ମୁଖ୍ୟ ରାସ୍ତା ଚକାଚକ୍‌ :ଗଳି ରାସ୍ତାରେ ଗାତ

ସୌନ୍ଦର୍ଯ୍ୟକରଣରେ କଳଙ୍କ ସାଜିଛି ସ୍ବେରେଜ୍ ବୋର୍ଡ

ଭୁବନେଶ୍ବର : ବିଶ୍ବକପ୍‌ ହକି ପାଇଁ ରାଜଧାନୀ ସଜେଇ ହୋଇଛି। ରାଜଧାନୀ କାନ୍ଥବାଡ଼ରେ ରଙ୍ଗବେରଙ୍ଗର ଚିତ୍ର, ଚକାଚକ୍ ରାସ୍ତା, ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ, ଶହ ଶହ ବାଇସାଇକେଲ୍‌, ଆଖି ପଲକ ପଡ଼ିଲା ବେଳକୁ ଗୋଟିଏ ‘‌ମୋ ବସ୍‌’ ପଳାଉଛି। ରଙ୍ଗିନ ଆଲୋକରେ ଝିଲ୍‌ମିଲ୍‌ କରୁଛି ସହର। କିନ୍ତୁ ଏହା କେବଳ ରାଜଧାନୀର ପ୍ରମୁଖ ରାସ୍ତାରେ।

ଚକାଚକ୍ ଦିଶୁଥିବା ରାସ୍ତାରୁ ଯଦି କେହି ଗଳି ରାସ୍ତାରେ ପଶିଯିବେ, ତେବେ ଆଉ ଏକ ରାଜଧାନୀକୁ ପାଇବେ। ଯେଉଁ ସହର ହକି ବିଶ୍ବକପ୍‌ ପାଇଁ ସଜେଇ ହୋଇଛି ସେହି ସହରରେ ଏହି ଅଞ୍ଚଳ ରହିଛି ବୋଲି ବିଶ୍ବାସ କରିହେବନି। ଅଧିକାଂଶ ଗଳିକନ୍ଦି ଏବେ ଖାଲଖମାରେ ଭର୍ତ୍ତି ରାସ୍ତା, ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ କେଉଁଠି ୧୦ ଫୁଟ ଗଭୀରର ଗାତ ଖୋଳାଯାଇଛି ତ କେଉଁଠି ପାଣି ପାଇପ୍ ବିଛାଇବା ପାଇଁ। ଆଉ କେଉଁଠି ଦୀର୍ଘ ମାସ ହେଲା ରାସ୍ତା ମରଣଯନ୍ତା ପାଲଟିଥିଲେ ବି ଏହାର ମରାମତି ହେଉନି। ବହୁ ସ୍ଥାନରେ କୁଢ଼କୁଢ଼ ଆବର୍ଜନା ବି ଗଦା ହୋଇଥିବା ଦେଖିବାକୁ ମିଳୁଛି।

ଏବେ ଗଳିକନ୍ଦି ରାସ୍ତାର ସ୍ଥିତି ଏପରି ହୋଇଛି ଯେ ଅତିଥିଙ୍କୁ କେବଳ ପ୍ରମୁଖ ରାସ୍ତାରେ ବୁଲାଇବାକୁ ହେବ। ଯଦି କେହି ଗଳିକନ୍ଦିରେ ପଶିଯିବେ, ତେବେ ସ୍ମାର୍ଟ ସିଟି ଭୁବନେଶ୍ବରର ଅସଲ ଚେହେରା ପଦାରେ ପଡ଼ିଯିବ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଏବଂ କାର୍ଯ୍ୟ କରିବାର ମନମାନି ଯୋଗୁଁ ଏବେ ରାଜଧାନୀର ପ୍ରମୁଖ ୮୦କିମି ରାସ୍ତାକୁ ଛାଡ଼ିଦେଲେ ପ୍ରାୟ ସବୁ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁ ତିନି/ଚାରିଟି ବିଭାଗ ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ବୁହାଇ ଚାଲିଛନ୍ତି, ସେହି ବିଭାଗ ଅଧୀନରେ ଥିବା କେତୋଟି ସଂସ୍ଥା ଏଥିରେ କଳଙ୍କ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି।

ସ୍ବେରେଜ୍ ବୋର୍ଡ କୋଟି କୋଟି ଟଙ୍କା ବରବାଦ୍ କରୁଛି

୭ ମାସ ତଳେ ଏକାମ୍ର ଟକିଜ୍ ନିକଟସ୍ଥ ଗଳିରେ ବିଏମ୍‌ସି କଙ୍କ୍ରିଟ୍ ରାସ୍ତା ନିର୍ମାଣ କରିଥିଲା। ସପ୍ତାହେ ହେଲା ସ୍ବେରେଜ୍ ବୋର୍ଡ ଏହାକୁ ଖୋଳି ପକାଇଛି। ରାସ୍ତା ମଝିରୁ ଅଧା ରାସ୍ତାକୁ ଖୋଳି ସ୍ବେରେଜ୍ ଲାଇନ୍ ବିଛାଉଛି। କଙ୍କ୍ରିଟ ରାସ୍ତା ମଝିରୁ କଟା ଯାଇଥିବାରୁ ରାସ୍ତା ବି ଫାଟି ଯାଇଛି। ଏମିତି ସ୍ଥିତି ରାଜଧାନୀର ପ୍ରାୟ ସମସ୍ତ ଅଞ୍ଚଳରେ। କାମ ଆରମ୍ଭ ପୂର୍ବରୁ ସ୍ବେରେଜ୍ ବୋର୍ଡ କର୍ତ୍ତୃପକ୍ଷ କହୁଛନ୍ତି, ସରିଲେ ନୂଆ ରାସ୍ତା ନିର୍ମାଣ କରାଯିବ। କିନ୍ତୁ କିଛି ହେଉନି। ଉଦାହରଣ ସ୍ବରୂପ ପ୍ରାୟ ବର୍ଷେ ହେଲା ସ୍ବେରେଜ୍ ବୋର୍ଡ ଜୟଦୁର୍ଗା ନଗରରେ ସ୍ବେରେଜ୍ ଲାଇନ୍ ବିଛାଉଥିଲେ ହେଁ କୌଣସି ଗୋଟିଏ ବି ରାସ୍ତା ମରାମତି କରୁନି। ବାଲି ଓ ମାଟି ପକାଇ ପୋତି ଦେଇ ଛୁ। ନିୟମ ଅନୁଯାୟୀ ସ୍ବେରେଜ୍ ବୋର୍ଡ ସଂପୂର୍ଣ୍ଣ ରାସ୍ତା ନୂଆ କରିବା କଥା। ସଂପୂର୍ଣ୍ଣ ରାସ୍ତା ଛାଡ଼ ଯେତିକି ବି ଖୋଳୁଛି ସେତିକି କାମ କରୁନି। ଏହିଭଳି ଭାବେ ଭଲ ରାସ୍ତାକୁ ଖଣ୍ଡିଆଖାବରା କରି ସ୍ବେରେଜ୍ ବୋର୍ଡ ପଳାଉଥିବାରୁ ଲୋକଙ୍କ ମଧ୍ୟରେ ଅ‌ସନ୍ତୋଷ ତେଜିଲାଣି। ଏପଟେ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି, ସ୍ବେରେଜ୍ ବୋର୍ଡ ସ୍ବେରେଜ୍ ଲାଇନ୍ ବିଛାଇବା ବେଳେ ଆମଠୁ ଏନ୍‌ଓସି ନେଲେ କି ଆମକୁ ବ୍ଲୁ ପ୍ରିଣ୍ଟ୍ ଦେଲେ ଆମେ ଅଯଥାରେ ରାସ୍ତା ନିର୍ମାଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତୁନି। ସେମାନେ ମନଇଚ୍ଛା କାମ କରୁଛନ୍ତି। ଏପଟେ ରାସ୍ତା ଖଣ୍ଡିଆଖାବରା ହୋଇପଡ଼ିଲେ ଲୋକ ଆମକୁ ପାଟି କରୁଛନ୍ତି। ତେଣୁ ବିଳମ୍ବରେ ହେଲେ ବି ଆମେ ରାସ୍ତା କାମ କରୁଛୁ। ଯେଉଁ ରାସ୍ତା ୫ ବର୍ଷରେ ହେବା କଥା ତାକୁ ବର୍ଷକରେ କରିବାକୁ ପଡ଼ୁଛି।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ବି ମାନିଲେନି

ସେପ୍ଟେମ୍ବର ୩୦ପରେ କୌଣସି ରାସ୍ତା ଖୋଳା ହେବନି, ଯେଉଁଠି ଗାତ ଥିବ କିମ୍ବା କୌଣସି କାରଣରୁ ଖୋଳା ହୋଇଥିବ ତାହାକୁ ଅକ୍ଟୋବର ୧୫ ସୁଦ୍ଧା ପୋତିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ସମନ୍ବୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏପରିକି ବିଏମ୍‌ସି କମିସନର୍‌ କର୍ପୋରେସନ ବୈଠକରେ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ଏନେଇ ତାଗିଦ୍ କରି କହିଥିଲେ। କିନ୍ତୁ ଏହାକୁ କୌଣସି ବିଭାଗ ମାନିଲେନି। ନଭେମ୍ବର ମାସ ଯାଏ ଖୋଳାଖୋଳି ଚାଲିଲା। ପ୍ରମୁଖ ସ୍ଥାନରେ ଗାତ ପୋତି ଦେଲେ। କିନ୍ତୁ ସ୍ବେରେଜ୍ ବୋର୍ଡ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶକୁ ବି ଫୁ’ କରିଦେଲା। ଏବେ ବି ଗଳିକନ୍ଦିରେ ସ୍ବେରେଜ୍ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଛି। ଏନେଇ ସ୍ବେରେଜ୍ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କିଛି ଉତ୍ତର ମିଳିନଥିଲା।

ସମ୍ବନ୍ଧିତ ଖବର