ଅଭିଯୁକ୍ତଙ୍କୁ ଜେରା ପାଇଁ ସ୍ୱତନ୍ତ୍ର ସେଲ୍‌

କ୍ୟାପିଟାଲ ଥାନାରେ ହେଲା ଉଦ୍‌ଘାଟନ, କମିସନରେଟ୍‌ ପୁଲିସର ନୂଆ ଯୋଜନା...

ଭୁବନେଶ୍ୱର: ଏଣିକି ହାର୍ଡକୋର୍‌ ଅପରାଧୀଙ୍କୁ ଜେରା କରିବାକୁ କମିସନରେଟ ପୁଲିସ ମୁଖ୍ୟାଳୟ କିମ୍ବା ଡିସିପିଙ୍କ କାର୍ଯ୍ୟାଳୟକୁ ନେବାକୁ ପଡ଼ିବ ନାହିଁ। କମିସନରେଟ ପୁଲିସର ପ୍ରତ୍ୟେକ ଥାନାରେ ଅପରାଧୀମାନଙ୍କୁ ଜେରା କରିବାକୁ ନିର୍ମାଣ ହେବ ଏକ ସ୍ୱତନ୍ତ୍ର ସେଲ୍‌। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏହା ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଆଜି ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ ଏହାକୁ ଉଦ୍‌ଘାଟନ କରି ଏଭଳି ସୂଚନା ଦେଇଛନ୍ତି। ଏହି ଅତ୍ୟାଧୁନିକ ସେଲ ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି। ପୁଲିସ କମିସନର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସିବିଆଇ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାର ଯେଉଁଭଳି ସ୍ୱତନ୍ତ୍ର ସେଲ୍‌ ରହିଛି, ସେହି ସମାନ ଢାଞ୍ଚାରେ ଏହି ସେଲ ଗଠନ କରାଯାଇଛି। ସେଲଟି ସଂପୂର୍ଣ ଭାବେ କାଚ ଘର। ମଝିରେ ଏକ ଟେବୁଲ ରହିବ। ଅପରାଧୀଜଣକ ସମ୍ମୁଖ ଚୌକିରେ ବସିବେ। ତାଙ୍କ ସମ୍ମୁଖରେ ତଦନ୍ତକାରୀ ଅଫିସରଙ୍କ ଚୌକି। ତଦନ୍ତକାରୀ ଅଧିକାରୀ ତାଙ୍କୁ ଜେରା କରିବେ। ପୂର୍ବରୁ ଜେରା ବେଳେ ପୁଲିସ ପକ୍ଷରୁ କ୍ୟାମେରାରେ ଭିଡିଓ ରେକର୍ଡିଂ କରାଯାଉଥିଲା। ଏବେ କିନ୍ତୁ ଆଉ କେହି ଭିଡିଓ ରେକର୍ଡିଂ କରିବେ ନାହିଁ। କାରଣ ସେଲ୍‌ଟିରେ ସିିସିକ୍ୟାମେରା ଲାଗିଛି। ଜେରା ବେଳେ ଅଭିଯୁକ୍ତ ଦେଇଥିବା ତଥ୍ୟ( ଭିଡିଓ ଓ ଅଡିଓ)କୁ କୋର୍ଟରେ ପ୍ରମାଣ ହିସାବରେ ଉପସ୍ଥାପନ କରାଯିବ। ଅଭିଯୁକ୍ତଙ୍କ ପରିବାର ଲୋକ କିମ୍ବା ଆଇନଜୀବୀ ଚାହିଲେ, ଜେରା ସମୟରେ ଉପସ୍ଥିତ ରହି ଜେରାର ଦୃଶ୍ୟ ଦେଖିପାରିବେ। ଏଥିପାଇଁ କୋର୍ଟଙ୍କ ଅନୁମତି ଆଣିବାକୁ ପଡ଼ିବ। ଜେରା ବେଳେ ଅଭିଯୁକ୍ତଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅନେକ ସମୟରେ ପରିବାରଲୋକ ଅଭିଯୋଗ ଆଣୁଛନ୍ତି। ଏଭଳି ସେଲ୍‌ରେ ଜେରା କରାଯିବା ବେଳେ ପରିବାର ଲୋକ ଚାହିଲେ କୋର୍ଟର ଅନୁମତି ନେଇ ପରବର୍ତୀ ସମୟରେ ଜେରା ବେଳର ଭିଡିଓ ଦେଖିପାରିବେ। ଏହା ଛଡ଼ା ବିଭିନ୍ନ ସମୟରେ ଅଭିଯୁକ୍ତମାନେ ଜେରା ବେଳେ ପୁଲିସ ସମ୍ମୁଖରେ ସତ ମାନି ଯାଉଥିଲେ ମଧ୍ୟ କୋର୍ଟରେ ଅସ୍ୱୀକାର କରୁଥିଲେ। ଏଭଳି ସେଲରେ ଜେରା ହେବା ଦ୍ୱାରା ଆଉ କେହି ମିଛ କହିପାରିବେ ନାହିଁ। ଅଭିଯୁକ୍ତମାନଙ୍କୁ ହେଉଥିବା ଜେରା ବେଳର ଭିଡିଓ କମିସନରେଟ ପୁଲିସ ମୁଖ୍ୟାଳୟରେ ମହଜୁଦ ରଖାଯିବ ବୋଲି କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି। ବିଶେଷକରି ରିମାଣ୍ଡରେ ଆସୁଥିବା ଅଭିଯୁକ୍ତମାନଙ୍କୁ ଏହି ସେଲ୍‌ରେ ଜେରା କରାଯିବ ବୋଲି ସୂଚନା ମିଳିଛି।

ଆଜି ଏହି ଉଦ୍‌ଘାଟନ ଉତ୍ସବରେ ଡିସିପି ଅନୁପ ସାହୁ, ଏସିପି ଅସୀମ ପଣ୍ଡା, କ୍ୟାପିଟାଲ ଥାନା ଇନ୍ସପେକ୍ଟର ତଥା ଏସିପି ମାନସ ଗଡ଼ନାୟକଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ କ୍ୟାପିଟାଲ ଥାନାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର