ସଂସ୍କୃତି ଚର୍ଚ୍ଚା : ତୁଳସୀ ନାରୀଶକ୍ତି ଓ ଶିପ ଶୁଦ୍ଧ ଜୀବନଧାରାର ପ୍ରତୀକ

ଭୁବନେଶ୍ବର : ତୁଳସୀ ସେବନ ଦ୍ବାରା ମଣିଷ ଶରୀର ଜୀବାଣୁମୁକ୍ତ ହେବା ସହ ଆୟୂଷ ବୃଦ୍ଧି ହୋଇଥାଏ। ଖାଲି ସେତିକି ନୁହେଁ, ତୁଳସୀ ବ୍ୟବହାର ଫଳରେ ଦେବତାଙ୍କୁ ଲାଗି କରାଯାଉଥିବା ଭୋଗ ପ୍ରସାଦରେ ପରିଣତ ହୋଇଥାଏ। ସେହିପରି ଶିପ ବା ଶଙ୍ଖର ବ୍ୟବହାର ଜୀବନଦାୟୀ ଓ ଉପକାରୀ। ଉଭୟ ତୁଳସୀ ଓ ଶିପ ମଣିଷ ଜୀବନକୁ ପ୍ରଭାବିତ କରୁଥିବା ବେଳେ ଏହାର ଧାର୍ମିକ ପରମ୍ପରା ତଥା ବିଜ୍ଞାନସମ୍ମତ ଯୁକ୍ତି ରହିଛି। ତୁଳସୀ ନାରୀଶକ୍ତି ଓ ଶିପ ଶୁଦ୍ଧ ଜୀବନଧାରାର ପ୍ରତୀକ ଭାବେ ସ୍ବୀକୃତ ବୋଲି ମତପୋଷଣ କରିଛନ୍ତି ବିଶିଷ୍ଟ ଜ୍ୟୋତିର୍ବିଦ୍‌ ତଥା ବାସ୍ତୁଶାସ୍ତ୍ର ବି‌ଶେଷଜ୍ଞ ମନୋଜ ଲେଙ୍କା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ରାଜ୍ୟ ଅଭିଲେଖାଗାର‌ଠାରେ ଆୟୋଜିତ ‘ଉତ୍କଳୀୟ ସଂସ୍କୃତିରେ ତୁଳସୀ ଓ ଶିପର ମାହାତ୍ମ୍ୟ’ ଶୀର୍ଷକ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମରେ ଡ. ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ‘ସଂସ୍କୃତି ଚର୍ଚ୍ଚା’ର ଆଭିମୁଖ୍ୟ କ୍ରମଶଃ ବ୍ୟାପକ ହେଉଛି ବୋଲି ଦର୍ଶାଇ ଏହାର ବୌଦ୍ଧିକ ଅବଦାନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ସ୍ବାଗତ ଭା‌ଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର