ଘରେ ପହଞ୍ଚିବ ପାହାଳ ରସଗୋଲା

ବାଲିଅନ୍ତା: ପ୍ରସିଦ୍ଧ ପାହାଳ ରସଗୋଲାକୁ ଅଧିକ ପ୍ରଚାର ଓ ଲୋକାଭିମୁଖୀ କରିବା ପାଇଁ ପାହାଳ ମିଠା ବ୍ୟବସାୟୀ ସଂଘ ଆରମ୍ଭ କରିଛି ଆଉ ଗୋଟିଏ ନୂଆ ପ୍ରୟାସ। ଏଣିକି ରସଗୋଲା ଖାଇବାକୁ ଗ୍ରାହକମାନଙ୍କୁ ଆଉ ମିଠା ଖାଇବାକୁ ବଜାରରକୁ ଯିବାକୁ ପଡ଼ିବନି। ଅର୍ଡ଼ର ଦେବାକ୍ଷଣି ଘରେ ପହଞ୍ଚିଯିବ ରସଗୋଲା ହାଣ୍ଡି। ଏଣ୍ଟରପ୍ରେନିୟର ମାନୁଫ୍ୟାକ୍‌ଚରର ସୋସାଇଟି ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଫୋନ୍‌ ନମ୍ବର ୮୦୯୩୧୧୨୨୩୩ରେ କଲ୍‌ କରି ଜଣାଇଲେ ରସଗୋଲା ପାରମ୍ପରିକ ମାଟିହାଣ୍ଡିରେ ପ୍ୟାକ୍‌ ହୋଇ ଘରେ ପହଞ୍ଚିବ। ଏପରିକି ହ୍ଵାଟ୍‌ସଅପ୍‌ କିମ୍ବା ମେଲ୍‌ରେ ମଧ୍ୟ ଅର୍ଡର ଦେଇ ହେବ ବୋଲି ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କା ଜଣାଇଛନ୍ତି। ହେଲେ ପ୍ରଥମ ପର୍ଯ୍ୟାୟରେ ଏହା କେବଳ କଟକ ଓ ଭୁବନେଶ୍ୱରେ ଉପଲବ୍ଧ ହେବ। ଏହି ପରିପ୍ରେକ୍ଷୀରେ ଶୁଭାରମ୍ଭ ହୋଇଥିବା ପ୍ରଚାରଗାଡ଼ି ଭୁବନେଶ୍ୱର ଯାଇଥିବା ଜଣାପଡ଼ିଛି। ସଭାପତି ଶ୍ରୀ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଉପ ସଭାପତି ରାଜକିଶୋର ସାହୁ ଶରତ ଚନ୍ଦ୍ର ବେହେରା, ଚିତ୍ତରଂଜନ ବେହେରା, ଶୁଭେନ୍ଦୁ ପଟ୍ଟନାୟକ, ଦୁର୍ଗାବତୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର