‘ରାବଣ’ ପାଇଁ ପେଟ ପୂରୁଥିଲା, କଟକଣାରୁ ବେଉସା ମାନ୍ଦା : ପ୍ରକାଶ ଭୋଇ

ଭୁବନେଶ୍ବର : ‘ରାବଣ’ କେ‌ମିତି ଚରିତ୍ର କେବେ ଜାଣିବାକୁ ଚେଷ୍ଟା କରିନି। ତାଙ୍କୁ କାହିଁକି ପୋଡ଼ାଯାଏ, ସେ ଗହନ କଥା ବି ବୁଝିନି। ହେଲେ ଶରତ ପାଖେଇଲେ ‘ରାବଣ ପ୍ରତିକୃତି’ ଗଢ଼ି ଦେବାକୁ ମୋ ହାତରେ ବଇନା ଗୁଞ୍ଜି ଦିଆଯାଏ। ବଡ଼ବଡ଼ ଦାନ୍ତ, ରାଜା ଭଳି ନିଶ, ଗୋଜିଆ ମୁକୁଟର ଚିତ୍ରକୁ ବାଉଁଶ ପାତିଆରେ ଉତାରି ପୂଜା ପେଣ୍ଡାଲ୍‌କୁ ଭେଟି ଦିଏ।

ଦିନ ଥିଲା, ଏ ପ୍ରକାଶ ଭୋଇର ଭାରି ଖାତିର ଥିଲା। ଏକକାଳୀନ ୧୨ଟି ପୂଜା ମଣ୍ଡପର ରାବଣ ପ୍ରତିକୃତି ଗ‌ଢ଼ି ଦେବାକୁ ସୁଯୋଗ ମିଳୁଥିଲା। ଆମ ଭଳି ଗଳିକନ୍ଦିର କଳାକାରଙ୍କୁ ଡାକି ପୂଜା ମଣ୍ଡପ ପକ୍ଷରୁ ଅନ୍ତତଃ ମଂଚରେ ସ୍ବୀକୃତି ସ୍ବରୂପ ପୁରସ୍କାର ଦିଆଯାଉଥିଲା। ଏବେ କିନ୍ତୁ ନା ସେଭଳି ରାବଣ ପୋଡ଼ି ଅନୁଷ୍ଠିତ ହେଉଛି ନା ଆମେ କଳାକାର ଭାବେ ଗଣା ହେଉଛୁ। ପୁରୁଣା ଭୁବନେଶ୍ବର ଚେମେଡ଼ି ସାହିରେ ରାବଣର ପ୍ରତିକୃତି ଗଢ଼ିବାରେ ନିମଗ୍ନ ପ୍ରକାଶ ଭୋଇଙ୍କ ମୁହଁରୁ ଉତୁରି ଆସିଥିଲା ଅନ୍ତରର ଏଇ କେଇପଦ କଥା।

ପ୍ରକାଶଙ୍କ କହିବା ମୁତାବକ, ରସୁଲଗଡ଼, ସହିଦନଗର, କେଶୁରା, ଚକେଇସିଆଣି, ନହରକଣ୍ଟା, ଡୁମ୍‌ଡୁମା, ଆଇଗିଣିଆ, ଖୋର୍ଧା, ପିପିଲି ଆଦି ଅଂଚଳରୁ ରାବଣ ପ୍ରତିକୃତି ପାଇଁ କାମ ମିଳୁଥିଲା। ତେଣୁ ମାସେ ଆଗରୁ କାମ କରିବାକୁ ପଡ଼ୁଥିଲା। ପୂରା ପରିବାର ଏଇଥିରେ ମଜି ଯାଉଥିଲୁ। ଏବେ କିନ୍ତୁ ଆଉ ସେ ଦିନ ନାହିଁ। ଦିନ ଥିଲା ୧୨ଟା ଯାଏ ପ୍ରତିକୃତି ବରାଦ ଆସୁଥିବା ବେଳେ ଏବେ ୩ଟିରେ ସୀମିତ ରହୁଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ କଡ଼ା କଟକଣା ଲଗାଇବା ପରେ ଆମ ବେଉସା ମାନ୍ଦା ହୋଇଯାଇଛି।

ଦୀର୍ଘ ୨୫ ବର୍ଷରୁ ଊର୍ଧ୍ବ କାଳ ରାବଣ ପ୍ରତିକୃତି ନିର୍ମାଣ କରୁଥିବା ପ୍ରକାଶ କୁହନ୍ତି, ଏଇ କଳା ମୁଁ ମୋର ଗୁରୁ ଟିକମ ମହାପାତ୍ରଙ୍କଠାରୁ ଶିଖିଥିଲି। ଯେବେ ମତେ ୧୨ ବର୍ଷ ହୋଇଥିଲା, ସେତେବେଳେ ମୁଁ ଏଇ କଳା ପ୍ରେମରେ ପଡ଼ିଗଲି। ସେବେଠୁ ମୃଣ୍ମୟୀ ମୂର୍ତି ପ୍ରସ୍ତୁତ କରିବା ସହ ରାବଣ ପ୍ରତିକୃତି ତିଆରି କରୁଛି। ବର୍ଷକୁ ୮ମାସ ମୁଁ ଜଣେ କଳାକାର ପାଲଟି ଯାଉଥିବା ବେଳେ ବଳକା ୪ ମାସ ରାଜମିସ୍ତ୍ରି ଭାବେ କାମ କରେ। ପରିବାରର ଭରଣପୋଷଣ ପାଇଁ ଏସବୁ କରିବାକୁ ପଡ଼େ। ରଙ୍ଗତୂଳୀ ରଖି ଦେଇ କାନ୍ଥରେ ସିମେଣ୍ଟ ମାଖିବାକୁ ପଡ଼େ।

କଳାକାର ଭାବେ କେବେ ମୁଁ ସ୍ବୀକୃତି ଖୋଜିବାକୁ ଚେଷ୍ଟା କରିନି। ମାତ୍ର ଗୋଟେ କଳାର ବିଲୁପ୍ତିକୁ ଅନୁଭବ କରିବା ବେଳେ ମୋ ଭିତରର କଳାକାରଟା ଛଟପଟ ହୁଏ। ରାବଣ ପ୍ରତିକୃତି ପ୍ରସ୍ତୁତି କଳା କେବେ ହୁଏତ ବିଲୁପ୍ତ ହୋଇଯାଇପାରେ। ମାତ୍ର ଦୀର୍ଘ ବର୍ଷ ଧରି ରାବଣଙ୍କ ପାଇଁ କଳାକାର ଭାବେ ଯେତିକି ଆଦର ପାଇଛି, ‌ପରିବାରର ପେଟ ପୂରେଇବାକୁ ଯେତିକି ରୋଜଗାର ପାଇଛି, ସେଥିପାଇଁ ସବୁ‌ବେଳେ ରାବଣଙ୍କ ନିକଟରେ ଋଣୀ ରହିବି।

ସମ୍ବନ୍ଧିତ ଖବର