ ସମୟରେ ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ଭୁବନେଶ୍ବରରେ ପ୍ରାୟ ୧୫ ହଜାର ଛାତ୍ରଛାତ୍ରୀ ଘରୋଇ ପ୍ଲେ’ ସ୍କୁଲରେ ନାମ ଲେଖାଉଛନ୍ତି। ନାମଲେଖା ବାବଦରେ ମୋଟା ଅଙ୍କର ଅର୍ଥ ବି ନେଉଛନ୍ତି ଘରୋଇ ସ୍କୁଲ କର୍ତୃପକ୍ଷ। କେଉଁଠି ନାମଲେଖା ଫି’ ବାବଦରେ ୧୦ ହଜାର ନିଆଯାଉଛି ତ ଆଉ କେଉଁଠି ୩୦ ହଜାର ଟପି ଯାଉଛି। ମାସକୁ ମାସ ମଧ୍ୟ ଏକ ହଜାରରୁ ଆରମ୍ଭ କରି ୪ ହଜାର ଟଙ୍କା ପର୍ଯ୍ୟନ୍ତ ଫି’ ନିଆଯାଉଛି। ଏ ପର୍ଯ୍ୟନ୍ତ ଫି’ ଷ୍ଟ୍ରକଚର୍ କିଛି କରାଯାଇ ନାହିଁ। ଯାହାର ଭରପୂର ଫାଇଦା ନେଉଛନ୍ତି ସ୍କୁଲ ମାଲିକ। ସବୁଠାରୁ ବଡ଼ କଥା ହେଉଛି ଯେ ଭୁବନେଶ୍ବରରେ କେତେ ଘରୋଇ ପ୍ଲେ-ସ୍କୁଲ ରହିଛି ତାହାର ତଥ୍ୟ କାହା ପାଖରେ ନାହିଁ। ଦୁଇ ଦିନ ତଳେ ଆସର୍ ପକ୍ଷରୁ ପ୍ରକାଶିତ ତଥ୍ୟରେ ଦେଖିବାକୁ ମିଳିଛି ଯେ ୪ ବର୍ଷ ବୟସର ରାଜ୍ୟର ୫୫.୫ ପ୍ରତିଶତ ପିଲା ଅଙ୍ଗନବାଡ଼ିରେ ପଢ଼ୁଛନ୍ତି। ଏହି ବୟସର ୭.୧ ପ୍ରତିଶତ ପିଲା ଘରୋଇ ପ୍ଲେ’ ସ୍କୁଲରେ ପଢ଼ୁଛନ୍ତି। ସେହିପରି ୫ ବର୍ଷ ବୟସର ୭.୮ପ୍ରତିଶତ ପିଲା ଘରୋଇ ପ୍ଲେ’ ସ୍କୁଲ ଯାଉଛନ୍ତି। ଏଲ୍କେଜି ଓ ୟୁକେଜି ଶ୍ରେଣୀରେ ନାମ ଲେଖାଉଛନ୍ତି। ଗତ ୫ ବର୍ଷ ତଳେ ଘରୋଇ ପ୍ଲେ’ ସ୍କୁଲ ପ୍ରତି ଯେଉଁଭଳି ଡିମାଣ୍ଡ ରହିଥିଲା, ଏବେ ତାହା ବୃଦ୍ଧି ଘଟିଥିବା ଜଣାପଡ଼ିଛି। ପିଲାମାନଙ୍କ ଭବିଷ୍ୟତ ପାଇଁ ଅଭିଭାବକମାନେ ଘରୋଇ ପ୍ଲେ-ସ୍କୁଲକୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଡ୍ରାଫ୍ଟରେ ଅଟକିଛି ଗାଇଡ୍ଲାଇନ୍
ଘରୋଇ ପ୍ଲେ-ସ୍କୁଲ ଉପରେ ଲଗାମ ଲଗାଇବା ପାଇଁ ୨୦୧୭-୧୮ ଶିକ୍ଷାବର୍ଷରେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ। ବିଶେଷଜ୍ଞ କମିଟି କରି ଗାଇଡ୍ଲାଇନ୍ ପାଇଁ ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ। କ’ଣ ହେଲା କେଜାଣି, ଏ ପର୍ଯ୍ୟନ୍ତ ତାହା ଲାଗୁ ହୋଇପାରିଲା ନାହିଁ। ନାଲିଫିତା ତଳେ ରହିଯାଇଛି ଗାଇଡ୍ଲାଇନ୍। ଡ୍ରାଫ୍ଟରେ କୁହାଯାଇଛି ଯେ ପ୍ଲେ’ ସ୍କୁଲରେ ୩ ବର୍ଷରୁ କମ୍ ବୟସର ପିଲାଙ୍କ ନାମଲେଖା ହୋଇପାରିବ ନାହିଁ। ପ୍ରତି ୨୦ ଜଣ ପିଲାଙ୍କ ପାଇଁ ଜଣେ ଲେଖାଏ ଶିକ୍ଷକ ଓ କେୟାର ଟେକର ରହିବା ନିତାନ୍ତ ଜରୁରୀ। ଏଥିସହ ନାମଲେଖା ଶେଷ ହେବାର ଗୋଟିଏ ମାସ ମଧ୍ୟରେ ଅଭିଭାବକ-ଶିକ୍ଷକ କମିଟି ଗଠନ କରାଯିବ। ଏଥିରେ ୭୫ ପ୍ରତିଶତ ଅଭିଭାବକ ଓ ୨୫ ପ୍ରତିଶତ ଶିକ୍ଷକ ରହିବେ। ପ୍ରତି ମାସରେ ଅଭିଭାବକ-ଶିକ୍ଷକଙ୍କ ବୈଠକ ବସିବ। କୌଣସି ପ୍ଲେ’ ସ୍କୁଲ ହଠାତ୍ ବନ୍ଦ ହେବ ନାହିଁ। ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ୨୦୧୮ ଜାନୁଆରି ମାସରେ ଏଭଳି ଡ୍ରାଫ୍ଟ ପ୍ରସ୍ତୁତ କରିଥିଲା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଲାଗୁ ହୋଇପାରି ନାହିଁ। ବିଭାଗୀୟ ମନ୍ତ୍ରୀ ଓ ସଚିବ ବାରମ୍ବାର କହୁଛନ୍ତି ଖୁବ୍ଶୀଘ୍ର ଗାଇଡ୍ଲାଇନ୍ ଜାରି ହେବ।
କୋମାରେ କେନ୍ଦ୍ର ସରକାରଙ୍କ ନିୟମ
ପ୍ଲେ-ସ୍କୁଲଗୁଡ଼ିକର ପରିଚାଳନା କିଭଳି ହେବ? କେତେ ଯୋଗ୍ୟତା ଥିବା ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ? ସୁରକ୍ଷା ବ୍ୟବସ୍ଥା କିଭଳି ରହିବ? ପିଲାଙ୍କ ପାଠପଢ଼ା ଓ ଖେଳକୁଦ ପାଇଁ କ୍ଲାସରୁମ୍ର ଆକାର କିଭଳି ହେବ? ସେନେଇ ୨୦୧୭ରୁ କେନ୍ଦ୍ର ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ହେଲେ ତାହାକୁ ଏବେ କୋମାରେ ରଖିଛନ୍ତି ରାଜ୍ୟ ସରକାର। ଏଥିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ସହ କ୍ୟାମ୍ପସରେ ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଷ୍ଟାଫ୍, ପାଚେରି ବାଧ୍ୟତାମୂଳକ, ପିଲାଙ୍କ ପାଇଁ ରେଷ୍ଟ ରୁମ୍, ଯିବା ଆସିବା ପାଇଁ ବାଧା ନ ଥିବା ରାସ୍ତା, ଭିନ୍ନକ୍ଷମ ପିଲାଙ୍କ ପାଇଁ ଅଲଗା ଶୌଚାଳୟ, ଡଷ୍ଟବିନ୍, ବେସିନ୍, ସାବୁନ, ସଫା କପଡ଼ା ରଖିବା, ପାନୀୟ ଜଳ ସୁବିଧା, କ୍ୟାମ୍ପସକୁ ଜଙ୍କ୍ ଫୁଡ୍ ବାରଣ ପରି ନିୟମ ରହିଛି। ଏଥିସହ ପଢ଼ିବା ସାମଗ୍ରୀ, ଅଡିଓ-ଭିଡିଓ ପ୍ରଣାଳୀରେ ଶିକ୍ଷାଦାନ, ଖେଳିବା ସାମଗ୍ରୀ, କ୍ରୀଡ଼ା ସାମଗ୍ରୀ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆବଶ୍ୟକୀୟ ସାମଗ୍ରୀ, ଖେଳପଡ଼ିଆ, ସିସିଟିଭି, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥାକୁ ବି ବାଧ୍ୟତାମୂଳକ କରାଯାଇଛି।