ସ୍ମାର୍ଟ ହେବ ଭୁବନେଶ୍ୱର ଷ୍ଟେସନ୍‌

ଖର୍ଚ୍ଚ ହେବ ୧୩୦ କୋଟି, ପ୍ଲାଟ୍‌ଫର୍ମ ସଂଖ୍ୟା ବଢ଼ିବ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନର ରୂପ ବଦଳିବ। ସମ୍ପୂର୍ଣ୍ଣ ଷ୍ଟେସନର ଆଧୁନିକୀକରଣ କରାଯିବ। ଏଥିପାଇଁ ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ରେଳ ବିଭାଗ ୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ବାକି ୬୦ କୋଟି ରାଜ୍ୟ ସରକାର ବହନ କରିବେ। ଏନେଇ ଖୁବ୍‌ଶୀଘ୍ର ରାଜିନାମା କରାଯିବ। ରେଳ ଷ୍ଟେସନ୍‌ରେ ବହୁତଳ ପ୍ରାସାଦ ନିର୍ମାଣ ହେବ। ସେଠାରେ ପାର୍କିଂ ସୁବିଧା ରହିବ। ସପିଂ ମଲ୍‌ ମଧ୍ୟ କରାଯିବ। ଗୋଟିଏ ସ୍ଥାନରେ ରେଳଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବା ସହ ଏହାକୁ ବିଶ୍ୱସ୍ତରୀୟ ରେଳଷ୍ଟେସନରେ ପରିଣତ କରିବାକୁ ଯୋଜନା ପ୍ରସ୍ତୁତ କରିଛି ପୂର୍ବତଟ ରେଳପଥ।

ରେଳଷ୍ଟେସନର ସମ୍ପ୍ରସାରଣ କରାଯିବ। ଏବେ ୬ଟି ପ୍ଲାଟ୍‌ଫର୍ମ ରହିଛି। ଏଥିରେ ଆଉ ଏକ ପ୍ଲାଟ୍‌ଫର୍ମ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ରେଳଷ୍ଟେସନର ଏକ ନମ୍ବର ପ୍ଲାଟ୍‌ଫର୍ମକୁ ଭଙ୍ଗାଯାଇ ତାହା ନିକଟରେ ନୂଆ ପ୍ଲାଟ୍‌ଫର୍ମ ନିର୍ମାଣ ହେବ। ଫଳରେ ପ୍ଲାଟ୍‌ଫର୍ମ ସଂଖ୍ୟା ୭କୁ ବୃଦ୍ଧି ପାଇବ। ଷ୍ଟେସନ୍‌ରେ ଦୁଇଟି ରେଳ ଧାରଣା କରାଯିବ। ଏହାଦ୍ୱାରା ଅଧିକ ସଂଖ୍ୟାରେ ଟ୍ରେନ୍‌ ରହିପାରିବ। ଯାତ୍ରୀଙ୍କ ଆଗମନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଓଡ଼ିଶାର ପ୍ରଥମ ଓ୍ଵାଇଫାଇ ଷ୍ଟେସନରେ ପରିଣତ ହୋଇଥିବା ଭୁବନେଶ୍ୱର ଷ୍ଟେସନ ବ୍ୟତୀତ ପୂର୍ବର୍ତଟ ରେଳପଥ ଅଧୀନରେ ୫୯ଟି ଷ୍ଟେସନରେ ଓ୍ଵାଇଫାଇ ବ୍ୟବସ୍ଥା ହୋଇଛି। ପୁରୀ ଷ୍ଟେସନରେ ବ୍ୟାଟେରି କାର ସମେତ ଭୁବନେଶ୍ୱର, ଖୋର୍ଧାରୋଡ୍‌, ବିଶାଖାପାଟଣା ଓ ସମ୍ବଲପୁର ରେଳ ଷ୍ଟେସନରେ ଅଟୋମେଟିକ୍‌ ସାନିଟାରି ନାପ୍‌କିନ୍‌ ଭେଣ୍ଡିଂ ମେସିନ୍‌ ଲଗାଯାଇଛି। ଭୁବନେଶ୍ୱର ଷ୍ଟେସନରେ ଦିବ୍ୟାଙ୍ଗଙ୍କ ପାଇଁ ଦୁଇ ପାର୍ଶ୍ୱରେ ଲିଫ୍ଟର ବ୍ୟବସ୍ଥା ହୋଇଛି। ଷ୍ଟେସନ୍‌ ଭିତରକୁ ପ୍ରବେଶ ଲାଗି ଦିବ୍ୟାଙ୍ଗକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ପୁରୀରୁ ଯାତାୟାତ କରୁଥିବା ସମସ୍ତ ଟ୍ରେନ୍‌ଗୁଡ଼ିକରେ ବାୟୋଟଏଲେଟ୍‌ ବ୍ୟବସ୍ଥା କରାଯିବ। ରଥଯାତ୍ରା ପୂର୍ବରୁ ଏହା କାର୍ଯ୍ୟକ୍ଷମ ହେବ। ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଏହି ଯୋଜନାରେ ଖୋଲାରେ ମଳତ୍ୟାଗ କରୁଥିବା ଟ୍ରେନଗୁଡିକରେ ଖୁବ୍‌ଶୀଘ୍ର ବାୟୋଟଏଲେଟ୍‌ ଲାଗିବ।

ଖୋର୍ଧାରେ ‘ମେମୁ ସେଡ୍‌’
‘ମେମୁ’ ଟ୍ରେନ୍‌ ଏବେ ବ୍ରହ୍ମପୁରରୁ ଭଦ୍ରକ ପ୍ରତିଦିନ ୨ରୁ ୩ ଥର ଚାଲିବ। ଆବଶ୍ୟକତା ଓ ଯାତ୍ରୀଙ୍କ ଚାହିଦାକୁ ଲକ୍ଷ୍ୟ କରି ଭବିଷ୍ୟତରେ ଅନ୍ୟ ରୁଟ୍‌ରେ ମଧ୍ୟ ‘ମେମୁ’ ଟ୍ରେନ୍‌ ଚାଲିବ। ଏହି ଟ୍ରେନ୍‌ ପାଇଁ ଖୋର୍ଧାରେ ‘ମେମୁ ସେଡ୍‌’ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମେ’ ମାସ ଶେଷ ସୁଦ୍ଧା ଚଳାଚଳ ଆରମ୍ଭ କରିବ। ସେହିପରି ଖୋର୍ଧାରୋଡ୍‌ ରେଳ ଡିଭିଜନ୍‌କୁ ସମ୍ପୂର୍ଣ୍ଣ ମାନବ ବିହୀନ ଲେଭେଲ୍‌ କ୍ରସିଂମୁକ୍ତ କରାଯାଇଥିବା ବେଳେ ଜୁଲାଇ ସୁଦ୍ଧା ୱାଲଟିୟର୍‌ ଓ ସମ୍ବଲପୁର ଡିଭିଜନ୍‌ରୁ ମଧ୍ୟ ମାନବ ବିହୀନ ଲେଭେଲ୍‌ କ୍ରସିଂ ଉଚ୍ଛେଦ କରାଯିବ ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଉମେଶ ସିଂ କହିଛନ୍ତି।

ରଥଯାତ୍ରା ପୂର୍ବରୁ ତୃତୀୟ ଫୁଟ୍‌ ଓଭରବ୍ରିଜ୍‌
ଆସନ୍ତା ରଥଯାତ୍ରା ପୂର୍ବରୁ ଭୁବନେଶ୍ୱର ରେଳଷ୍ଟେସନର ତୃତୀୟ ଫୁଟ୍‌ ଓଭର ବ୍ରିଜ୍‌ କାର୍ଯ୍ୟକ୍ଷମ ହେବ। ଜୁନ୍‌ ସୁଦ୍ଧା ୬ ମିଟରର ଫୁଟ୍‌ ଓଭର୍‌ ବ୍ରିଜ୍‌ ଉଦ୍‌ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ଗୋଟିଏ ପ୍ଲାଟ୍‌ଫର୍ମକୁ ଯିବା ଆସିବା କରିପାରିବେ। ଅସୁବିଧାରେ ପଡ଼ିବେ ନାହିଁ। ପୂର୍ବତନ ରେଳପଥ ଅଧୀନରେ ଥିବା କଟକ ଓ ବିଜୟନଗରମରେ ମଧ୍ୟ ୬ମିଟର ଓସାରର ଫୁଟ୍‌ ଓଭର୍‌ବ୍ରିଜ୍‌ ନିର୍ମାଣ ହେବ। ଅନ୍ୟ ସମସ୍ତ ଛୋଟ ଷ୍ଟେସନ୍‌ରେ ସର୍ବନିମ୍ନ ଗୋଟିଏ ଫୁଟ୍‌ ଓଭରବ୍ରିଜ୍‌ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର