ତାମିଲ, ବଙ୍ଗଳା ଏବଂ ଶାସ୍ତ୍ରୀୟ ସଙ୍ଗୀତ ଶିଖୁଛନ୍ତି ଅମିତ ଶାହା

ଗାନ୍ଧୀନଗର: ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପରି କେହି ନିର୍ବାଚନ ପ୍ରଚାର ଅଭିଯାନର ଭାଷା ବୁଝି ପାରନ୍ତି ନାହିଁ। ନିଜ ଅଞ୍ଚଳରେ ଦଳର ନିର୍ବାଚନ ପ୍ରଚାର ତଦାରଖ କରିବାରେ ବ୍ୟସ୍ତ ଥାଇ ମଧ୍ୟ ଶାହା ବିଜେପିର ଉପସ୍ଥିତି ସୁଦୃଢ଼ କରିବାକୁ ଚାହୁଁଥିବା ଅନ୍ୟାନ୍ୟ ରାଜ୍ୟକୁ ଦୃଷ୍ଟି ଉହାଡ଼କୁ ନେଇ ନାହାନ୍ତି।

ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଦଳର ଅଚ୍ଛେ ଦିନ୍‌ ବାର୍ତ୍ତାକୁ ଫଳପ୍ରଦ ଭାବେ ଅନୁବାଦ କରାଇବାକୁ ବିଜେପିର ଜାତୀୟ ଅଧ୍ୟକ୍ଷ ଅମିତ ଶାହା ବଙ୍ଗଳା ଏବଂ ତାମିଲ ଶିଖିବା ଆରମ୍ଭ କରିଛନ୍ତି। ଅମିତ ଶାହାଙ୍କ ଉଦ୍ୟମ ସୌଖୀନ୍‌ ନୁହେଁ- ବିଧିବଦ୍ଧ ଭାବେ ଦୁଇଟି ଭାଷା ଶିକ୍ଷା କରିବାକୁ ସେ ପେଶାଦାର ଶିକ୍ଷକ ମଗାଇଛନ୍ତି। କୁହାଯାଉଛି, କଥାବାର୍ତ୍ତା କରିବାକୁ ମାତ୍ର ବର୍ଷେ ମଧ୍ୟରେ ଶାହା ଯଥେଷ୍ଟ ବଙ୍ଗଳା ଏବଂ ତାମିଲ ଶିଖି ସାରିଲେଣି। ଅନର୍ଗଳ କଥାବାର୍ତ୍ତା ଆୟତ କରିବାକୁ ସେ ଅଧିକ ଶିକ୍ଷା ଗ୍ରହଣ କରୁଛନ୍ତି।

ଅସମୀୟା ଏବଂ ମଣିପୁରୀ ଭାଷା ମଧ୍ୟ ଶିଖିବା ଆରମ୍ଭ କରିଛନ୍ତି ଶାହା। ଜୀବନର ବହୁଳାଂଶ ଗୁଜୁରାଟରେ କଟାଇବା ପରେ ଶାହା କେମିତି ‘ସିସ୍ତା ହିନ୍ଦୀ’ କହି ପାରୁଛନ୍ତି, ଏଥିରେ ଅନେକ ବିସ୍ମୟ ପ୍ରକାଶ କରିଛନ୍ତି। ସେ ଯାହାହେଉ, ବିଜେପି ଅଧ୍ୟକ୍ଷଙ୍କ ପାଇଁ ବହୁଭାଷୀ ଯଥେଷ୍ଟ ମନେ ନ ହେବାରୁ ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଛାତ୍ର ହୋଇଛନ୍ତି।

ଅମିତ ଶାହାଙ୍କର ଏକ ନିକଟତମ ସୂତ୍ରରୁ ପ୍ରକାଶ: ପଶ୍ଚିମବଙ୍ଗ, ତାମିଲ୍‌ନାଡୁ ଏବଂ ଅନ୍ୟାନ୍ୟ ରାଜ୍ୟରେ ବିଜେପିର ଭିତ୍ତି ସମ୍ପ୍ରସାରଣ କରିବାକୁ ଅମିତ ଭାଇ ବିଧିବଦ୍ଧ ଭାବେ ବଙ୍ଗଳା ଏବଂ ତାମିଲ ଶିକ୍ଷା ଗ୍ରହଣ କରୁଛନ୍ତି। ସେ ଜେଲ୍‌ରେ ଥିବାବେଳେ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଗୁଜୁରାଟରେ ପ୍ରବେଶ କରିପାରିବେ ନାହିଁ ବୋଲି ଅଦାଲତ ରାୟ ଦେବା ପରେ ସେ ‘ସିସ୍ତା ହିନ୍ଦୀ’ ଶିଖିଥିଲେ। ବିଜେପିର ଅଧ୍ୟକ୍ଷ ହେବା ପୂର୍ବରୁ ଅମିତ ଭାଇ ସମଗ୍ର ଦେଶ ପର୍ଯ୍ୟଟନ କରି ମୁଖ୍ୟ ଧାର୍ମିକ ସ୍ଥଳୀ ସବୁ ଦର୍ଶନ କରିଛନ୍ତି। ସେ ରାଜନୈତିକ, ସାମାଜିକ ଏବଂ ଧାର୍ମିକ ସଂସ୍କୃତିର ଅଭ୍ୟନ୍ତରକୁ ପ୍ରବେଶ କରିବାକୁ ଚାହୁଁଥିଲେ।

ଆଶ୍ୱସ୍ତି ପାଇଁ ଶାହା ଯୋଗ ଏବଂ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଉପରେ ନିର୍ଭର କରନ୍ତି। ସଙ୍ଗୀତ ଏବଂ ସିନେମାରେ ତାଙ୍କର ସର୍ବଦା ଆଗ୍ରହ ଥିଲା।

ସମ୍ବନ୍ଧିତ ଖବର