ସଂରକ୍ଷିତ ଐତିହ୍ୟ ସ୍ଥଳରେ ବ୍ୟାବସାୟିକ କାର୍ଯ୍ୟକ୍ରମ, ଥାନାରେ ଏତଲା

ଭୁବନେଶ୍ୱର : ଆସନ୍ତା ୫ ତାରିଖ ଦିନ ମୁକ୍ତେଶ୍ବର ମନ୍ଦିର ପରିସରରେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଉଇଲିୟମ ଡାଲ୍‌ରିମ୍ପୁଲଙ୍କ ଲିଖିତ ଏକ ପୁସ୍ତକ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ବିଭାଗ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ବିବାଦ ମୁଣ୍ଡ ଟେକିଛି। ମୁକ୍ତେଶ୍ବର ମନ୍ଦିର ଏକ ସଂରକ୍ଷିତ ଐତିହ୍ୟ ହୋଇଥିବା ବେଳେ ଏଠାରେ ଏପରି କାର୍ଯ୍ୟକ୍ରମ ଆୟୋଜନ ବେଆଇନ୍‌ ବୋଲି ଦର୍ଶାଇ ସଂସ୍କୃତି ଗବେଷକ ଅନୀଲ ଧିର୍‌ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ(ଏଏସ୍‌ଆଇ) ସଂସ୍ଥାର କାର୍ଯ୍ୟାଳୟ ଶ୍ରୀଲିଙ୍ଗରାଜ ଥାନା ଅଧୀନରେ ରହିଥିବାରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଏତଲାରେ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି, ଏଠାରେ ଯେଉଁ କାର୍ଯ୍ୟକ୍ରମ ହେବାକୁ ଯାଉଛି ତାହା ସମ୍ପୂର୍ଣ୍ଣ ବ୍ୟାବସାୟିକ। ଏହି କାର୍ଯ୍ୟକ୍ରମ ଉଇଲିୟମ ଡାଲ୍‌ରିମ୍ପୁଲଙ୍କ ଲିଖିତ ତଥା ବ୍ଲୁମ୍‌ସ୍‌ ବରି ପ୍ରକାଶନ ଦ୍ବାରା ପ୍ରକାଶିତ ପୁସ୍ତକ‘ନାଇନ୍‌ ଲାଇଭ୍‌ସ୍‌’ର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ। ମୁକ୍ତେଶ୍ବର ମନ୍ଦିର ଏକ ସଂରକ୍ଷିତ ଐତିହ୍ୟ। ଏହାକୁ ଏଭଳି ବ୍ୟବସାୟିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରା ଯାଇପାରିବ ନାହିଁ। ଅନ୍ୟପଟେ ସଂରକ୍ଷିତ ଐତିହ୍ୟ ସ୍ଥଳରେ ଯେକୌଣସି କାର୍ଯ୍ୟକଳାପ ପାଇଁ ଭାରତର ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ଅନୁମତି ଆବଶ୍ୟକ ପଡ଼ିଥାଏ। ହେଲେ ଏଠାରେ ଏଏସ୍‌ଆଇ ପକ୍ଷରୁ ଅନୁମତି ଦିଆଯାଇ ନାହିଁ। ଏହି କାର୍ଯ୍ୟକ୍ରମ ଆୟୋଜନ ହେଲେ ଏହା ଐତିହ୍ୟ ସଂରକ୍ଷଣ ଆଇନ-୧୯୫୬ ଉଲ୍ଲଂଘନ ହେବ। ତା ଛଡ଼ା ଏହା ଏକ ଜୀବନ୍ତ ମନ୍ଦିର ହୋଇଥିବାରୁ ପ୍ରତ୍ୟେକ ଦିନ ଏଠାରେ ଠାକୁରଙ୍କର ରୀତିନୀତି ହୋଇଥାଏ। ଏଭଳି ବ୍ୟବସାୟିକ କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହେଲେ ଏହା ପ୍ରଭାବିତ ହେବ। ଯଦି ଏଭଳି କାର୍ଯ୍ୟକ୍ରମ ହୁଏ ତେବେ ଏହି ସଂରକ୍ଷିତ ପରିସରକୁ ଆଗାମୀ ଦିନରେ ବାହାଘର, ବ୍ରତଘର ଓ ଅନ୍ୟାନ୍ୟ ଘରୋଇ କାର୍ଯ୍ୟକ୍ରମ ପାଇଁ ଭଡ଼ାସୂତ୍ରରେ ଦେଇ ଦେବା ଭଳି ଆଶଙ୍କା ମଧ୍ୟ ସୃଷ୍ଟି ହେବ। ଏଭଳି ବେପାରରେ ହଜାର ହଜାର ଲୋକଙ୍କର ସମାଗମ ଏହି ଐତିହ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲଇ ସେ ଏତଲାରେ ଦର୍ଶାଇଛନ୍ତି। ତେବେ ରାତି ସୁଦ୍ଧା ମାମଲା ରୁଜୁ ହୋଇ ନଥିବା ବେଳେ ଏଭଳି କାର୍ଯ୍ୟକ୍ରମ ପାଇଁ ଏଏସ୍‌ଆଇ ଅନୁମତି ଦେଇ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର