ଶିଶିର ସରସ, ହାତଛଡ଼ା କଲେନି

ଭୁବନେଶ୍ବର: ଶୀତ ଦିନିଆ ଅବସର ବିନୋଦନ ପାଇଁ ରାଜଧାନୀ ନେଇ ଆସିଛି ମେଳା ପସରା। ମନୋରଞ୍ଜନ, ବିଭିନ୍ନ ରାଜ୍ୟର ହାତ ତିଆରି ସାମଗ୍ରୀ, କଳାକୃତି ସହ ଘରସଜ୍ଜା ସାମଗ୍ରୀର ଆଖି ଝଲସା ସମ୍ଭାର ଦେଖିବାକୁ ମିଳୁଛି ଜାତୀୟ ହସ୍ତଶିଳ୍ପ ମେଳା ‘ଶିଶିର ସରସ’ରେ। ଆଜି ମାସର ଦ୍ୱିତୀୟ ଶନିବାର ସରକାରୀ ଛୁଟି ଥିବାରୁ ପ୍ରଦର୍ଶନୀ ପଡ଼ିଆରେ ଲୋକଙ୍କ ଭିଡ଼ ଜମିଥିଲା। ଗୋଟିଏ ଜାଗାକୁ ଆସି ଦୁଇଟି ମେଳା ‘ରାଜଧାନୀ ପୁସ୍ତକ ମେଳା’ ଓ ‘ଶିଶିର ସରସ’ର ମଜା ‌ନେବାର ସୁଯୋଗ ଯେମିତି ଲୋକେ ହାତଛଡ଼ା କରିବାକୁ ଚାହିଁନଥିଲେ। ଫଳରେ ରାମ ମନ୍ଦିର ପାର୍ଶ୍ବବର୍ତ୍ତୀ ରାସ୍ତାରେ ଅସମ୍ଭାଳ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଏହାସହ ଗାଡ଼ି ପାର୍କିଂର ନାହିଁ ନଥିବା ଅସୁବିଧା ଦେଖାଯାଇଥିଲା। ଆସନ୍ତା ଦୁଇ ଦିନ ମଧ୍ୟ ସରକାରୀ ଛୁଟି ଥିବାରୁ ଭିଡ଼ ଅଧିକ ହେବ ବୋଲି କୁହାଯାଉଛି।

ପ୍ରଦର୍ଶିତ ହେଉଛି ସବାଇ ଘାସ ଓ ଖଜୁରି ପତ୍ର ତିଆରି ସାମଗ୍ରୀ
ସବାଇ ଘାସ, ଖଜୁରି ପତ୍ର ଓ ଝୋଟ ସୁତୁଲି ଆଦିକୁ ନେଇ ତିଆରି ହେଉଛି କଷ୍ଟର ପେଡ଼ି, ଫୁଲଦାନି, ଚେୟାର ଟେବୁଲ ଓ ବିଭିନ୍ନ ଘରସଜ୍ଜା ସାମଗ୍ରୀ। ଧଳା ଓ ହାତ ତିଆରି ଏହି ସାମଗ୍ରୀ ସବୁ ଦେଖିବାକୁ ଯେତିକି ସୁନ୍ଦର, ସେତିକି ଦୀର୍ଘସ୍ଥାୟୀ ମଧ୍ୟ। ଛୋଟ ଏକ କଷ୍ଟର ପେଡ଼ିର ମୂଲ୍ୟ ୧୦୦ ଟଙ୍କା ଥିବା ବେଳେ କୋନାକା ଚେୟାରର ମୂଲ୍ୟ ୮ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ମୟୂରଭଞ୍ଜରୁ ଆସିଥିବା ମା’ ଅନ୍ଧାରି ବୁଢ଼ୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରଦର୍ଶିତ କରୁଛନ୍ତି ଏହି ସାମଗ୍ରୀର ପ୍ରସ୍ତୁତି ପ୍ରକ୍ରିୟା। ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ଧଳ କୁହନ୍ତି, ଆଶ୍ବିନ ଓ କାର୍ତ୍ତିକ ମାସରେ ସବାଇ ଘାସ ବହୁ ମାତ୍ରାରେ ଅମଳ ହୁଏ। ଖଜୁରି ପତ୍ର ଓ ଝୋଟ ସୁତୁଲି ବି ସଂଗ୍ରହ କରି ରଖାଯାଏ। ଏହାକୁ ପାଣିରେ ଟିକେ ଭିଜାଇ ବୁଣାଯାଏ। ଏହି ହସ୍ତଶିଳ୍ପ ଓଡ଼ିଶାରେ ପ୍ରାଚୀନ କାଳରୁ ଥିଲେ ମଧ୍ୟ ୩ ବର୍ଷ ତଳେ ଦିଲ୍ଲୀରୁ ଆସିଥିବା ପ୍ରଶିକ୍ଷକ ପଙ୍କଜ ସ୍ବରାଜଙ୍କ ତାଲିମ ପରେ ଏହା ବ୍ୟାପକ ଭାବେ କରାଯାଉଥିବା ଶ୍ରୀମତୀ ଧଳ କହିଛନ୍ତି।

୮ ଦିନରେ ୪ ଲକ୍ଷରୁ ଊର୍ଧ୍ବ ଟଙ୍କାର ଝାଡ଼ୁ ବିକ୍ରି
ଶିଶିର ସରସକୁ ଯିବା ପୂର୍ବରୁ ବାହାରେ ପ୍ରାୟ ଲୋକଙ୍କ ହାତରେ ଦେଖିବାକୁ ମିଳୁଛି ଝାଡ଼ୁ। ଗୃହର ଏହି ଅତ୍ୟନ୍ତ ଜରୁରି ସାମଗ୍ରୀକୁ ନେବା ପାଇଁ ଝାଡ଼ୁ ଷ୍ଟଲ ସମ୍ମୁଖରେ ଲାଗୁଛି ଅସମ୍ଭାଳ ଭିଡ଼। ତେବେ ମେଳାର ୮ ଦିନରେ ୪ଟି ଷ୍ଟଲ୍‌ରୁ ୪ ଲକ୍ଷରୁ ଊର୍ଧ୍ବ ଟଙ୍କାର ଝାଡ଼ୁ ବିକ୍ରି ହୋଇଥିବା ବ୍ୟବସାୟୀମାନେ କହିଛନ୍ତି। ବର୍ତ୍ତମାନ ସମୟରେ ଫୁଲଝାଡ଼ୁର ଚାହିଦା ଅଧିକ ରହିଥିବାରୁ ଏହା ହିଁ ଅଧିକ ବିକ୍ରି ହେଉଥିବା ଖୋର୍ଦ୍ଧାରୁ ଆସିଥିବା ବ୍ୟବସାୟୀ ଚନ୍ଦନ କୁମାର ବିଶୋଇ କହିଛନ୍ତି। ଏଠାରେ ମିଳୁଛି ୩ ପ୍ରକାରର ଝାଡ଼ୁ। ଷ୍ଟିଲ୍‌ ହ୍ୟା‌ଣ୍ଡେଲ, ପ୍ଲାଷ୍ଟିକ ହ୍ୟାଣ୍ଡେଲ ଓ ତିନିମୁହାଁ ଝାଡ଼ୁ ଇତ୍ୟାଦି। ମୋଟ ୮ ଦିନରେ ସେମାନଙ୍କର ୧ ଲକ୍ଷ ଟଙ୍କାରୁ ଅଧିକ ବେପାର ହୋଇଥିବା ବେ‌ଳେ ଶେଷ ତିନି ଦିନରେ ୨ ଲକ୍ଷ ଟଙ୍କାର ବ୍ୟବସାୟ ହେବ ବୋଲି ଶ୍ରୀ ବିଶୋଇ କହିଛନ୍ତି।

ଆକର୍ଷିତ କରୁଛି ପଣ୍ତିଚେରି ଲ୍ୟାମ୍ପ୍‌ ସେଟ୍‌: ଲ୍ୟାମ୍ପ୍‌ସେଟ୍‌‌; ଶୁଣିବାକୁ ସାଧାରଣ ଲାଗୁଛି। କିନ୍ତୁ ତାହାକୁ ଅସାଧାରଣ କରିଦେଉଛି ତାହାର ଆକାର। କେଉଁ ଲ୍ୟାମ୍ପ୍‌ ସେଟ୍‌ କୋନ୍‌ ଆକୃତିର ତ କେଉଁଟା ଗୋଲ୍‌। ପୁଣି ତିନି କୋଣିଆ, ଚାରି କୋଣିଆ ଓ ବର୍ଗାକାର। ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଶିଶିର ସରସ’ରେ ପଣ୍ତିଚେରିର ଏହି ନିଆରା ଲ୍ୟାମ୍ପ୍‌ସେଟ୍‌ ଷ୍ଟଲ୍‌ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ଡ୍ରଇ˚ ରୁମ୍‌ ଓ ବେଡ୍‌ ରୁମ୍‌ରେ ଏପରି ଭିନ୍ନ ଢଙ୍ଗର ଲ୍ୟାମ୍ପ ସେଟ୍‌ ଲଗାଇବା ପାଇଁ ରାଜଧାନୀବାସୀ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। ଫାଇବର‌୍‌, ବାନାନା ଫାଇବର‌୍‌, ସୂତା, ଟେରାକୋଟାରେ ଟେରାକୋଟା ଗ୍ଲେଜ୍‌ ଦିଆଯାଇଥିବା ଲ୍ୟାମ୍ପ ସେଟ୍‌, ଫେବ୍ରିକ୍‌ରେ ସ୍କ୍ରିନ୍‌ ପ୍ରିଣ୍ଟ୍‌, ରଙ୍ଗବେରଙ୍ଗ ପେପର‌୍‌ରେ ତିଆରି ଲ୍ୟାମ୍ପ ସେଟ୍‌ ଏହି ଷ୍ଟଲ୍‌ରେ ମିଳୁଛି। ଏଗୁଡ଼ିକ ଖାଲି ବେଡ୍‌ ରୁମ୍‌ କି ଡ୍ରଇ˚ ରୁମ୍‌ରେ ଲଗାଯାଇପାରିବ ତାହା ନୁହେଁ, ଘରସଜ୍ଜା, ଦୀପାବଳି, ବିଭିନ୍ନ ପାର୍ଟିର ସାଜସଜ୍ଜାରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏଠାରେ ପ୍ରାୟ ୧୫୦ ପ୍ରକାରର ଲାଇଟ୍‌ ଲ୍ୟାମ୍ପ ଥିବା ବେଳେ ଏଗୁଡ଼ିକ ଦେଢ଼ଶହ ଟଙ୍କାରୁ ଆରମ୍ଭ କରି ୧୦୦୦ଟଙ୍କା ପର୍ଯ୍ୟନ୍ତ ଦାମ୍‌ ରହିଛି ବୋଲି ଷ୍ଟଲ୍‌ ମାଲିକ ରାଘବନ୍‌ କହିଛନ୍ତି। ସେହିପରି ପଣ୍ତିଚେରିର ଅନ୍ୟ ଏକ ଷ୍ଟଲ୍‌ରେ ରହିଛି ବର୍ଜ୍ୟବସ୍ତୁରୁ ତିଆରି ଵାଲ୍‌ ହ୍ୟାଙ୍ଗିଙ୍ଗ୍‌, ପେନ୍‌ ଷ୍ଟାଣ୍ତ, ଅଳଙ୍କାର ବାକ୍ସ, ଫୁଲଦାନି, ମହମବତି, ଫ୍ରୁଟ୍‌ବେସ୍‌ ଆଦି ଭିନ୍ନ ଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ସମ୍ଭାର। ଆଜି ଯାଏ ପ୍ରାୟ ୭୫ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ଦୋକାନୀ ଏସ୍‌. ଗଣପତି କହିଛନ୍ତି।

ସମ୍ବନ୍ଧିତ ଖବର