ସାହିତ୍ୟ ଅକାଦେମିର ‘ମୋ ଦୃଷ୍ଟିରେ’ : ଅଦୃଶ୍ୟ ସୂକ୍ଷ୍ମ ଜଗତ ମତେ ଲେଖିବାକୁ ଆଭାସ ଦେଇଛି: ଡ.ଅର୍ଚନା ନାୟକ

ଭୁବନେଶ୍ୱର : ବଣଭୋଜି କରିବାକୁ ଯାଇଥିବା ବେଳେ ଚିଲ ଥଣ୍ଟରୁ ମାଛଟିଏ ଖସି ପଡ଼ିବା ଦେଖି ଚିଲର ଦୁଃଖୀ ଅନ୍ତରକୁ ଅନୁଭବ କରି ଅଙ୍କକଷା ଖାତାରେ ସେ ଲେଖି ଦେଇଥିଲେ, ଚିଲ ଭାଇରେ ଚିଲ ଭାଇ, କାହିଁକି ବସିଛୁ ମନ ଶୁଖେଇ…। ପୁଣି ଜେଜେମାଆଙ୍କ ପରଲୋକ ହେବା ଦିନ ନିଜ ଦାଦାଙ୍କ ନିର୍ଦେଶରେ ଲେଖି ଦେଇଥିଲେ, ଜେଜେ ମା’ ତୁମେ ଗଲ ଚାଲି.., ପଛେ ଛାଡ଼ିଦେଇ ଘରବାଡ଼ି.., ଆମକୁ ନିଅ ସାଥୀ କରି…। ଏହା ଶୁଣି ସମସ୍ତେ ରଣ ହୁଙ୍କାର ଛାଡ଼ି କହିଲେ, କ’ଣ କହିଲୁ ସାଥୀ କରି? ତେଣୁ ଚିଲରୁ ଆରମ୍ଭ ହୋଇଥିବା ପଦଯୋଡ଼ା ସେ ସେଇଠୁ ଛାଡ଼ିଦେଲେ। ତେବେ ଛୁଟିବେଳେ ଘରକୁ ଯାଇଥିବା ବେଳେ ଚିଲିକାରେ ନୌକା ବିହାର ବେଳେ ବାପା ଦାଦାଙ୍କଠୁ ଗୀତ ଶୁଣିବା ଏବଂ ନିଜେ କାଳିଜାଇ ଗୀତ ବୋଲି କାନ୍ଦିବା ଭିତରେ ହିଁ ଯେଉଁ ସାରସ୍ୱତ ପ୍ରତିଭାଟି ଧୀରେଧୀରେ ମୁଣ୍ଡ ଟେକିଥିଲା ସେ ଥିଲେ ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ସାରସ୍ୱତ ବିନ୍ଧାଣି ଡ.ଅର୍ଚନା ନାୟକ।

ଆଜି ‘ସାହିତ୍ୟ ଅମାଦେମି’ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ମୋ ଦୃଷ୍ଟିରେ’ କାର୍ଯ୍ୟକ୍ରମରେ ବହୁମୁଖୀ ସାରସ୍ୱତ ପ୍ରତିଭା ଡ.ଅର୍ଚନା ନାୟକଙ୍କ ସମ୍ପର୍କରେ ଉନ୍ମୁକ୍ତ ହୋଇଥିଲା ତାଙ୍କର ସାରସ୍ୱତ ଯାତ୍ରା। ବିଶିଷ୍ଟ କବି ଡ.ଅପର୍ଣ୍ଣା ନାୟକ ଲେଖିକା ଅର୍ଚନା ନାୟକଙ୍କ ସମ୍ପର୍କରେ ନିଜର ଦୃଷ୍ଟିକୋଣକୁ ବ୍ୟକ୍ତ କରି କହିଲେ, ଡ. ନାୟକ ସାହିତ୍ୟରେ ସାଧାରଣ ଜୀବନର ସୁଖଦୁଃଖର ମାର୍ମିକ ଚିତ୍ର ଏବଂ ଆଦି ଭୌତିକ ରହସ୍ୟମୟ ଜଗତର ଚିତ୍ର ଆଙ୍କିଛନ୍ତି। ନାରୀର ଅସ୍ତିତ୍ୱ ଏବଂ ତା’ର ନିର୍ବାଣ କାମନାକୁ ଆଧାର କରି ଶ୍ରମଣା ଓ ବୌଦ୍ଧ ନାୟିକାମାନେ ମୌଳିକ ପ୍ରଶ୍ନର ଉତ୍ତର ଖୋଜିଥିବା ଏହି ‘ଶ୍ରମଣାର ପୃଥିବୀ’ ପୁସ୍ତକ ପଢ଼ିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ବି ଦିନେ ଲେଖିକାଙ୍କୁ ପ୍ରଶ୍ନ କରିଥିଲେ ‘ମୁଁ କ’ଣ ଶ୍ରମଣା ହୋଇପରିବିନି?

ଡ.ଅର୍ଚନା ନାୟକ ବକ୍ତବ୍ୟ ରଖି କହିଲେ, ଚୌଦ୍ୱାରରେ ଏକ ନିର୍ଦିଷ୍ଟ କୁଦ ଉପରେ ୩୦ ବର୍ଷ ଧରି ବୌଦ୍ଧ ପୂର୍ଣ୍ଣିମା ଦିନ ବସି ଦେଖିଥିବା ଚନ୍ଦ୍ର ଉଦୟ ଏବଂ ସେଇଠାରେ ବୌଦ୍ଧ ଭିକ୍ଷୁକୀଙ୍କ କଥା ଚିନ୍ତା କରିବା ବେଳେ ତାଙ୍କ ଭିତରୁ ‘ଶ୍ରମଣାର ପୃଥିବୀ’ ପୁସ୍ତକ ଲେଖିବା ପାଇଁ ପ୍ରେରଣା ଆସିଥିଲା। ପୂଜାଛୁଟି, ଧାନକଟା ଛୁଟି, ଖରାଛୁଟିରେ ଗାଁକୁ ଯାଇ ଜାଗୁଳେଇଙ୍କୁ ଅଧରାତିରେ ବାରହାତ ଖଣ୍ଡା ଧରି, ଗହଣା ପିନ୍ଧି, ଘୋଡ଼ା ଝପଟେଇ ଆସିବାର ଦୃଶ୍ୟ ଦେଖିବାକୁ ଝରକା କ’ଣା ବାଟେ ଚାହିଁ ରହିବାର ଉତ୍ସାହ ଏବଂ ବାପାଙ୍କ ଭିତରେ ଶିକ୍ଷକ ବତ୍ସଳତା ଦେଖି ନିଜେ ଶିକ୍ଷୟିତ୍ରୀ ହେବାର ଅଭିଳାସ କଥା ବର୍ଣ୍ଣନା କରିଥିଲେ। ସେ ଏକଥା ବି କହିଲେ, ମୋ’ର ଅନେକ ଗଳ୍ପ ଅତିନ୍ଦ୍ରିୟ। ଏ ଜଗତ ବାହାରେ ମତେ ଅଦୃଶ୍ୟ ସୂକ୍ଷ୍ମ ଜଗତ ଆଭାସ ଦେବା ପରେ ମୁଁ ତାକୁ ଗଳ୍ପରେ ରୂପାନ୍ତରିତ କରିଛି। ପୃଥିବୀ ଆରମ୍ଭ ହେବା ଦିନଠୁ କଳରବ ହଜିଯାଇନି। କୋଉ ଅନ୍ତରୀକ୍ଷରେ ତାହା ସଂରକ୍ଷିତ ହୋଇ ରହିଛି। ତାକୁ ଅନୁଭବ କରିବା ପାଇଁ ହୃଦୟଟିଏ ଦରକାର ବୋଲି ସେ କହିଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଅକାଦେମିର ପୂର୍ବାଞ୍ଚଳ ଭାରପ୍ରାପ୍ତ ଅଧିକାରୀ ମିହିର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ସଦସ୍ୟ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର