ଗାଁ କମିଟି ଉପସଭାପତିଙ୍କ ଘର ଜାଳିଦେଲେ

ବାଲିଅନ୍ତା  : ବାଲିଅନ୍ତା ଥାନା ଅଧୀନ ଗୋହୋଳ ଗ୍ରାମ କମିଟି ଉପ ସଭାପତି ପ୍ରଭାତ କୁମାର ଦାଶ (ଟୁନା)ଙ୍କ ବୈଠକି ଘରକୁ ୩ ଦୁର୍ବୃତ୍ତ ଜାଳି ଦେଇଛନ୍ତି। ଟୁନା ପଞ୍ଚାୟତଠାରୁ ନିଲାମ ନେଇଥିବା ପୋଖରୀରେ ମାଛ ଜଗାରଖା କରିବା ପାଇଁ ହୁଡ଼ାରେ ଏହି ଘର ନିର୍ମାଣ କରିଥିଲେ। ଏ ସଂପର୍କରେ ସେ ଆଜି ପାହାଳ ଫାଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଫାଣ୍ଡି ଅଧିକାରୀ କାଶିନାଥ ହାଂସଦା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେମାନଙ୍କ ଘରେ ଅତର୍କିତ ଚଢ଼ଉ କରିଥିଲେ ହେଁ ବିଫଳ ହୋଇଥିଲେ। ଅଭିଯୋଗ ମୁତାବକ, ଗତ ସୋମବାର ଉକ୍ତ ପୋଖରୀ ହୁଡ଼ାରେ ବସି ଜଗନ୍ନାଥପୁର ଗ୍ରାମର ଜଣେ ଯୁବକ ଓ ଗୋହୋଳ ଗ୍ରାମର ଅନ୍ୟ ଦୁଇଜଣ ମିଶି ବୋମା ଭିଡ଼ୁଥିଲେ। ଏହି ଘଟଣା ଦେଖି ଗ୍ରାମର ଜଣେ ଯୁବକ ଟୁନାଙ୍କୁ ଜଣାଇଥିଲେ। ଟୁନା ଏ ସଂପର୍କରେ ପାହାଳ ଫାଣ୍ଡିକୁ ଫୋନ କରି ଜଣାଇବାରୁ ପୁଲିସ ପହଞ୍ଚି ସେମାନଙ୍କ ପିଛା କରିଥିଲେ ମଧ୍ୟ ଧରିପାରି ନଥିଲା। ଘଟଣାର ଦିନକ ପରେ ଉତ୍ତ୍ୟକ୍ତ ଯୁବକମାନେ ରାଗ ସୁଝାଇବାକୁ ଯାଇ ଏଭଳି କାଣ୍ଡ ଭିଆଇଥିବା ଏତଲାରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର