‘ମଦ, ଟଙ୍କାରୁ ରାଜନୀତି ମୁକ୍ତ ହେଲେ ଆଦର୍ଶ ଯୁବନେତା ସୃଷ୍ଟି ସମ୍ଭବ’

ଭିଜନ୍‌ ଓଡ଼ିଶା-୨୦୨୫

ଭୁବନେଶ୍ୱର : ରାଜନୀତିକୁ ଆସୁଥିବା ଯୁବକଙ୍କ ପାଇଁ ବର୍ତମାନ ଆଦର୍ଶ ରାଜନୈତିକ ମାର୍ଗଦର୍ଶକ ପାଇବା କଷ୍ଟକର ହୋଇଛି। ରାଜନୀତିରେ ଯୁବ ନେତାଟିକୁ ଅନେକ ସଂଗ୍ରାମ କରିବାକୁ ପଡ଼ୁଛି। ପୂର୍ବରୁ କଲେଜ୍‌ସ୍ତରରେ ଛାତ୍ରଟିଏ ରାଜନୀତିରେ ପ୍ରବେଶ କଲେ ଉତ୍ସାହ ମିଳୁ ନଥିଲା। ହେଲେ ଏବେ ମାନସିକତା ପରିବର୍ତନ ହୋଇଛି। ରାଜନୀତିରେ ଯୁବକମାନଙ୍କର ଭିଡ଼ ଜମିଛି। କିନ୍ତୁ ଅର୍ଥ ବଳ ଓ ବାହୁବଳରେ ରାଜନୀତି କଳୁଷିତ ହୋଇପଡ଼ିଛି। ଆଦର୍ଶ ଯୁବ ନେତାଟିଏ ସୃଷ୍ଟି ହେବାରେ ମଦ ଓ ଟଙ୍କା ବାଧକ ସାଜୁଛି। ଏଥିରୁ ମୁକ୍ତ ହେଲେ ଜଣେ ଆଦର୍ଶ ଯୁବନେତା ସୃଷ୍ଟି ସମ୍ଭବ ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେଣ୍ଟର୍‌ ଫର ଏମ୍ପାଓ୍ଵାରମେଣ୍ଟ ଷ୍ଟଡିଜ୍‌ ପକ୍ଷରୁ ନୂଆପଲ୍ଲୀସ୍ଥିତ ହୋଟେଲ ପ୍ରେସିଡେନ୍‌ସିରେ ଅନୁଷ୍ଠିତ ‘ଭିଜନ ଓଡ଼ିଶା-୨୦୨୫’ର ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେ ଏହା ପ୍ରକାଶ କରିବା ସହ ଓଡ଼ିଶା ନିଶାରୁ ମୁକ୍ତି ପାଇଲେ ଏକ ଆଦର୍ଶ ରାଜ୍ୟ ହୋଇ ପାରିବ ବୋଲି କହିଛନ୍ତି।

ଭୋଟର୍‌ ଫମ୍ପା ପ୍ରତିଶ୍ରୁତି ନୁହେଁ, ବରଂ ଉତ୍ତମ ଶାସନ ଚାହାନ୍ତି। ବିକାଶ ପାଇଁ ରାଜନୈତିକ ସ୍ଥିରତା ଲୋଡ଼ା ନୁହେଁ, ବରଂ ବିକଳ୍ପହୀନତା ରାଜ୍ୟ ଶାସକ ଦଳକୁ ରାଜନୈତିକ ସ୍ଥିରତା ଆଣିବାରେ ସାହାଯ୍ୟ କରୁଛି। ଏଣୁ ବିକାଶ ବଳି ପଡ଼ିଛି ବୋଲି ପୂର୍ବାହ୍ନରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ଯୁବ ନେତା, ଅବସରପ୍ରାପ୍ତ ପ୍ରଶାସକ, ସାମାଜିକ କର୍ମକର୍ତା, ଅର୍ଥନୀତିଜ୍ଞ, ସାଂସ୍କୃତିକ ଓ ଧର୍ମୀୟ ନେତା ଭାଗ ନେଇ ୨୦୨୫ରେ ଏକ ବିକଶିତ ଓଡ଼ିଶା ଦେଖିବା ପାଇଁ କ’ଣ ଆବଶ୍ୟକତା ରହିଛି ତାହା ଉପରେ ଆଲୋକପାତ କରିଛନ୍ତି। ସଂସ୍ଥାର ଉପଦେଷ୍ଟା ତଥା ଭିଜନ୍‌ ଓଡ଼ିଶା-୨୦୨୫ର ଆବାହକ ମନୋଜ ଜେନା କହିଛନ୍ତି, ଲୋକଙ୍କ ଆସ୍ଥା ଭାଜନ ହୋଇ ନ ପାରି ୨୦୦୦ ମସିହାରେ କଂଗ୍ରେସ କ୍ଷମତାରୁ ହଟିଥିଲା। ଏହା ପରେ ରାଜନୈତିକ ସ୍ଥିରତା ପାଇଁ ବିଜେଡି ଦୀର୍ଘ ସମୟ ଧରି ଶାସନରେ ରହିଛି। ବିକଳ୍ପ ଅଭାବରୁ ରାଜନୈତିକ ସ୍ଥିରତା ରହିଛି। ସଂସ୍ଥାର ପ୍ରତିଷ୍ଠାତା ନିର୍ଦେଶକ ସଂଜୀବ ସିଂହ କହିଛନ୍ତି, ୨୦୧୫ ସୁଦ୍ଧା ପ୍ରତ୍ୟେକ ଘରେ ବିଜୁଳି ପହଞ୍ଚାଇବା ମୁଖ୍ୟ ପ୍ରସଙ୍ଗ ହେବ। ଏହାକୁ ଯିଏ ନିଶ୍ଚିତ କରିପାରିବ ସେ ଭୋଟର୍‌ଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ହୋଇ ପାରିବ। ଏକ ଘରୋଇ ସଂସ୍ଥା ଦ୍ୱାରା ହୋଇଥିବା ସର୍ବେକ୍ଷଣ ମୁତାବକ ବିଭିନ୍ନ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ୨୭ ନମ୍ବରରେ ରହିଛି। ବିକାଶରେ ପଛୁଆ ରହିଛି। ୨୦୨୫ ସୁଦ୍ଧା ରାଜ୍ୟକୁ ବିକଶିତ କରିବାକୁ ହେଲେ ସୁ-ଶାସନ ସହ ସ୍ୱଚ୍ଛ ରାଜନୀତି ମଧ୍ୟ ଆବଶ୍ୟକ ରହିଛି। ସରକାର ବିଭିନ୍ନ ଯୋଜନାରେ ପ୍ରଶିକ୍ଷଣ ଦେଇ କୁଶଳୀ ଶ୍ରମିକ ତିଆରି କରୁଛନ୍ତି। ହେଲେ ଭିତ୍ତିଭୂମି ଅଭାବରୁ ସେମାନେ ରାଜ୍ୟ ଛାଡ଼ି ବାହାରକୁ ଯାଉଛନ୍ତି। ଏଣୁ ଶାସନ ସହ ନେତା ଓ ଜନସାଧାରଣ ଏକତ୍ର ଚାଲିଲେ ଏକ ବିକଶିତ ରାଜ୍ୟ ସମ୍ଭବ ବୋଲି ସେମାନେ କହିଛନ୍ତି। ସନ୍ଧ୍ୟାରେ ଉଦ୍‌ଯାପନୀ ସମୟରେ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ସହ ତେଜେଶ୍ୱର ପରିଡ଼ା ଯୋଗଦେଇଥିଲେ। ଯୁବନେତା ଲକ୍ଷ୍ମୀକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର