ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଫେରିଗଲେ ଶତାଧିକ ଭିନ୍ନକ୍ଷମ, କର୍ମଚାରୀଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷପାତିତା ବିରୋଧରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ କର୍ମଚାରୀ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବା ଓଏସ୍‌ଏସ୍‌ଇପିଡି ଅଧୀନରେ ଥିବା ଏହି ପ୍ରତିଷ୍ଠାନର କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଅପରପକ୍ଷରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହେବାରୁ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀମାନେ କହିଛନ୍ତି।ପ୍ରତିଦିନ ଭଳି ଆଜି ମଧ୍ୟ ଭିନ୍ନକ୍ଷମମାନେ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିଲେ। ମାତ୍ର କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସେମାନଙ୍କୁ କୌଣସି ସେବା ମିଳି ନ ଥିଲା। ସେମାନେ ଓଏସ୍‌ଏସ୍‌ଇପିଡିର ସଚିବଙ୍କୁ ସାକ୍ଷାତ କରିଥିଲେ। ସଚିବ ଆନ୍ଦୋଳନରତ କର୍ମଚାରୀଙ୍କୁ ଡକାଇ ଆଲୋଚନା କରିଥିଲେ। ମାତ୍ର ଏଥିରେ କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଭିନ୍ନକ୍ଷମମାନେ ବାଧ୍ୟ ହୋଇ ଫେରି ଯାଇଥିଲେ। କର୍ମଚାରୀଙ୍କ ସୂଚନା ଅନୁଯାୟୀ, ୨୦୧୬ ଡିସେମ୍ବର ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ ଓ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏଥିରେ କର୍ମଚାରୀଙ୍କୁ ସ୍ଥାୟୀ କରିବା, କ୍ୟାଡର ରୁଲ୍‌ ଗଠନ ଓ ଅନ୍ୟାନ୍ୟ ଦାବି ଉପରେ ଆଲୋଚନା ହୋଇଥିଲା। ତେବେ ରାଜ୍ୟ ସରକାର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କର୍ମଚାରୀଙ୍କୁ ସମସ୍ତ ସୁବିଧା ପ୍ରଦାନ କରିଥିବା ବେଳେ ଭିନ୍ନକ୍ଷମ ପୁନର୍ବାସ ପ୍ରତିଷ୍ଠାନ କର୍ମଚାରୀଙ୍କୁ ଅଣଦେଖା କରିଥିଲେ। ଏ ସଂପର୍କରେ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। ତେଣୁ ବାଧ୍ୟହୋଇ ପ୍ରତିଷ୍ଠାନରେ କାର୍ଯ୍ୟରତ ୨୪ଜଣ କର୍ମଚାରୀ କାର୍ଯ୍ୟବନ୍ଦ ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର