ଜେଲ୍‌ ଫେରନ୍ତା ଗ୍ୟାଙ୍ଗଷ୍ଟର୍‌କୁ ପଚରାଉଚରା

ଅଧେଇଖାଲ ବସ୍ତିରେ ହତ୍ୟା ଘଟଣା

ପୁରୁଣା ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ଅଧେଇଖାଲ ବସ୍ତିର ଲୋଚନ ଦାସଙ୍କ ହତ୍ୟା ଘଟଣାରେ ପୁଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରି ପାରି ନାହିଁ। ତେଣୁ ପୁଲିସ ଅନ୍ଧାରରେ ବାଡ଼ି ବୁଲାଇବା ଆରମ୍ଭ କରିଛି। ଆଜି ଜଣେ ଜେଲ୍‌ ଫେରନ୍ତା ଗ୍ୟାଙ୍ଗଷ୍ଟର୍‌କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଉକ୍ତ ବସ୍ତିର ବୋଲି ପୁଲିସ ସନ୍ଦେହ କରୁଛି। ତେଣୁ ଖୁବ୍‌ଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି ବଡ଼ଗଡ଼ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଲୋଚନ ଉକ୍ତ ବସ୍ତିର ଜଣେ ଯୁବକଙ୍କ ଅଟୋ ଭାଙ୍ଗାରୁଜା କରିଥିଲେ। ଏହି ରାଗରେ ହୁଏତ ଉକ୍ତ ଅଟୋ ମାଲିକ ଜଣଙ୍କ ଏପରି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ବିଜେବି ନଗର ଅଧେଇଖାଲ ବସ୍ତିରେ ରହୁଥିବା ଲୋଚନ ଗତ ରବିବାର ରାତିରେ ସାଙ୍ଗମାନଙ୍କ ସହ ଭୋଜି ଖାଇ ଫେରିବା ବେଳେ ଜଣେ ଦୁର୍ବୃତ୍ତ ଏକ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲା। ଲୋଚନଙ୍କ ମୁଣ୍ଡ, ଦୁଇ ଗୋଡ଼ର ଆଣ୍ଠୁ ଓ ଦୁଇ ହାତ କହୁଣିକୁ ଚୋଟ ପରେ ଚୋଟ ମାରି ଫେରାର୍‌ ହୋଇଯାଇଥିଲା। ଲୋଚନ ସେଠାରେ ତଳେ ପଡ଼ି ଚିତ୍କାର କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେତେବେଳେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକ ଲୋଚନଙ୍କ ଶବ ରଖି ଲୁଇସ୍‌ ରୋଡ୍‌ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ୨ଦିନ ମଧ୍ୟରେ ହତ୍ୟାକାରୀକୁ ଧରିବା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ। ରେଡ୍‌କ୍ରସ୍‌ ପାଣ୍ଠିରୁ ଲୋଚନ ପରିବାରଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଲୋଚନଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଜଣେ ଜେଲ୍‌ ଫେରନ୍ତା ଗ୍ୟାଙ୍ଗ୍‌ଷ୍ଟର ଏହି କାଣ୍ଡ କରିଛି। ପୁଲିସ ଆଜି ଉକ୍ତ ଗ୍ୟାଙ୍ଗ୍‌ଷ୍ଟରକୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଥିବା ଘରୋଇ ସଂସ୍ଥାର ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରିବା ସହି ବସ୍ତିର ଲୋକଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର