ରାଜପଥରେ ଓଲଟିଲା ଟ୍ରକ୍‌

ପଡ଼ିରହିଲା ୧୪ ଘଣ୍ଟା, ଲୋକେ ହୀନସ୍ତା

ଭୁବନେଶ୍ୱର: ଭୁବନେଶ୍ବର-କଟକ ଜାତୀୟ ରାଜପଥର ପଳାଶୁଣି ଛକରେ ଆଜି ବଡ଼ି ଭୋର୍‌ରୁ ଏକ ମାଛ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଥିଲା। ଆନ୍ଧ୍ରରୁ କୋଲକାତା ଯାଉଥିବା ଏହି ଟ୍ରକ୍‌ ଓଭରବ୍ରିଜ୍‌ରୁ ଗଡ଼ିବା ପରେ ପରେ ଡିଭାଇଡର୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ଭୁବନେଶ୍ବରରୁ କଟକ ଯାଉଥିବା ବାମପାର୍ଶ୍ବ ରାସ୍ତା ବନ୍ଦ ହୋଇଯାଇଥିଲା। ଏହି ବ୍ୟସ୍ତବହୁଳ ରାସ୍ତା ସଂକୁଚିତ ହୋଇଯିବା ଫଳରେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ଟ୍ରକ୍‌ଟି ଦୀର୍ଘ ୧୪ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ପଡ଼ି ରହିଥିଲା। ସାଧାରଣ ଯାତ୍ରୀ ଏହି ସ୍ଥାନକୁ ଅତିକ୍ରମ କରିବାକୁ ଅଧଘଣ୍ଟାଏରୁ ଅଧିକ ସମୟ ଲାଗୁଥିବା ବେଳେ ଏକ ଆମ୍ବୁଲାନସ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିଥିଲା। ବଡ଼ କଥା ହେଉଛି, ଦୁର୍ଘଟଣା ରାତି ତିନିଟା ବେଳେ ହୋଇଥିଲେ ହେଁ ଏକ ବ୍ୟସ୍ତବହୁଳ ରାଜପଥ ଉପରେ ଏତେ ସମୟ ଧରି ଟ୍ରକ୍‌ ପଡ଼ି ରହିଲା। ପାଟ୍ରୋଲିଂ ଭ୍ୟାନ୍‌ ପହଞ୍ଚି କେବଳ ମାଛକୁ ଜଗି ରହିଲା। ସକାଳ ହେବା ପରେ ଅନ୍ୟ ଏକ ଟ୍ରକ୍‌ ଅଣାଯାଇ ସମସ୍ତ ମାଛକୁ ଅନ୍ୟ ଏକ ଟ୍ରକ୍‌କୁ ସ୍ଥାନାନ୍ତର କରାଗଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ ଖାଲି ହେବା ପରେ ମଧ୍ୟ ସେହିଠାରେ ପଡ଼ି ରହିଲା। ମାଛ ଖାଲି ହେବାର ଦୁଇ ଘଣ୍ଟା ପରେ ଦୁଇଟି କ୍ରେନ୍‌ ଆସିଲା। ସେତେବେଳକୁ ଏହି ଦୁର୍ଘଟଣାକୁ ୧୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲା। ସକାଳ ୯ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ ସମସ୍ୟା ହୋଇଥିବା ବେଳେ ଅପରାହ୍‌ଣ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅଚଳାବସ୍ଥା ଜାରି ରହିଥିଲା। ଗାଡ଼ି ଚଳାଚଳ ଡାହାଣ ପଟେ କରାଯାଇଥିଲା। ତେବେ କେବଳ ଟ୍ରାଫିକ୍‌ ଶୃଙ୍ଖଳିତ ଛଡ଼ା ଏଥିରେ ପୁଲିସ୍‌ର କିଛି କରିବାର ନଥିଲା ବୋଲି ପୁଲିସ କହିଛି। ଟ୍ରକ୍‌କୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉଠାଯିବା କଥା। ସେଥିପାଇଁ ଟ୍ରକ୍‌ ଏତେ ସମୟ ପଡ଼ିଥିବା ପୁଲିସ କହିଛି। ଅପରପକ୍ଷେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ପୁଲିସ ଛାଡ଼ିଦେଇଛି। ନମ୍ବରବିହୀନ ଦୁର୍ଘଟଣାଗ୍ରସ୍ତ ଏହି ଟ୍ରକ୍‌ର ଚାଳକ ଆହତ ହୋଇଥିଲେ। କିନ୍ତୁ ଏହାକୁ ଜବତ ନ କରି ଛାଡ଼ିଦେବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏହାକୁ ଛାଡ଼ିବା ପାଇଁ ମୋଟା ଅଙ୍କର ହାତଗୁଞ୍ଜା କାରବାର ହୋଇଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର