ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ରେଜିଷ୍ଟ୍ରେସନ୍ କାଉଣ୍ଟର୍ରେ ଅବ୍ୟବସ୍ଥା ଲାଗି ରହିଛି। କେଉଁଦିନ ପ୍ରିଣ୍ଟ ପାଇଁ କାଗଜ ନାହିଁ ତ ଆଉ କେଉଁ ଦିନ ପ୍ରିଣ୍ଟର୍ କାଳି ସରି ଯାଉଛି। ଅନେକ ସମୟରେ ନେଟଓ୍ଵାର୍କର ସମସ୍ୟା ଯୋଗୁଁ ଲୋକମାନଙ୍କୁ ଠିକ୍ ସମୟରେ ଟିକେଟ୍ ମିଳିପାରୁ ନାହିଁ। ପରିସ୍ଥିତି ଏଭଳି ହେଉଛି ଲୋକମାନେ ସେଠାରେ ଗାଳିଗୁଲଜ କରିବାକୁ ପଛାଉ ନାହାନ୍ତି। ରେଜିଷ୍ଟ୍ରେସନ୍ କରୁଥିବା ସଂସ୍ଥା ହସ୍ପିଟାଲ କର୍ତୃପକ୍ଷଙ୍କୁ ମୁଣ୍ଡ ବିନ୍ଧାର କାରଣ ହେଲାଣି। ମାତ୍ର ଏହି ସଂସ୍ଥାକୁ ହଟାଇ ପାରୁନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରେଜିଷ୍ଟ୍ରେସନ୍ କରୁଥିବା ସଂସ୍ଥାର ବର୍ଷେ ହେଲା ଚୁକ୍ତି ଶେଷ ହୋଇଗଲାଣି। କିନ୍ତୁ ହସ୍ପିଟାଲ କର୍ତୃପକ୍ଷ ଏହାର ସମୟ ଅବଧି ବଢ଼ାଇ ଚାଲିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିସନ୍ ପକ୍ଷରୁ ହସ୍ପିଟାଲରେ ଇ-ସୁଶ୍ରୁତ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମାତ୍ର ଏ ନେଇ ଆଲୋଚନା ଆଗକୁ ବଢ଼ି ପାରିନାହିଁ। ତେଣୁ ରେଜିଷ୍ଟ୍ରେସନ୍ କରୁଥିବା ସଂସ୍ଥାକୁ ହଟାଇ ନୂଆ ଟେଣ୍ଡର କରିବା ପାଇଁ ଯୋଜନା କରିଥିଲେ ହେଁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ।
କ୍ୟାପିଟାଲ ହସ୍ପିଟାଲରେ ରୋଗୀସେବା ପାଇଁ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବା ପରେ କଟକସ୍ଥିତ ୟୁନିସେଫ୍ଟ ନାମକ ଏକ ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇଥିଲା। ୨୦୧୪ ମସିହା ଜୁଲାଇ ୨୧ତାରିଖରେ ୨ବର୍ଷ ପାଇଁ ଏହି ସଂସ୍ଥା ସହିତ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ପରେ ଅଗଷ୍ଟ ୫ତାରିଖଠାରୁ ଏହି ସଂସ୍ଥା କାର୍ଯ୍ୟ କରିବା ଆରମ୍ଭ କରିଥିଲା। କାଜୁଆଲ୍ଟି ଓ ଶିଶୁ ଓ୍ଵାର୍ଡରେ ୨୪ଘଣ୍ଟିଆ ଦାୟିତ୍ୱ ଦିଆଯାଇଥିଲା। ରୋଗୀଙ୍କ ନିକଟରୁ ଟିକେଟ ବାବଦ ଅର୍ଥର ୧.୯୯ଟଙ୍କା ସଂପୃକ୍ତ ସଂସ୍ଥାକୁ ଦିଆଯିବାକୁ ସ୍ଥିର ହୋଇଥିଲା। ଏବେ ଏହି ସଂସ୍ଥା ପକ୍ଷରୁ ଓପିଡି ବା ବହିର୍ବିଭାଗ ପାଇଁ ୪ଟି, ୟୁଜର କାଉଣ୍ଟର ପାଇଁ ୨ ଓ ଶିଶୁ ଓ୍ଵାର୍ଡରେ ୧ଟି କମ୍ପ୍ୟୁଟର ରହିଛି। କିନ୍ତୁ ଅଧିକାଂଶ ସମୟରେ ଏସବୁ କମ୍ପ୍ୟୁଟର ଖରାପ ରହୁଛି। କିମ୍ବା ପ୍ରିଣ୍ଟରର କ୍ୟାଟ୍ରିଜ୍ ସରିଯିବା ହେତୁ ଟିକେଟ୍ ପ୍ରିଣ୍ଟ ହୋଇପାରୁ ନାହିଁ।
ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ଏଭଳି ଅବ୍ୟବସ୍ଥା ରେଜିଷ୍ଟ୍ରେସନ୍ କାଉଣ୍ଟରରେ ଦେଖିବାକୁ ମିଳିଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ, ରୋଗୀଙ୍କୁ ପ୍ରିଣ୍ଟ ବଦଳରେ ହାତରେ ଲେଖି ଟିକେଟ୍ ଦିଆଯାଇଥିଲା। ରୋଗୀମାନେ ଏଥିପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ହସ୍ପିଟାଲ କର୍ତୃପକ୍ଷଙ୍କ ନିକଟରେ ଫେରାଦ ଦେଇଥିଲେ। ମାତ୍ର ହସ୍ପିଟାଲ କର୍ତୃପକ୍ଷ ଏହି ଘଟଣାରେ ଚୁପ୍ ରହିଥିଲେ।
ଜାତୀୟ ସ୍ୱାସ୍ଥ୍ୟ ମିସନ ପକ୍ଷରୁ ଏନ୍ଆଇସି ସହାୟତାରେ ଇ-ହସ୍ପିଟାଲ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହି ସମୟରେ ହସ୍ପିଟାଲ କର୍ତୃପକ୍ଷ ରେଜିଷ୍ଟ୍ରେସନ୍ କାଉଣ୍ଟର ପାଇଁ ଟେଣ୍ଡର କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ମାତ୍ର ଏନ୍ଏଚ୍ଏମ୍ ପକ୍ଷରୁ ଏହାକୁ ମନା କରାଯାଇଥିଲା। ପରବର୍ତୀ ସମୟରେ ସିଡାକ୍ ସହାୟତାରେ ଇ-ସୁଶ୍ରୁତ ସଫ୍ଟେଓ୍ଵୟାର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ତାହା ଆଗେଇ ପାରିନାହିଁ। ଏଭଳି ପରିସ୍ଥିତିରେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ରେଜିଷ୍ଟ୍ରେସନ୍ କାଉଣ୍ଟର ପାଇଁ ନୂତନ ଟେଣ୍ଡର କରିପାରୁ ନାହାନ୍ତି। ଯାହାଫଳରେ ପୂର୍ବଭଳି ଅବ୍ୟବସ୍ଥା ଲାଗି ରହିଛି।
କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ୟୁନିସଫ୍ଟ ସଂସ୍ଥାର ଚୁକ୍ତି ମିଆଦି ଶେଷ ହୋଇଥିଲେ ହେଁ ଏହାର ସମୟ ଅବଧିକୁ ବଢ଼ାଇ ଦିଆଯାଇଛି। ଯେହେତୁ ଏନ୍ଏଚ୍ଏମ୍ ପକ୍ଷରୁ ଇ-ସୁଶ୍ରୁତ ଜରିଆରେ ଟିକେଟ୍ ବ୍ୟବସ୍ଥା କରାଯିବ ସେଥିପାଇଁ ଟେଣ୍ଡର କରାଯାଇନାହିଁ ବୋଲି ଡା.ଦାସ ସୂଚନା ଦେଇଛନ୍ତି।