ବନ୍ୟା ପାଇଁ ଷଡ଼ଯନ୍ତ୍ର!

ବର୍ଷା ଜଳ ତୁରନ୍ତ ନିଷ୍କାସନ ପାଇଁ ଯୋଜନା ନାହିଁ

ଭୁବନେଶ୍ୱର: ଅସରାଏ ବଡ଼ ବର୍ଷା ହେଲେ, ରାଜଧାନୀବାସୀଙ୍କ ଜୀବନ ଦୁର୍ବିସହ ହୋଇଯାଉଛି। ଅଧ ଘଣ୍ଟା ୪୦ରୁ ୫୦ ମିଲିମିଟର ବର୍ଷା ହେଲେ ଅଧା ରାଜଧାନୀ ପାଣି ଘେରରେ ରହୁଛି। ତେଣୁ ବର୍ଷା ପରେ ସହର ଭିତରେ ଯେପରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ନ ହେବ, ଲୋକ ଜଳବନ୍ଦୀ ନ ହେବେ, ସେଥିପାଇଁ ନ୍ୟାସନାଲ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନ୍‌ଡିଏମ୍‌ଏ)ଙ୍କ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି। ଏହି ଗାଇଡଲାଇନ୍‌ ତୁରନ୍ତ ମାନିବାକୁ ରାଜ୍ୟ ସରକାରଙ୍କୁ ଗତ ଦୁଇ ବର୍ଷ ହେଲା ନିର୍ଦ୍ଦେଶନାମା ଜାରି ହୋଇଛି। ଏପରିକି ରାଜଧାନୀରେ ଏହି ଗାଇଡଲାଇନ୍‌ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏନେଇ ଗୋଟିଏ ବି ଯୋଜନା ଆରମ୍ଭ ହୋଇପାରିଲାନି। ସତେ ଯେମିତି ରାଜଧାନୀବାସୀଙ୍କୁ ଜଳବନ୍ଦୀ କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଯୋଜନା କରି ବସିଛନ୍ତି। ଲୋକ ହନ୍ତସନ୍ତ ହେଲେ ଆଶ୍ୱାସନା ଦେବାକୁ ଅଧିକାରୀ ଓ ନେତାମାନେ ସୁଯୋଗକୁ ଅପେକ୍ଷା କରିଛନ୍ତି। ନିଜ ସହରାଞ୍ଚଳରେ ବନ୍ୟା କାହିଁକି ହେଉଛି, ଏହାର ନିରାକରଣ କିପରି ହେବା ଦରକାର, ସେନେଇ ମହାନଗର ନିଗମ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ବର୍ଷା ହେଲେ ଯେପରି ସହରବାସୀ କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ, ଧନଜୀବନ କ୍ଷୟକ୍ଷତି ନ ହେବ, ସେଥିପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ଉତ୍ତରଦାୟୀ ହେବେ। ଏପରିକି ସହରାଞ୍ଚଳ ବନ୍ୟା ମୁକାବିଲା କରିବା ପୌରସଂସ୍ଥା କର୍ତ୍ତୃପକ୍ଷଙ୍କ ମୁଖ୍ୟ ଦାୟିତ୍ୱ ହେବ ବୋଲି ଏନ୍‌ଡିଏମ୍‌ଏ ପକ୍ଷରୁ କୁହାଯାଇଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ନିଜ ଇଚ୍ଛାରେ ଯୋଜନା କରୁଥିବାରୁ କୃତ୍ରିମ ବନ୍ୟା ମୁକାବିଲା ପାଇଁ ସେଭଳି କିଛି ଯୋଜନା ବି ପ୍ରସ୍ତୁତ ହେଉନି। ସ୍ଥାୟୀ ସମାଧାନ କରିଦେଲେ ଜରୁରୀକାଳୀନ ଖର୍ଚ୍ଚ ଦେଖାଇ ବାଟମାରଣା କରିହେବନି ବୋଲି ଏହି ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କରିବାକୁ ଯୋଜନା ବି ହେଉନି। ଏନ୍‌ଡିଏମ୍‌ଏ ଗାଇଡଲାଇନ୍‌ ନେଇ ବିଏମ୍‌ସି କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ନେଇଛନ୍ତି, ସେନେଇ ଏବେ ନଗର ଉନ୍ନୟନ ବିଭାଗ ଜବାବ ମାଗିଛି।

ଦୁଇ ବର୍ଷ ପରେ ବି ଏନଡିଏମ୍‌ଏ ନିୟମାବଳୀ ଲାଗୁ ହେଲାନି

ତିନି ଥାକିଆ ରୋଡମ୍ୟାପ୍‌ ପ୍ରସ୍ତୁତ ହେବାର ଥିଲା

ସାଧରଣତଃ ଡ୍ରେନ୍‌ ସମସ୍ୟା, କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି, ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ତ୍ରୁଟି, କେତେ ବର୍ଷା ହେଲେ ସହରାଞ୍ଚଳରେ ବନ୍ୟା ହେବ ଏବଂ ଏହାର ପ୍ରତିକାର ନେଇ ଉପାୟ ସ୍ଥିର ନ କରିବା, ଜବରଦଖଲ ସମସ୍ୟା ଯୋଗୁଁ ସହରାଞ୍ଚଳରେ ବନ୍ୟା ହେଉଥିବା ଏନଡିଏମ୍‌ଏ ପକ୍ଷରୁ କୁହାଯାଇଛି। ଏହାର ଉଦାହରଣ ହେଲା, ୨୦୧୩ରେ ଉତ୍ତରାଖଣ୍ଡରେ ବନ୍ୟା, ୨୦୧୪ରେ ଜମ୍ମୁ ଓ କଶ୍ମୀରରେ ବନ୍ୟା ଏବଂ ୨୦୧୫ରେ ଚେନ୍ନାଇରେ ବନ୍ୟା। ତେଣୁ ସହରାଞ୍ଚଳରେ ବନ୍ୟା ହେବା ପୂର୍ବରୁ ଏହାର କିପରି ମୁକାବିଲା କରାଯିବ, ସେଥିପାଇଁ ପ୍ରତ୍ୟେକ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ ତିନିଟି ପର୍ଯ୍ୟାୟରେ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏଥିରେ ୨୦୧୬-୨୦୨୦ ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ, ୨୦୨୦-୨୦୨୫ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଏବଂ ୨୦୨୫-୨୦୩୦ ପର୍ଯ୍ୟନ୍ତ ଦୀର୍ଘକାଳୀନ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ନାହିରେ ତେଲ ପକାଇ ଶୋଇଛନ୍ତି। ବିଏମ୍‌ସିର ବିପର୍ଯ୍ୟୟ ପରିଚାଳନା ବିଭାଗ ବି ଏନଡିଏମ୍‌ଏ ଗାଇଡଲାଇନ୍‌ ନେଇ ପୂରା ଅଜ୍ଞ। ଏତିକି ନୁହେଁ ଡ୍ରେନେଜ୍‌ ଡିଭିଜନ ବି ଏମିତି କିଛି ଅଛି ବୋଲି ଜାଣିନି। ବରଂ ଡ୍ରେନେଜ୍‌ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାଗର ଦୁରିଆଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆମେ ଡ୍ରେନ୍‌ କରୁଛୁ। ହେଲେ କେତେ ଡ୍ରେନ୍‌ ନିର୍ମାଣ କରିଛନ୍ତି ତା’ର ହିସାବ ନାହିଁ। ଏପରିକି ରାଜଧାନୀରେ କୃତ୍ରିମ ବନ୍ୟା ହେଲେ ବିଏମ୍‌ସି କେବଳ ହାତରେ ହାତ ବାନ୍ଧି ବସିବା ବ୍ୟତୀତ ଅନ୍ୟ କିଛି ଯୋଜନା ହିଁ ନାହିଁ। ରାଜଧାନୀବାସୀଙ୍କଠାରୁ ଟିକସ ଆଦାୟ କରିବା ପାଇଁ ବିଏମ୍‌ସି ଜରିମାନା, ଜେଲ୍‌ ଦଣ୍ଡ, ସର୍ବସାଧାରଣରେ ଅପମାନ କରିବାକୁ ବିଭିନ୍ନ ପ୍ରକାରର ଯୋଜନା ଆପଣାଉଥିବା ବେଳେ ମୌଳିକ ସେବା ଯୋଗାଇବାରେ କାହିଁକି ପଛାଉଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି।

ବିଏମ୍‌ସି ପାଖରେ ରହୁନି ବର୍ଷା ସୂଚନା
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମହାନଗର ନିଗମକୁ ପ୍ରତି ଅଧ ଘଣ୍ଟାରେ ବର୍ଷା ସମ୍ବନ୍ଧୀୟ ସୂଚନା ଦିଆଯିବ। କେତେ ବର୍ଷା ହେଲା ଓ ୨୪ଘଣ୍ଟା ମଧ୍ୟରେ କେତେ ବର୍ଷା ହେବ, ଏହାର ସବିଶେଷ ତଥ୍ୟ ମହାନଗର ନିଗମ କମିସନରଙ୍କ ପାଖରେ ରହିବ। ବର୍ଷା ସମୟରେ ପାଣି କେଉଁଠିକୁ ନିଷ୍କାସନ ହେବ, ଡ୍ୟାମ୍‌ ଥିଲେ କେତେବେଳେ ଗେଟ୍‌ ଖୋଲିବ ତାହା ଉପରେ ନିଷ୍ପତ୍ତି ନେବାକୁ ଏକ ବିଶେଷଜ୍ଞ କମିଟି ହେବ। ବର୍ଷା ହେଲେ କେଉଁ ଅଞ୍ଚଳରେ ପାଣି ଜମା ହୋଇ ରହିପାରିବ ତାହାର ମଧ୍ୟ ତାଲିକା କରିବାକୁ ଏନଡିଏମ୍‌ଏ ପକ୍ଷରୁ କୁହାଯାଇଛି। ହେଲେ ବିଏମ୍‌ସି ପାଖରେ ଏ ସୂଚନା ରହୁନି। ଏପରିକି ଡେରାସ ଡ୍ୟାମ୍‌ରେ ଯଦି ପାଣି ଅଧିକ ହେଉଛି, ତେବେ ଜଙ୍ଗଲ ବିଭାଗ ବିନା ପରାମର୍ଶରେ ଡ୍ୟାମ୍‌ ଖୋଲି ଦେଉଛି। ଯଦ୍ୱାରା ରାଜଧାନୀ ଉପକଣ୍ଠରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ସେହିପରି ରାଜଧାନୀରେ ଜୁଲାଇ ମାସ ପୂର୍ବରୁ ଡ୍ରେନ୍‌ ସଫା ହେଉନି। ଡ୍ରେନ୍‌ ପ୍ରଶସ୍ତିକରଣ କରାଯାଉନି କି ଜବରଦଖଲ ଉଚ୍ଛେଦ ହେଉନି। ଯେତିକି ଡ୍ରେନ୍‌ ନିର୍ମାଣ ହେଉଛି ତାହା ମୁକୁଳା ଛାଡ଼ି ଦିଆଯାଉଛି। ଫଳରେ ଏଥିରେ ପଡ଼ି ଲୋକ ମରୁଛନ୍ତି, ଯଦି ବଞ୍ଚୁଛନ୍ତି ତେବେ ଗୁରୁତର ହେଉଛନ୍ତି।

ବନ୍ୟା ପରିଚାଳନା ସେଲ୍‌ ବି ଗଠନ ହେଲାନି
ରାଜଧାନୀରେ ଅଧ ଘଣ୍ଟା ୫୦ ମିଲିମିଟର ବର୍ଷା ହେଲେ ଅଧା ରାଜଧାନୀ ଜଳାର୍ଣ୍ଣବ ହୋଇଯାଉଛି। ତେଣୁ ରାଜଧାନୀରେ ଯେପରି କଶ୍ମୀର ଓ ଚେନ୍ନାଇ ଭଳି ସ୍ଥିତି ନ ଉପୁଜିବ, ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିରେ ଏକ ବୈଷୟିକ ଜ୍ଞାନ ଥିବା ଅଧିକାରୀମାନଙ୍କୁ ନେଇ ଏକ ଅର୍ବାନ୍‌ ଫ୍ଲଡ୍‌/ଫ୍ଲଡ୍‌ ମ୍ୟାନେଜମେଣ୍ଟ ସେଲ୍‌ ଗଠନ କରିବାକୁ କୁହାଯାଇଛି। ସହରର ଭୌଗୋଳିକ ସ୍ଥିତି (ପାହାଡିଆ ଅଞ୍ଚଳ, ନଦୀ ଘେରରେ/ନିକଟବର୍ତ୍ତୀ ଅଞ୍ଚଳ, ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳ, ଉପକୂଳବର୍ତ୍ତୀ ଅଞ୍ଚଳ) ଦେଖି ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏଥିରେ ସହରର ସଫେଇ, ପରିମଳ ସହ ସଂପୃକ୍ତ ଓ ଅନ୍ୟାନ୍ୟ ଷ୍ଟେକ୍‌ ହୋଲଡର୍‌ମାନଙ୍କୁ ନେଇ ମୌସୁମୀ ଆସିବା ପୂର୍ବରୁ ପ୍ରସ୍ତୁତି ବୈଠକ କରିବାକୁ ହେବ ଏବଂ ଆବଶ୍ୟକୀୟ ଦକ୍ଷତା ବିକାଶ କରିବାକୁ ପଡ଼ିବ। ସହରର ପ୍ରତି ଓ୍ଵାର୍ଡର ଲୋକଙ୍କୁ ସଚେତନ କରାଯିବ। ଏଥିପାଇଁ ଆବାସିକ କଲୋନି/ଗୋଷ୍ଠୀର ତାଲିକା ପ୍ରସ୍ତୁତ କରି ମହାନଗର ନିଗମ ରଖିବ। ଆଉ ସମସ୍ତଙ୍କୁ ବିଭିନ୍ନ କାର୍ଯ୍ୟରେ ସଂପୃକ୍ତ କରାଇବ। ମୌସୁମୀ ଆସିବାର ଯଥେଷ୍ଟ ପୂର୍ବରୁ ଡ୍ରେନ୍‌ ସଫା ହେବ। ବିଭିନ୍ନ ଜଳାଶୟର ମ୍ୟାପିଂ କରିବା ସହିତ କାହା ମାଲିକାନାରେ ଅଛି ତାହାର ମଧ୍ୟ ସୂଚନା ରଖିବେ। ଯେଉଁଠି ପାଣି ଜମୁଛି ସେଠାରୁ ଯେପରି କମ୍‌ ସମୟରେ ପାଣି ନିଷ୍କାସନ ହେବ ସେଥିପାଇଁ ପାଣି ମୋଟର ରଖିବେ। କିନ୍ତୁ ବିଏମ୍‌ସି ଏହି ସବୁ ଯୋଜନାଠାରୁ ବହୁ ଦୂରରେ।

ରାଜଧାନୀ ପରେ ବାକି ୧୦ ସହର ପାଇଁ ଯୋଜନା ହେବ
ରାଜ୍ୟରେ ୧୧ଟି ସହରାଞ୍ଚଳ ବନ୍ୟାପ୍ଲାବିତ ବୋଲି ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର ଓ କଟକ ଆଗରେ ରହିଛି। ଏପରିକି ଏହି ଦୁଇଟି ସହର ଅସରାଏ ବଡ଼ ବର୍ଷାରେ ଉବୁଟୁବୁ ହେଉଛି। ତେଣୁ ପ୍ରଥମେ ଭୁବନେଶ୍ୱରରେ ଏନ୍‌ଡିଏମ୍‌ଏ ଗାଇଡଲାଇନ୍‌ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହାପରେ କଟକ, ବ୍ରହ୍ମପୁର, ସମ୍ବଲପୁର,ରାଉରକେଲା, ଭଦ୍ରକ, ବାଲେଶ୍ୱର, ପୁରୀ, ଯାଜପୁର, ଜଗତସିଂହପୁର ଆଦି ସହରରେ ଏହି ଗାଇଡଲାଇନ୍‌ କାର୍ଯ୍ୟକାରୀ ହେବ। ସେହିପରି ସହରରେ ଯଦି ଅଧିକ ବର୍ଷା ହୁଏ, ତେବେ ପୌରସଂସ୍ଥାର କମିସନର/ ଅଧ୍ୟକ୍ଷ ଯେ କୌଣସି ପଦକ୍ଷେପ ନେଇପାରିବେ। ଏପରିକି ଆବଶ୍ୟକ ପଡ଼ିଲେ ଯେଉଁ ଅଞ୍ଚଳ ଅଧିକ ଜଳାର୍ଣ୍ଣବ ଥିବ, ସେ ଅଞ୍ଚଳରେ ସ୍କୁଲ୍‌ ଛୁଟି କରିପାରିବେ।

ସମ୍ବନ୍ଧିତ ଖବର