ସ୍ୱାମୀଙ୍କୁ ଖୋଜିଖୋଜି ଶାଶୂ ଘରେ ରଞ୍ଜିତ

ବୋହୂଙ୍କୁ ଘରେ ପୂରାଇ ଦେଲେନି

ପୁରୁଣା ଭୁବନେଶ୍ୱର: ପତିଙ୍କୁ ଖୋଜିଖୋଜି ଜଣେ ମହିଳା ଆଜି ଶାଶୂ ଘରେ ପହଞ୍ଚିଛନ୍ତି। ଦାବି କରିଛନ୍ତି ତାଙ୍କୁ ବୋହୂ ଭାବେ ଗ୍ରହଣ କରାଯାଉ। କିନ୍ତୁ ମହିଳାଙ୍କ ଏଭଳି ଦାବିକୁ ପ୍ରତ୍ୟାଖାନ କରିଛନ୍ତି, ଶାଶୂ ଘର ଲୋକ। ଏହାକୁ ନେଇ ବୋହୂ ଓ ଶାଶୂଙ୍କ ମଧ୍ୟରେ ଧସ୍ତାଧସ୍ତିି ହୋଇଥିଲା। ଏ ନେଇ ସଂପୃକ୍ତ ମହିଳା ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେବା ସହିତ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣା ଏହିଭଳି। ୨୦୧୩ରେ ସୁନ୍ଦରପଦା କପିଳପ୍ରସାଦ ଉପରସାହିର ରଞ୍ଜିତା ସାମନ୍ତରାୟଙ୍କ ସହିତ ପୁରୁଣା ଭୁବନେଶ୍ୱର ଡାକରା ବୀଭିଷଣେଶ୍ୱର କଲୋନିର ଆଶୀର୍ବାଦ ମହାନ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇଥିଲା। ପରେ ସେମାନେ ୨୦୧୫ ଜୁନ୍‌ ମାସରେ ବାଳକାଟି ଦୁଲାଦେଇ ମନ୍ଦିରରେ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତେବେ ବିବାହବେଳେ ଶାଶୂ ଘର ଲୋକଙ୍କ ଦାବି ମୁତାବକ, ସେ ୨.୪୦ ଲକ୍ଷ ଟଙ୍କା ଯୌତୁକ ଆଣିଥିଲେ। କିନ୍ତୁ ପରବର୍ତୀ ସମୟରେ ଶାଶୂ ଘର ଗୋଟିଏ କାର ଓ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ରଞ୍ଜିତା ଏତେଗଡ଼ିଏ ଟଙ୍କା ଦେଇ ପାରିବେ ନାହିଁ ବୋଲି କହିବା ପରେ ତାଙ୍କ ଉପରେ ଆରମ୍ଭ ହୋଇ ଯାଇଥିଲା ନିର୍ଯାତନା। ନିର୍ଯାତନା ଏତେ ପରିମାଣର ବଢ଼ି ଯାଇଥିଲା ଯେ, ଗତ ୬ ମାସ ତଳେ ନିଜ ଘରକୁ ଚାଲି ଆସିଥିଲେ।

ତେବେ ଗତ କିଛି ଦିନ ହେବ ତାଙ୍କ ପତି ଆଶୀର୍ବାଦଙ୍କର ଆଉ ପତ୍ତା ମିଳୁନାହିଁ। ତାଙ୍କ ମୋବାଇଲ ଫୋନ୍‌ ସୁଇଚ ଅଫ୍‌ ରହୁଛି। ଶେଷରେ ବାଧ୍ୟ ହୋଇ ରଞ୍ଜିତା ଖୋଜିଖୋଜି ଆସି ଆଶୀର୍ବାଦଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ଆଶୀର୍ବାଦଙ୍କ ମା’ ଓ ପରିବାର ଅନ୍ୟ ସଦସ୍ୟ ରଞ୍ଜିତାଙ୍କୁ ଘରେ ପୂରାଇ ଦେଇ ନ ଥିଲେ। ଏହି କାରଣରୁ ସେଠାରେ ଶାଶୂ ବୋହୂ ଧସ୍ତାଧସ୍ତି ହୋଇଥିଲେ। ଏଥିରେ ରଞ୍ଜିତାଙ୍କ ହାତରେ ଆଘାତ ଲାଗିଛି। ଏ ନେଇ ରଂଜିତା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏଭଳି ଅଭିଯୋଗକୁ ଆଶୀର୍ବାଦଙ୍କ ବାପା, ମା’ ଖଣ୍ଡନ କରିଛନ୍ତି। କହିଛନ୍ତି ତାଙ୍କ ପୁଅ ମନକୁ ମନ ବିବାହ କରିଛି। ତେଣୁ ଆମେ ତାକୁ ଘରୁ ବାହାର କରି ଦେଇଛୁ।
ଏଠାରେ ପ୍ରକାଶଥାଉକି, ରଞ୍ଜିତା ଜଣେ ପୂର୍ବତନ ଏୟାର ହଷ୍ଟେସ୍‌ ଛାତ୍ରୀ। ଏହା ଛଡ଼ା ସେ ଜୁଡୋରେ ରାଜ୍ୟ ଓ ଜାତୀୟସ୍ତରରେ ଭାଗ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର