କିଛି ଋତୁ ମରିଗଲାଣି

ଖଣ୍ଡଗିରିରେ ଗ୍ରୀଷ୍ମ ଉତ୍ସବ ଉଦ୍‌ଘାଟିତ

ଖଣ୍ଡଗିରି: କିଛି ଋତୁ ମରିଗଲେଣି। ଜଳବାୟୁର ପରିବର୍ତ୍ତନ ପାଇଁ ଆଉ ଆଗ ଭଳି ସମସ୍ତ ୬ ଋତୁକୁ ଅନୁଭବ କରି ହେଉନାହିଁ। ଗ୍ରୀଷ୍ମ, ବର୍ଷା ଓ ଶୀତକୁ ବାଦ୍‌ ଦେଲେ ଅନ୍ୟ ୩ଟି ଋତୁର ଆପାତତଃ ମୃତ୍ୟୁ ହୋଇଛି ବୋଲି କୁହାଯାଇପାରେ। ତେବେ ରାଜଧାନୀରେ ଗ୍ରୀଷ୍ମ ଅବକାଶ ଏକ ନିଆରା ଅନୁଭବ। ସନ୍ଧ୍ୟାରେ ବହୁଥିବା ଦକ୍ଷିଣା ପବନର ମଜା ନିଆରା। ଆଜି ଖଣ୍ଡଗିରି ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଉଦ୍‌ଘାଟିତ ହୋଇଥିବା ୩ ଦିନିଆ ଗ୍ରୀଷ୍ମ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହା କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟା ବେଶ୍‌ ଉପଭୋଗ୍ୟ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଚରଣରେ ଓଡ଼ିଶା ଡ୍ୟାନ୍‌ସ ଏକାଡେମିର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ଯାତ୍ରା ‘ବାରମାସୀ’ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ପରେ ପରେ ଓଲିଉଡ୍‌ର ପ୍ରଖ୍ୟାତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ଟିମ୍‌ ସଂଗୀତ ପରିବେଷଣ କରିଥିଲା। ପ୍ରଦୀପ ପଲେଇଙ୍କ କଣ୍ଠରେ ଓଡ଼ିଆ ସଂଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତିଙ୍କ ଗୀତର ମିକ୍ସ ଦର୍ଶକମାନଙ୍କୁ ହଜେଇ ଦେଇଥିଲା। ‘ରଜା ଘର ଝିଅ ସଙ୍ଗେ କରିଥିଲି ଭାବ’ରୁ ଆରମ୍ଭ କରି ‘ଏ ମୋର ଲଚକମଣି’ ଓ ଶେଷରେ ଯାଯାବର ଚଳଚ୍ଚିତ୍ରର ସେହି ଅଭୁଲା ଗୀତ ‘ନିତି ଗଢ଼େ ନିତି ଭାଙ୍ଗେ’ ଗୀତ ଆଜିର ନିଦାଘସିକ୍ତ ସନ୍ଧ୍ୟାରେ ଦର୍ଶକମାନଙ୍କୁ ଶୀତଳ ସ୍ପର୍ଶରେ ଭିଜେଇ ଦେଇଥିଲା। ପରେ ପରେ ଇରା ମହାନ୍ତିଙ୍କ ‘ଧୀରେ ଧୀରେ ତୁ ଜୀବନରେ ମୋର’ ଓ ‘ରହିଛି ରହିବି ତୋରି ପାଇଁ’ ଭଳି ମଧୁର ଗୀତ ଦର୍ଶକମାନଙ୍କୁ ଭରପୂର୍‌ ଆନନ୍ଦ ଦେଇଥିଲା।

ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର୍‌ମାନେ ଅତିଥି ଭାବେ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରେ ସଂସ୍କୃତି ବିଭାଗ କମିସନର ମନୋରଂଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟାଖ୍ୟାନ କେନ୍ଦ୍ର ହେବ ଗାନ୍ଧୀ ସେଣ୍ଟର୍‌
ଆଜି ଗ୍ରୀଷ୍ମ ଉତ୍ସବ ଅବସରରେ ସଂସ୍କୃତି ମନ୍ତ୍ରୀ ଖଣ୍ଡଗିରି ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ରକୁ ଗାନ୍ଧୀ ସେଣ୍ଟର କରାଯିବ ବୋଲି ନିଜ ଅଭିଭାଷଣରେ କହିଥିଲେ। ଖଣ୍ଡଗିରି ଓ ଉଦୟଗିରିିର ଐତିହାସିକ ଚିତ୍ର ସହ ସମଗ୍ର ଓଡ଼ିଶାର ଗୌରବମୟ ଇତିହାସର ଗାଥା ସାଇତିବା ଓ କହିବା ପାଇଁ ନିର୍ମିତ ହୋଇଥିବା ଏହି କେନ୍ଦ୍ରରେ ଗାନ୍ଧୀଙ୍କ ଜୀବନୀ ମଧ୍ୟ ସ୍ଥାନ ପାଇବ। ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ବିବିଧ ଚିତ୍ର ଏହି କେନ୍ଦ୍ରକୁ ଅଧିକ ଲୋକାଭିମୁଖୀ କରିବ ବୋଲି ସେ ସୂଚନା ଦେଇଥିଲେ। ବିଶେଷକରି ଓଡ଼ିଆର ବରପୁତ୍ରମାନଙ୍କ ସହ ଗାନ୍ଧୀଙ୍କ ସମ୍ପର୍କର ଚିତ୍ର ଏଠାରେ ସ୍ଥାନିତ ହେବ ବୋଲି ସେ ସୂଚନା ଦେଇଥିଲେ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲିି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ।

ସମ୍ବନ୍ଧିତ ଖବର