ସମସ୍ୟା ଘେରରେ ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀ : ଟ୍ୟାପ୍‌ ଲାଗିଛି ପାଣି ଆସୁନି

ଭୁବନେଶ୍ୱର : ସମସ୍ୟା ଘେରରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଖଣ୍ଡଗିରି ଓ ଉଦୟଗିରି। ପ୍ରତିଦିନ ଏହି ଦୁଇ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ, ଦେଶ ଓ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସୁଥିଲେ ହେଁ ସେମାନଙ୍କୁ ମୌଳିକ ସୁବିଧା ମିଳୁନାହିଁ। ଯାନବାହାନ ପାର୍କିଂ ଲାଗି ପାହାଡ଼ ପାଦଦେଶରେ ନିର୍ମାଣ ହୋଇଛି ପାର୍କିଂସ୍ଥଳ।

ପିଇବା ଲାଗି ଏଠାରେ ପାଣି ମିଳୁ ନ ଥିବା ବେଳେ ଶୌଚାଳୟ ଅବସ୍ଥା ଶୋଚନୀୟ ହୋଇଥିବାରୁ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକମାନେ ସ୍ଥିତିକୁ ଦେଖି ମୁହଁ ମୋଡୁଛନ୍ତି। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ କରୁଥିବା ବେଳ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ନ ମିଳିବାକୁ ନେଇ ଅସନ୍ତୋଷ ଦେଖା ଦେଉଛି।

ଖଣ୍ଡଗିରି ଓ ଉଦୟଗିରିରେ ପର୍ଯ୍ୟଟକଙ୍କ ପାଇଁ ଥିବା ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ପର୍ଯ୍ୟଟକଙ୍କ ପାଇଁ ୩ଟି ଶୌଚାଳୟର ବ୍ୟବସ୍ଥା ହୋଇଛି। ମାତ୍ର ରକ୍ଷଣବେକ୍ଷଣା ଅଭାବରୁ ଏସବୁ ଶୌଚାଳୟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବିଶେଷକରି ମହିଳା ପର୍ଯ୍ୟଟକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାଧ୍ୟ ହୋଇ ଲୋକମାନେ ନିକଟରେ ଥିବା ଏକ ଛୋଟ ଶୌଚାଳୟକୁ ବ୍ୟବହାର କରୁଛନ୍ତି। ଏହା ଯଥେଷ୍ଟ ନ ଥିବାରୁ ଲୋକମାନେ ଖୋଲା ସ୍ଥାନରେ ଶୌଚ କରୁଛନ୍ତି। ସେହିପରି ବସ୍‌ ଷ୍ଟାଣ୍ଡ ପାର୍କିଂ ସ୍ଥଳରେ ପିଇବା ପାଣି ଲାଗି ମଧ୍ୟ ସୁବିଧା ହୋଇଛି। ପାଣି ପାଇଁ ୫ଟି ଟ୍ୟାପ୍‌ ଲଗାଯାଇଛି। ମାତ୍ର କୌଣସି ଗୋଟିଏ ଟ୍ୟାପ୍‌ରୁ ପାଣି ଆସୁନାହିଁ। ପାଖରେ ଥିବା ଗୋଟିଏ ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ପିଇବା ପାଣି ଓ ଶୌଚାଳୟର ଅଭାବ ପାଇଁ ପର୍ଯ୍ୟଟକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶରେ ଅଣଦେଖା କରାଯାଉଛି ବୋଲି ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି।

ବସ୍‌ଷ୍ଟାଣ୍ଡ ଟେଣ୍ଡର ନେଇଥିବା ଶଙ୍କରୀ ବିଶ୍ୱାଳଙ୍କ କହିବାନୁଯାୟୀ, ଗତବର୍ଷ ନଭେମ୍ବର୧୭ ତାରିଖରୁ ଏହାର ଟେଣ୍ଡର ନେଇଛୁ। ପ୍ରତି ମାସକୁ ୬୦ହଜାର ଟଙ୍କା ଦେବାକୁ ପଡ଼ୁଛି। ଓଡ଼ିଶାରୁ ଆସୁଥିବା ଗାଡ଼ି ପିଛା ୧୫ଟଙ୍କା ଓ ବାହାର ଗାଡ଼ି ପିଛା ୩୦ ଟଙ୍କା ଆଦାୟ କରାଯାଉଛି। ପିଇବା ପାଣି ଓ ଶୌଚାଳୟର ସମାଧାନ ଲାଗି ସିପିଡବ୍ଲ୍ୟୁ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରାଯାଇଛି। ମାତ୍ର ଥରେ ଆସି ପାଣି ଯୋଗାଇ ଦେଇଥିଲେ, କିନ୍ତୁ ପରିସ୍ଥିତି ଯାହାକୁ ସେଇଆ ହୋଇ ରହିଛି।

ସମ୍ବନ୍ଧିତ ଖବର