ରୋଗକୁ ବଳିଗଲା ଟିକେଟ୍ ଯନ୍ତ୍ରଣା: ପଞ୍ଜୀକରଣ କାଉଣ୍ଟର୍‌ରେ ଅବ୍ୟବସ୍ଥା, ଉତ୍ତେଜନା

କର୍ମଚାରୀଙ୍କ ଅସନ୍ତୋଷରୁ ଅସମ୍ଭାଳ ପରିସ୍ଥିତି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ଟିକେଟ୍ କାଉଣ୍ଟରରେ ଅବ୍ୟବସ୍ଥା ଆଜି ସୀମା ଲଂଘିଛି। ଶହ ଶହ ରୋଗୀ ଡାକ୍ତରଙ୍କୁ ଦେଖାଇବା ପାଇଁ ଟିକେଟ୍ କାଟିବାକୁ ଅପେକ୍ଷା କରିଥିବା ବେଳେ ସେମାନଙ୍କୁ ଟିକେଟ୍ ମିଳି ନ ଥିଲା। ଯାହାକୁ ନେଇ ହସ୍ପିଟାଲ ପରିସରରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। ହସ୍ପିଟାଲ କର୍ତୃପକ୍ଷ କିଭଳି ଏହାକୁ ନିୟନ୍ତ୍ରଣ କରିବେ ଜାଣିପାରି ନ ଥିଲେ। ଅଧଘଣ୍ଟା ଧରି ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଟିକେଟ୍ କାଉଣ୍ଟର୍‌ ଚଳାଉଥିବା ସଂସ୍ଥାର ଅବ୍ୟବସ୍ଥା ଓ ଏହାର କର୍ମଚାରୀଙ୍କ ଅସନ୍ତୋଷ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଅପରପକ୍ଷରେ ଆଗାମୀ ଦିନରେ ଯେପରି ଏଭଳି ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଛନ୍ତି। କୌଣସି ଦିନ ଏଭଳି ପରିସ୍ଥିତି ଉପୁଜିଲେ ସେ ସମୟରେ ହସ୍ପିଟାଲ ପକ୍ଷରୁ ରୋଗୀମାନଙ୍କୁ ଟିକେଟ୍ ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନା ଅନୁସାରେ, ଗତ ୪ଦିନ ହେବ କ୍ୟାପିଟାଲ ହସ୍ପିଟାଲରେ ଟିକେଟ୍‌ କାଉଣ୍ଟର୍‌ରେ ଏଭଳି ଅବ୍ୟବସ୍ଥା ଲାଗି ରହିଛି। କେଉଁଦିନ କାଗଜ ନାହିଁ ତ ଆଉ କେଉଁଦିନ ପ୍ରିଣ୍ଟର ଚାଲୁନି। ପ୍ରିଣ୍ଟର କ୍ୟାଟ୍ରିଜ୍‌ରେ କାଳି ନାହିଁ। ହାତ ଲେଖାରେ ରୋଗୀମାନଙ୍କୁ ଟିକେଟ୍‌ ଦିଆଯାଉଥିଲା। ତେବେ ଆଜି ପରିସ୍ଥିତି ବିସ୍ଫୋରକ ରୂପ ନେଇଥିଲା। ସୋମବାର ଥିବାରୁ ହସ୍ପିଟାଲରେ ଅଧିକ ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ରେଜିଷ୍ଟ୍ରେସନ୍ କାଉଣ୍ଟର‌ରେ ୪ଟି କମ୍ପ୍ୟୁଟର ଥିଲେ ହେଁ ଅପେକ୍ଷା କରିଥିବା ରୋଗୀଙ୍କୁ ଟିକେଟ୍‌ ମିଳି ନ ଥିଲା। ବେଳକୁ ବେଳ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ତାଙ୍କୁ ଟିକେଟ୍ ଦେବାକୁ କାଉଣ୍ଟର୍‌ରେ କେହି ନ ଥିଲେ। ଡାକ୍ତରଙ୍କୁ ଦେଖାଇବାକୁ ରୋଗୀମାନେ ବିକଳ ହୋଇ ଟିକେଟ୍ ମାଗୁଥିବା ବେଳେ କାଉଣ୍ଟରକୁ ସଂସ୍ଥାର କର୍ମଚାରୀମାନେ ବନ୍ଦ କରି ରଖିଥିଲେ। ଯାହାକୁ ନେଇ ରୋଗୀମାନଙ୍କ ଅସନ୍ତୋଷ ବଢ଼ିବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାର ସମାଧାନ ପାଇଁ ହସ୍ପିଟାଲ କର୍ତୃପକ୍ଷ ନିଜର କର୍ମଚାରୀଙ୍କୁ ଟିକେଟ୍‌ କାଉଣ୍ଟରକୁ ପଠାଇଥିଲେ ହେଁ ଏହାକୁ ଚଳାଉଥିବା ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ଯିବାକୁ ଦେଇ ନ ଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା। ମାତ୍ର ଏଥିରେ କୌଣସି ଫଳ ନ ମିଳିବାରୁ ହାତ ଲେଖା ଟିକେଟ୍‌ ରୋଗୀମାନଙ୍କୁ ଦିଆଯାଇଥିଲା। ଘଣ୍ଟାଏ ଧରି ଟିକେଟ୍ କାଉଣ୍ଟରରେ ରୋଗୀଙ୍କ ଅସମ୍ଭାଳ ଭିଡ଼ ଲାଗି ରହିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା। ଏପଟେ ଟିକେ୍‌ଟକୁ ନେଇ ରୋଗୀ ଅପେକ୍ଷା କରିଥିବା ବେଳେ ବିଭିନ୍ନ ୱାର୍ଡରେ ଡାକ୍ତର ଖାଲିରେ ବସିଥିଲେ। ଏହି ଘଟଣା ପରେ ହସ୍ପିଟାଲ ନିର୍ଦେଶକ ଏକ ଜରୁରୀ ବୈଠକ ଡକାଇଥିଲେ। ଏଥିରେ ହସ୍ପିଟାଲର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମେତ ରେଜିଷ୍ଟ୍ରେସନ୍ କାଉଣ୍ଟର ଚଳାଉଥିବା ସଂସ୍ଥାର ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ। ଆଗାମୀ ଦିନରେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ କ’ଣ କ’ଣ ପଦକ୍ଷେପ ଗ୍ରହଣ କରାଯିବ ତାହାକୁ ନେଇ ଆଲୋଚନା ହୋଇଥିଲା। କ୍ୟାପିଟାଲ ହସ୍ପିଟାଲର ଅତି ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ରହୁଛନ୍ତି। ନୂଆକରି ମନ୍ତ୍ରୀ ପଦ ଗ୍ରହଣ କରିବା ସମୟରେ ପ୍ରତାପ ଜେନା ହସ୍ପିଟାଲ ପରିଦର୍ଶନ କରିବା ସହିତ ରୋଗୀଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ଏପରିକି ସଚିବାଳୟରେ ହସ୍ପିଟାଲର ସୁଧାର ନେଇ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। କିନ୍ତୁ ଦୀର୍ଘବର୍ଷ ଧରି ଲାଗି ରହିଥିବା ଏହି ସମସ୍ୟାର କିଭଳି ସମାଧାନ ହେବ ତାହା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି।

ବଞ୍ଚାଇଦେଲା ପୂର୍ବରୁ ପ୍ରିଣ୍ଟ ହୋଇଥିବା ଟିକେଟ୍‌
ଦୀର୍ଘଦିନ ଧରି ଟିକେଟ୍‌ କାଉଣ୍ଟରରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବାରୁ ହସ୍ପିଟାଲ କର୍ତୃପକ୍ଷ ପୂର୍ବରୁ ୧୫ହଜାର ଟିକେଟ୍ ପ୍ରିଣ୍ଟ କରି ରଖିଥିଲେ। ହଠାତ୍ ଶହ ଶହ ସଂଖ୍ୟାରେ ଧାଡ଼ିରେ ଛିଡ଼ା ହୋଇଥିବା ରୋଗୀଙ୍କୁ ନିୟନ୍ତ୍ରଣ କରିବା ସଂସ୍ଥା ପାଇଁ ଏକପ୍ରକାର କଷ୍ଟକର ବ୍ୟାପାର ଥିଲା। ତେଣୁ ପୂର୍ବରୁ ପ୍ରିଣ୍ଟ ଥିବା କାଗଜରେ ଆଜି ରୋଗୀଙ୍କୁ ଟିକେଟ୍ ଦିଆଯାଇଥିଲା। ଆଖି ପିଛୁଳକା ଶହ ଶହ ଟିକେଟ୍ ଶେଷ ହୋଇଯାଇଥିଲା। ତେବେ ସଂସ୍ଥାକୁ ହଟାଇବା ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ କୌଣସି ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ କାର୍ଯ୍ୟ କରିବାକୁ ଦିଆଯାଉଛି। ପ୍ରତ୍ୟେକ ଦିନ ପ୍ରାୟ ସାଢ଼େ ୩ହଜାର ରୋଗୀ ଚିକିତ୍ସା ପାଇଁ ଆସୁଥିବା‌ ବେଳେ ଆଗାମୀ ଦିନରେ ଯେପରି ଏଭଳି ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ଆଉ ୧ଲକ୍ଷ ଟିକେଟ୍ ପ୍ରିଣ୍ଟ କରିବା ପାଇଁ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହାସହ ଆବଶ୍ୟକ କମ୍ପ୍ୟୁଟର ମଧ୍ୟ ପ୍ରସ୍ତୁତ ରହିବ। ଯଦି କୌଣସି ଦିନ ଏଭଳି ଅବ୍ୟବସ୍ଥା ଦେଖାଦିଏ ହସ୍ପିଟାଲର ନିଜସ୍ବ କର୍ମଚାରୀମାନେ ଟିକେଟ୍ ଦେବା ପାଇଁ ଆଗେଇ ଆସିବେ।
ଇ-ଶୁଶ୍ରୂତ କେବେ ?
ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସିଡାକ୍ ସହାୟତାରେ ଇ-ଶୁଶ୍ରୂତ ସଫ୍‌ଟୱେୟାର ପ୍ରଚଳନ କରିବା ପାଇଁ ଦୀର୍ଘଦିନ ହେବ ଉଦ୍ୟମ ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ କ୍ୟାପିଟାଲ ହସ୍ପିଟାଲ ଓ ଏସ୍‌ସିବି ମେଡିକାଲ କଲେଜରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ସିଡାକ୍‌ର କର୍ମଚାରୀ କ୍ୟାପିଟାଲ ହସ୍ପିଟାଲ ଆସି ଏହାକୁ କାର୍ଯ୍ୟକାରିବା ନେଇ ସ୍ଥିତି ପରଖିଥିଲେ। କେଉଁ କେଉଁ ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ତାହାର ଯାଞ୍ଚ ହୋଇଥିଲା। ମାତ୍ର ପରବର୍ତୀ ସମୟରେ ଏହାକୁ ଏସ୍‌ସିବି ମେଡିକାଲ କଲେଜରେ ପରୀକ୍ଷାମୂଳକ ଭାବେ ଏହା ଆରମ୍ଭ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। କାର୍ଯ୍ୟକାରୀ ହେବାର ପ୍ରଥମ ଦିନରୁ ହିଁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସଂସ୍ଥାକୁ ୧ ମାସର ନୋଟିସ୍: ନିର୍ଦେଶକ
ଆଜିର ବ୍ୟବସ୍ଥା ସଂପର୍କରେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା. ଅଶୋକ ପଟ୍ଟନାୟକ କହିଛନ୍ତି, ଦାୟିତ୍ବ ଗ୍ରହଣ କରିବାର ଗତ ୩ ମାସ ଭିତରେ ଏଭଳି ଅବ୍ୟବସ୍ଥା ପ୍ରାୟ ସମୟରେ ଦେଖିବାକୁ ମିଳୁଛି। ଯେବେ ତାଗିଦ୍ କରାଯାଉଛି ତାହାର କିଛିଦିନ ପାଇଁ ସବୁକିଛି ଠିକ୍‌ଠାକ ଚାଲୁଛି। ମାତ୍ର ଆଜିର ଘଟଣା ପରେ ୟୁନିସଫ୍‌ଟ ଉପରେ ବିଶ୍ବାସ କରିବା ସମ୍ଭବ ନୁହେଁ। ତେଣୁ ସଂସ୍ଥାକୁ ୧ମାସର ନୋଟିସ୍ ଜାରି କରାଯାଇଛି। ଏ ସଂପର୍କରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂତନ ସଂସ୍ଥା ପାଇଁ ଟେଣ୍ଡର କରିବା ସମ୍ଭବ ନୁହେଁ। ତେଣୁ ନିଜସ୍ବ ଢଙ୍ଗରେ ଏହାକୁ ପରିଚାଳନା କରିବା ପାଇଁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସଂସ୍ଥାର ବକେୟା ପ୍ରଦାନ କରିବା ପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ କୁହାଯାଇଥିବା ବେଳେ ‌ସଂସ୍ଥା ଏହାକୁ ଦାଖଲ କରି ନାହିଁ। ଦାଖଲ କରିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଡା.ପଟ୍ଟନାୟକ କହିଛନ୍ତି। ଏ ସଂପର୍କରେ ୟୁନିସଫ୍‌ଟ କର୍ତୃପକ୍ଷଙ୍କ କୌଣସି ମତାମତ ମିଳିପାରି ନାହିଁ।

ଅବ୍ୟବସ୍ଥା ୟୁନିସଫ୍‌ଟ ସଂସ୍ଥାର ପୁରୁଣା ରୋଗ
କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପଞ୍ଜୀକରଣ ପାଇଁ କଟକସ୍ଥିତ ୟୁନିସ‌ଫ୍‌ଟ ନାମକ ଏକ ସଂସ୍ଥା କାର୍ଯ୍ୟ କରୁଛି। ହସ୍ପିଟାଲ ସହିତ ଏହାର ଚୁକ୍ତି ଅବଧି ଶେଷ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ହୋଇ ନ ଥିବାରୁ କର୍ତୃପକ୍ଷ ଏହାର ଅବଧିକୁ ବଢ଼ାଇ ଚାଲିଛନ୍ତି। ସବୁବେଳେ ଟିକେଟ୍‌ କାଉଣ୍ଟରରେ ଏମିତି ଅବ୍ୟବସ୍ଥା ହେଉଛି ଓ କିଛିଦିନ ଏହାକୁ ନେଇ ତର୍ଜମା ଚାଲିବା ପରେ ସମସ୍ତେ ଚୁପ୍ ହୋଇ ଯାଉଛନ୍ତି। ଅବ୍ୟବସ୍ଥା ନେଇ ବାରମ୍ବାର ସଂପୃକ୍ତ ସଂସ୍ଥାକୁ ତାଗିଦ୍ କରାଯାଇଥିଲେ ହେଁ, ଏଥିରେ କୌଣସି ସୁଧାର ଆସୁନାହିଁ। ଏପିରିକି ଟିକେଟ୍‌ ପାଇଁ ଆବଶ୍ୟକ କାଗଜ ଓ କାଳି ମଧ୍ୟ କର୍ମଚାରୀମାନଙ୍କୁ ସଂସ୍ଥା ପକ୍ଷରୁ ଦିଆଯାଉ ନ ଥିବାରୁ ଟିକେଟ୍ ପ୍ରଦାନରେ ଏଭଳି ଅବ୍ୟବସ୍ଥା ହେଉଥିବା କୁହାଯାଉଛି। ଅପରପକ୍ଷରେ ଆଗାମୀ ଦିନରେ ରାଜ୍ୟ ସରକାର ଟିକେଟ୍ ବଣ୍ଟନ ପାଇଁ ନିଜସ୍ବ ସଫ୍‌ଟୱେୟାର ପ୍ରସ୍ତୁତ କରିବାକୁ ଯାଉଥିବାରୁ ସଂସ୍ଥା କ୍ୟାପିଟାଲ ହସ୍ପିଟାଲରେ ଆଉ କାର୍ଯ୍ୟ କରିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ତେଣୁ ଏଥିପାଇଁ କାମରେ ଢିଲା ଦେଉଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି।
କିଏ କାହାକୁ ଟଙ୍କା ଦେବ ତାହାକୁ ନେଇ ଛକାପଞ୍ଝା
ହସ୍ପିଟାଲ କର୍ତୃପକ୍ଷଙ୍କ କହିବା କଥା, ପ୍ରତି ରୋଗୀ ପିଛା ଟିକେଟ୍‌ ପାଇଁ ହସ୍ପିଟାଲ କର୍ତୃପକ୍ଷ ୟୁନିସଫ୍‌ଟ ସଂସ୍ଥାକୁ ୧.୯୯ଟଙ୍କା ପ୍ରଦାନ କରାଯାଉଛି। ଏ ବାବଦରେ ମାସକୁ ପ୍ରାୟ ୨.୨ଲକ୍ଷ ଟଙ୍କା ସଂସ୍ଥାକୁ ଦିଆଯାଉଛି। ଅପରପକ୍ଷରେ ହସ୍ପିଟାଲର ୟୁଜର୍ସ ଫି’ ବାବଦରେ ଗତ ୬ମାସରେ ଆଦାୟ ହୋଇଥିବା ୧୨ଲକ୍ଷ ଟଙ୍କା ସଂସ୍ଥା ହସ୍ପିଟାଲ କର୍ତୃପକ୍ଷଙ୍କୁ ନ ଦେଇ ନିଜ ପାଖରେ ରଖିଥିଲା। ସରକାରୀ କାଗଜପତ୍ରରେ ଏହା ହସ୍ପିଟାଲର ଟଙ୍କା ହୋଇଥିବା ବେଳେ ତାହା କିନ୍ତୁ ଘ‌ରୋଇ ସଂସ୍ଥା ପାଖରେ ରହିଛି। ଅଡିଟ୍ ସମୟରେ ସମସ୍ୟା ଉପୁଜିବାର ଆଶଙ୍କା କରି ହସ୍ପିଟାଲ ପକ୍ଷରୁ ଏ ବାବଦ ଟଙ୍କା ଫେରାଇବାକୁ ୫ଥର ନୋଟିସ୍ କରାଯାଇଥିଲେ ହେଁ ‌ସଂସ୍ଥା ଏହାକୁ ନ ଫେରାଇ ବରଂ ବଳକା ଟଙ୍କା ପାଇଁ ଦାବି କରିଥିଲା। ହସ୍ପିଟାଲଠାରୁ ସଂସ୍ଥା ଆଉ ପ୍ରାୟ ୩ଲକ୍ଷ ଟଙ୍କା ପାଇବାର ଥିବ‌ା ସଂସ୍ଥା ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଆବଶ୍ୟକ କାଗଜପତ୍ର ଦେଇ ନ ଥିବାରୁ ବକେୟା ଟଙ୍କା ଦିଆଯାଇ ନାହିଁ। ସଂଧ୍ୟା ସୁଦ୍ଧା କାଗଜପତ୍ର ଦାଖଲ ପାଇଁ କୁହାଯାଇଥିଲେ ହେଁ, ସଂସ୍ଥା ପକ୍ଷରୁ ଏହାକୁ ଦାଖଲ କରାଯାଇ ନ ଥିବା ଜଣାପଡ଼ିଛି।
କର୍ମଚାରୀ ପାଇ ନାହାନ୍ତି ୯ମାସର ଦରମା
ଟିକେଟ୍ କାଉଣ୍ଟର୍‌ ପାଇଁ ୟୁନିସଫ୍‌ଟ ସଂସ୍ଥା ପକ୍ଷରୁ ନିଯୁକ୍ତ ହୋଇଥିବା କର୍ମଚାରୀ ଗତ ୯ମାସ ହେବ ଦରମା ପାଇ ନ ଥିବା ଜଣାପଡ଼ିଛି। ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କର୍ମଚାରୀଙ୍କ ଦରମା ବାବଦରେ ସଂସ୍ଥାକୁ ପ୍ରତି ମାସ ୬୦ହଜାର ଟଙ୍କା ଦେବାକୁ ପଡ଼ୁଥିବା ବେଳେ ହସ୍ପିଟାଲଠାରୁ ୨.୨୦ଲକ୍ଷ ଟଙ୍କା ନେଉଛି। ତେବେ କାହିଁକି ସଂସ୍ଥା କର୍ମଚାରୀଙ୍କୁ ଦରମା ଦେଇ ନାହିଁ ତାହା ଆଶ୍ଚର୍ଯ୍ୟ କରିଛି। ଦୀର୍ଘ ମାସଧରି ଦରମା ପାଇ ନ ଥିବାରୁ କର୍ମଚାରୀମାନେ ଆଜି ବିଦ୍ରୋହ କରିଥିଲେ। ବିନା କୌଣସି ନୋଟିସ୍‌ରେ କାଉଣ୍ଟରକୁ ହଠାତ୍ ବନ୍ଦ କରି ଦେଇଥିଲେ। ଏପରିକି ହସ୍ପିଟାଲର କର୍ମଚାରୀଙ୍କୁ ଭିତରକୁ ଛାଡ଼ି ନ ଥିଲେ। ଯାହାକୁ ନେଇ ଏଭଳି ପରିସ୍ଥିତି ଦେଖା ଦେଇଥିଲା। ପରେ ପୁଲିସ ସେଠାରେ ପହଞ୍ଚି କାଉଣ୍ଟରକୁ ଖୋଲିବା ପରେ ହାତଲେଖା ଟିକେଟ୍ ରୋଗୀମାନଙ୍କୁ ଦିଆଯାଇଥିଲା। ଆଜିର ବୈଠକରେ ସଂସ୍ଥାର ପ୍ରତିନିଧିଙ୍କ ସହିତ ଏ ସଂପର୍କରେ ଆଲୋଚନା ମଧ୍ୟ ହୋଇଛି।

ସମ୍ବନ୍ଧିତ ଖବର