ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣକୁ ନେଇ ଅସନ୍ତୋଷ : ଦାବି ପୂରଣ ନହେଲେ ରାସ୍ତାକୁ ଓହ୍ଲାଇବୁ

ଭୁବନେଶ୍ୱର : ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣକୁ ନେଇ ବିଏମ୍‌ସିର ୩୯ ନମ୍ବର ଓ୍ଵାର୍ଡରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଓ୍ଵାର୍ଡଟି ଅନୁସୂଚିତ ଜାତିବହୁଳ ହୋଇ ନଥିଲେ ହେଁ ଏହାକୁ ଏହି ବର୍ଗ ପାଇଁ ସଂରକ୍ଷିତ କରାଯାଇଛି। ଗୁରୁବାର ୟୁନିଟ୍‌-୮ସ୍ଥିତ ନୂଆସାହି ଆଞ୍ଚଳିକ ବିକାଶ କେନ୍ଦ୍ରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ମହାବୀର ସାମାଜିକ ସଂଗଠନ ପକ୍ଷରୁ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସଂଗଠନର ଯୁକ୍ତି ହେଲା, ୨୦୧୧ ମସିହା ପରଠାରୁ ଜନଗଣନା ହୋଇନାହିଁ କିମ୍ବା ୱାର୍ଡ ସଂଖ୍ୟା ବଢ଼ି ନାହିଁ। କିନ୍ତୁ କିପରି ଭାବେ ନଗର ଉନ୍ନୟନ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମ ଆସନ୍ତାବର୍ଷ ହେବାକୁ ଥିବା ବିଏମ୍‌ସି ନିର୍ବାଚନ ପାଇଁ ୱାର୍ଡ ପୁନର୍ଗଠନ କରିବା ସହ ଆସନ ସଂରକ୍ଷଣ କଲେ।

ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ କରି ଆସନ୍ତା ୩୦ ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବା ପାଇଁ ନିର୍ବାଚନ କମିସନର ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ମଧ୍ୟ ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ କରି ନଗର ଉନ୍ନୟନ ବିଭାଗକୁ ପଠାଇ ସାରିଛି। ନିୟମ ଅନୁଯାୟୀ ୩୦ ତାରିଖ ପୂର୍ବରୁ ନଗର ଉନ୍ନୟନ ବିଭାଗ ପ୍ରତ୍ୟେକ ୱାର୍ଡରୁ ଜନସାଧାରଣଙ୍କଠାରୁ ମତାମତ ଗ୍ରହଣ କରିବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କରାଯାଇନାହିଁ। ତେଣୁ ପୁରୁଣା ୱାର୍ଡ ନଂ ୩୯ର ସୀମା ନିର୍ଧାରଣ ଓ ଆସନ ସଂରକ୍ଷଣରେ ସଂଶୋଧନ କରା ନଗଲେ, ଆସନ୍ତା ୨୮ ତାରିଖରେ ସ୍ଥାନୀୟ ଯୁବ ସଂଗଠନ ପକ୍ଷରୁ କଲ୍ୟାଣ ମଣ୍ଡପ ରାସ୍ତା ଅବରୋଧ କରାଯିବ।

ତଥାପି ବି ପ୍ରଶାସନ ନ ଚେତିଲେ, ମେ’ ୧ ତାରିଖରେ ୱାର୍ଡ ନଂ ୩୯ ଅଧୀନରେ ଥିବା କସ୍ତୁରୀ ମହିଳା ସଂଗଠନ, ବାଲିତୋଟା ସାହି ଓନର୍ସ ଆସୋସିଏସନ୍‌, ନୂଆସାହି ବରିଷ୍ଠ ନାଗରିକ ସଂଘ, ଶାସ୍ତ୍ରୀ ନଗର ଉନ୍ନୟନ ପରିଷଦ, ନୂଆସାହି ମହାବୀର ସାମାଜିକ ସଂଗଠନ, ନୂଆସାହି ଆଞ୍ଚଳିକ ବିକାଶ କେନ୍ଦ୍ର, ଶାସ୍ତ୍ରୀନଗର ମହିଳା ସାମାଜିକ ଓ ସାଂସ୍କୃତିକ ପରିଷଦ ଓ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ତରଫରୁ ପାୱାର ହାଉସ୍‌ ଛକ, କଲ୍ୟାଣ ମଣ୍ଡପ ଛକ ଓ ଡିଏଭି ସ୍କୁଲ୍‌ ଛକକୁ ବନ୍ଦ କରାଯିବା ସହ ହାଇକୋର୍ଟର ଆଶ୍ରୟ ନିଆଯିବ। ସମାଜସେବୀ ତଥା ନୂଆସାହି ମହାବୀର ସାମାଜିକ ସଂଗଠନର ସଂପାଦକ ମିଲନ କୁମାର ପାଇକରାୟ ସାମ୍ବାଦିକ ସମ୍ମିଳନୀରେ ଏପରି ଚେତାବନୀ ଦେଇଥିଲେ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ବିଭୁ ପ୍ରସାଦ ସାହୁ, ସମାଜସେବୀ ସାଗର ବଳବନ୍ତରାୟ, କସ୍ତୁରୀ ମହିଳା ସଂଗଠନର ସଭାପତି କାନନ ବାଳା ମହାପାତ୍ର, ସମ୍ପାଦିକା ବନଜା ଦାଶ, ଶାସ୍ତ୍ରୀନଗର ମହିଳା ସାମାଜିକ ଓ ସାଂସ୍କୃତିକ ପରିଷଦର ସମ୍ପାଦିକା ରଜନୀରାଣୀ ରାଜହଂସ, କାର୍ଯ୍ୟକାରୀ ସଭାପତି ଉମା ପ୍ରହରାଜ, ବରିଷ୍ଠ ନାଗରିକ ରାହାସ ବିହାରୀ ପାଣି, ଶ୍ୟାମ ସୁନ୍ଦର ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର