ଭୁବନେଶ୍ୱର : ଚିଲିକାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଖୁସି ଖବର। ଏଣିକି ଚିଲିକାର ଅପରୂପ ଶୋଭା ସାଙ୍ଗକୁ ବରକୂଳଠାରେ ଓଡ଼ିଶା କଳା ଓ ଆଦିବାସୀ କଳାର ଅନୁଭୂତି ସାଉଁଟିପାରିବେ ଦେଶ, ବିଦେଶର ପର୍ଯ୍ୟଟକ। ଏଥିପାଇଁ ବରକୂଳ ପାନ୍ଥନିବାସଠାରୁ ମାତ୍ର ୨୦୦ ମିଟର ଦୂରରେ ପ୍ରତିଷ୍ଠା ହୋଇଛି କଳା ଓ ଆଦିବାସୀ କଳା ସଂଗ୍ରହାଳୟ। ୧୬ଟି ଗ୍ୟାଲେରି ଥିବା ଏହି ସଂଗ୍ରହାଳୟରେ ପର୍ଯ୍ୟଟକମାନେ ଓଡ଼ିଶାର କଳା, ଆଦିବାସୀ କଳା, ନୃତ୍ୟ, ସଙ୍ଗୀତର ମଜା ନେଇପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବରକୂଳଠାରେ ୫ଏକର ପରିମିତ ଜାଗାରେ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଛି। ଓଡିଆର୍ଟ ପକ୍ଷରୁ ନିର୍ମାଣ ହୋଇଥିବା ଏହି ସଂଗ୍ରହାଳୟ ଲାଗି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସହାୟତାର ହାତ ବଢ଼ାଇଛନ୍ତି। ଏଥିରେ ଓଡ଼ିଶାର ପାରମ୍ପରିକ କଳା ଯଥା-ମୁଖା, ପଟ୍ଟଚିତ୍ର, ମଞ୍ଜପା କାର୍ଡ, ଚିତ୍ରକଳା, ଚାନ୍ଦୁଆ ସମେତ ବିଭିନ୍ନ କଳାକୃତି ରହିଛି। ‘ପୂର୍ଭାସା’ ନାମକ ଏହି ସଂଗ୍ରହାଳୟ ବ୍ୟତୀତ ଥିଏଟର ଏବଂ ନୃତ୍ୟ ଲାଗି ‘ରଙ୍ଗମଞ୍ଚ’, ‘ପ୍ରଫୁଲ୍ଲ’ ନାମକ ଏକ ପାଠାଗାର ମଧ୍ୟ ଏହା ପରିସରରେ ରହିଛି। ଓଡିଆର୍ଟର ଡକ୍ୟୁମେଣ୍ଟେସନ ଓ ଗବେଷଣା କେନ୍ଦ୍ର, କଳା କେନ୍ଦ୍ର ‘କଳାକୃତି’, ଭିଜୁଆଲ ଏବଂ ପର୍ଫମିଂ ଆର୍ଟ ଲାଗି ‘ଗୁରୁକୁଳ’ ପ୍ରତିଷ୍ଠା ହୋଇଛି। ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ଲାଗି ଏହା ପରିସରରେ ‘ସନ୍ତୁଷ୍ଟି’ ନିର୍ମାଣ କରାଯାଇଛି। ଓଡିଆର୍ଟର ଅଧ୍ୟକ୍ଷ ସ୍ୱଦେଶ ସୁନ୍ଦର ପଟ୍ଟନାୟକଙ୍କ କହିବାନୁଯାୟୀ, ପର୍ଯ୍ୟଟକଙ୍କ ଲାଗି ଚିଲିକାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିଛି। ପକ୍ଷୀ ଦେଖିବା ସହ ବୋଟିଂର ମଜା, କାଳିଜାଇ ଦର୍ଶନ, ଷ୍ଟାର ହୋଟେଲରେ ରହିବାର ବ୍ୟବସ୍ଥା ଚିଲିକା କୂଳରେ ରହିଛି। ଫି’ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ ବୋଲି ସେ କହିଛନ୍ତି।
୧୦ରୁ ଫୋକ୍ କାର୍ନିଭାଲ
ଓଡିଆର୍ଟ ଡକ୍ୟୁମେଣ୍ଟେସନ ଓ ରିସର୍ଚ୍ଚ ସେଣ୍ଟରଠାରେ ଆସନ୍ତା ୧୦ ତାରିଖଠାରୁ ଚିଲିକା କୂଳରେ ଫୋକ୍ କାର୍ନିଭାଲ ଅନୁଷ୍ଠିତ ହେବ। କେନ୍ଦ୍ର ପେଟ୍ର୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ା ମନ୍ତ୍ରୀ ଆର.ଏସ୍. ରାଠୋର ୧୦ ତାରିଖ ପୂର୍ବାହ୍ନ ୧୦ଟାରେ ବରକୂଳଠାରେ ଏହାକୁ ଉଦ୍ଘାଟନ କରିବେ। ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ନିିଭାଲର ପ୍ରତିଦିନ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଓଡ଼ିଶା ତଥା ଓଡ଼ିଶା ବାହାରର ଲୋକ ସଙ୍ଗୀତ, ନୃତ୍ୟ ପରିବେଷିତ ହେବ।