ଧଉଳିରେ ଅଟୋ ଚାଳକଙ୍କ ଦାଦାଗିରି, ପର୍ଯ୍ୟଟକ ହଟହଟା

ଟାକ୍ସିରେ ଫେରି ପାରୁନାହାନ୍ତି ପର୍ଯ୍ୟଟକ

ଧଉଳି: ଧଉଳି ଶାନ୍ତିସ୍ତୂପ ବୁଲିବାକୁ ଆସି ଟାକ୍ସିରେ ଫେରିବାକୁ ଚାହୁଥିବା ପର୍ଯ୍ୟଟକମାନଙ୍କୁ ଅଟୋ ଚାଳକମାନେ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଛି। ଅନ୍‌ଲାଇନ୍‌ରେ ବୁକିଂ ପାଇବା ପରେ ପର୍ଯ୍ୟଟକଙ୍କୁ ନେବାକୁ ଆସୁଥିବା ଓଲା ଓ ଉବର କାର୍‌କୁ ଅଟୋ ଚାଳକମାନେ ଶାନ୍ତସ୍ତୂପକୁ ଯିବାକୁ ଦେଉନାହାନ୍ତି। ଏ ସଂପର୍କରେ ଓଲା ଓ ଉବର୍‌ କାର୍‌ ଚାଳକମାନେ ବହୁବାର ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି। ଏଠା‌ରେ ‘ପର୍ଯ୍ୟଟନ ସେଲ ପୁଲିସ’ କାର୍ଯ୍ୟ କରୁଥିଲେ ମଧ୍ୟ ତାହା ପର୍ଯ୍ୟଟକଙ୍କୁ ସୁରକ୍ଷା ଦେଉନଥିବାରୁ ଅ‌ସନ୍ତୋଷ ବଢ଼ିବାରେ ଲାଗିଛି। ଗତକାଲି ଏମିତି ଏକ ଅଘଟଣ ଘଟିଛି। ଅପରାହ୍‌ଣରେ ଶାନ୍ତିସ୍ତୂପରୁ ପର୍ଯ୍ୟଟକ ନେଇ ଫେରିବାକୁ ଅନ୍‌ଲାଇନ୍‌ ବୁକିଂ ପାଇ ଆସିଥିବା ବରମୁଣ୍ଡାର ଜଣେ କାର ଚାଳକ ଆକ୍ରମଣର ଶିକାର ହୋଇଛନ୍ତି। ବଡ଼କଥା ହେଉଛି, ଯେଉଁ ଟାକ୍ସି ଯାତ୍ରୀ ନେଇ ଶାନ୍ତିସ୍ତୂପକୁ ଆସୁଛନ୍ତି, ଅଟୋ ଚାଳକମାନେ ସେମାନଙ୍କୁ ବିରୋଧ କରୁନାହାନ୍ତି। କିନ୍ତୁ ଏଠାରୁ ଫେରୁଥିବା ଯାତ୍ରୀଙ୍କୁ ନେବାକୁ ଆସୁଥିବା କାର୍‌ ଚାଳକ ଆକ୍ରମଣର ଶିକାର ହେଉଛନ୍ତି। ଟାକ୍ସି ଚାଳକ ବିରୋଧର ସମ୍ମୁଖୀନ ହେଉଥିବାରୁ ପର୍ଯ୍ୟଟକ ହଇରାଣ ହେଉଛନ୍ତି। ବେଳେବେଳେ ପର୍ଯ୍ୟଟକ ବସିଥିବା ଟାକ୍ସିରୁ ଓହ୍ଲାଇବାକୁ ପଡ଼ୁଛି। ଅନେକ ସମୟରେ ଟାକ୍ସିକୁ ପଇସା ଦେଇ ପର୍ଯ୍ୟଟକ ଅଟୋରେ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟା ଏବେ ଶାନ୍ତିସ୍ତୂପ ପ୍ରତି ପର୍ଯ୍ୟଟକଙ୍କୁ ବିମୁଖ କରାଉଛି।

ସମ୍ବନ୍ଧିତ ଖବର