ସୁରକ୍ଷାକର୍ମୀ ଗଦାଧର ହତ୍ୟା ମାମଲା: ଭାଗ ନ ଛିଡ଼ିବାରୁ ଗଡ଼ିଛି ମୁଣ୍ଡ!

ଭୁବନେଶ୍ବର/ବାଲିଅନ୍ତା: ଭାଗ ନଛିଡ଼ିବାରୁ ମୁଣ୍ଡ ଗଡ଼ିଛି! ଶାରଳା ମାର୍ବଲ ଆଣ୍ଡ ଗ୍ରାନାଇଟ୍‌ ସୋ’‌ରୁମ୍‌ ସୁରକ୍ଷାକର୍ମୀ ଗଦାଧର ସ୍ବାଇଁ ହତ୍ୟା ମାମଲା‌େର ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ବାଲିଅନ୍ତା ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରି ନଥିଲେ ମଧ୍ୟ ଅଟକ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ବେଳେ ଏଭଳି ତଥ୍ୟ ପଦାକୁ ଆସିଛି। ଗତ ୩ ମାସ ମଧ୍ୟରେ ଏହି ସୋ’ ରୁମ୍‌ରୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ମାର୍ବଲ ଉଭାନ୍‌ ହୋଇଯାଇଛି। ବିଭିନ୍ନ କର୍ମଚାରୀ ଓ ପୂର୍ବତନ କର୍ମଚାରୀ ମିଳିମିଶି ପର୍ଯ୍ୟାୟକ୍ରମେ ଏହି ଚୋରି ହୋଇଥିବା ଜଣାପଡ଼ିଛି। ଭାଗ ଛିଡ଼ି ନ ଥିବାରୁ ହେଉ କିମ୍ବା ମୃତ ସୁରକ୍ଷାକର୍ମୀଙ୍କ ପ୍ରତିବାଦ ଯୋଗୁ ହେଉ, ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସ ସନ୍ଦେହ କରୁଛି। ଏହି ଦିଗରେ ଅଧିକ ପଚରାଉଚରା ଓ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ହତ୍ୟାକାରୀ ପାଖରେ ପୁଲିସ ପହଞ୍ଚିବ ବୋଲି ୪ ନମ୍ବର ଜୋନ୍‌ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି। ଏଠାରେ ଡ୍ୟୁଟି କରୁଥିବା ଓ ଏଠାରୁ ଛାଡ଼ି ଚାଲି ଯାଇଥିବା କିମ୍ବା ତଡ଼ା ଖାଇଥିବା କର୍ମଚାରୀମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ। ସେମାନଙ୍କୁ ଠାବ କରାଯାଉଛି ବୋଲି ସୂଚନା ମିଳିଛି।

ଭୁବନେଶ୍ବର-କଟକ ଜାତୀୟ ରାଜପଥ କଡ଼ରେ ଥିବା ଶାରଳା ମାର୍ବଲ ଆଣ୍ଡ ଗ୍ରାନାଇଟ୍‌ ସୋ ରୁମ୍‌ର ସୁରକ୍ଷାକର୍ମୀ ଗଦାଧରଙ୍କୁ ୨୭ ତାରିଖରେ ହତ୍ୟା କରାଯାଇଥିଲା। ରୋଷେଇ ଘର ଭିତରୁ ତାଙ୍କ ମୃତଦେହ ଜବତ ହୋଇଥିଲା। ଏହି ସମୟରେ ପୁଲିସକୁ ଏକ ହାତଲେଖା ଚିଠି ମିଳିଥିଲା। ଏଥିରେ ଲେଖାଥିବା ‘ବୁବୁନା ଭାଇ ଫସାଇ ଦେଲା’ ତଥ୍ୟକୁ ଆଧାର କରି ବାଲିଅନ୍ତା ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏସିପି ଶ୍ରୀ ପଣ୍ଡା ଗ୍ରାମରେ ଚଢ଼ଉ କରି ବୁବୁନାକୁ ଆଣିଥିଲେ। ପୂର୍ବରୁ ଏଠାରେ ସେଲ୍ସ ମ୍ୟାନ୍‌ ଭାବରେ କାମ କରୁଥିବା ବୁବୁନାର ସାନଭାଇ ପ୍ରିୟବ୍ରତ ଭୁୟାଁ ଓ ଏଠାରେ ସୁଇପର ଭାବରେ କାମ କରୁଥିବା ଏରସମା ଥାନା ରଶଗଡ଼ାପୁର ଗ୍ରାମର ସୁଇପର ବିଦୁର ମଲ୍ଲିକଙ୍କୁ ପୁଲିସ ନିଜ ହେପାଜତ୍‌କୁ ଆଣିଥିଲା। ଏ ସମସ୍ତଙ୍କୁ ପଚରାଉଚରା ପରେ ଏଭଳି ରୋଚକ ତଥ୍ୟ ପଦାକୁ ଆସିଥିଲା। କଟକ ଜିଲ୍ଲା ସାଲେପୁର ଥାନା ମିର୍ଜାପୁର ଗ୍ରାମର ବୁବୁନା ଓରଫ ଦିବାକର ଭୁୟାଁ ସୋରୁମର ଜଣେ ପୂର୍ବତନ କର୍ମଚାରୀ। କୌଣସି କାରଣରୁ ମାଲିକଙ୍କର ସନ୍ଦେହ ହେବାରୁ ସେ କିଛିମାସ ତଳେ ସୋରୁମ୍‌ରୁ ତଡ଼ାଖାଇ ଅନ୍ୟତ୍ର କାମ କରୁଥିଲେ। ଚାକିରିରୁ ବାହାରି ଯାଇଥିଲେ ହେଁ ବୁବୁନା ଭାଇ ପ୍ରିୟବ୍ରତକୁ ଦେଖା କରିବା ଆଳରେ ଯିବାଆସିବା କରୁଥିଲା। ଏଣୁ ସମସ୍ତେ ମିଳିମିଶି ମାର୍ବଲ ଚୋରି କରୁଥିଲେ। ଗ୍ରାହକ ଠିକ୍‌ କରାଯାଇ ବିକ୍ରି କରାଯାଉଥିଲା। ବିକ୍ରି ପରେ ପଇସା ଭାଗବଣ୍ଟା ହେଉଥିଲା। ଭାଗ ନଛିଡ଼ିବାରୁ ଏଭଳି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

ଅନ୍ୟପଟେ ପ୍ରିୟବ୍ରତ ଓ ବିଦୁର ପାଖ ଘରେ ଶୋଇଥିବା ବେଳେ ଏଭଳି କାଣ୍ଡ ବାବଦରେ କିଭଳି ଜାଣି ପାରିଲେ ନାହିଁ ‌ସେ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ସେମାନଙ୍କୁ ମଧ୍ୟ ପଚରାଉଚରା ହୋଇଛି। ତାଙ୍କଠାରୁ ହିଁ ଘଟଣାର ରହସ୍ୟ ଉନ୍ମୋଚନ କରିବା ପାଇଁ ପୁଲିସ ଆଶାବାଦୀ ରହିଛି। ପାହାଳ ଫାଣ୍ଡି ଅଧିକାରୀ କାଶୀନାଥ ଭୁୟାଁଙ୍କ କହିବାନୁଯାୟୀ ପାହଳ ଫାଣ୍ଡି, ଥାନା ଓ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ବତନ୍ତ୍ର ଭାବେ ଅଟକ ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଗଦାଧରଙ୍କ ହତ୍ୟା ଘଟଣା ଉପରୁ ପରଦା ହଟିବ। ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ ରାଉତ କହିଛନ୍ତି ମାଲିକ ଓ ସମସ୍ତ କର୍ମଚାରୀଙ୍କୁ ପଚରାଉଚରା ସହ ବୟାନ ରେକର୍ଡ କରାଯାଇଥିବା କହିଛନ୍ତି। ସୋରୁମ‌୍‌ରୁ ମାର୍ବଲ ଓ ଗ୍ରାନାଇଟ ଚୋରି ସହିତ ଗଦାଧରଙ୍କ ହତ୍ୟା ମାମଲାର ସମ୍ପର୍କ ଥିବା ସ୍ପଷ୍ଟ ହୋଇଥିବା ବେଳେ ଏହି କର୍ମଚାରୀ କିମ୍ବା ବାହାରର କିଛି ବେପାରୀ ରହିଛନ୍ତି ତାହାକୁ ‌ନେଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର