ଜଗଦୀଶ ଟାଇଟଲର୍‌ଙ୍କୁ ରାହୁଳ ଗାନ୍ଧୀଙ୍କ ଉପବାସସ୍ଥଳ ଛାଡ଼ିବାକୁ କୁହାଯିବାରୁ ଉପୁଜିଲା ବିବାଦ

ନୂଆଦିଲ୍ଲୀ: ସୋମବାର ଦିନ ରାଜଘାଟ ଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଦିନିକିଆ ଉପବାସ ଘଟଣାରେ ବିବାଦ ଉପୁଜିଛି। କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ କଂଗ୍ରେସ ନେତା ଜଗଦୀଶ ଟାଇଟଲର୍‌ଙ୍କୁ ମଞ୍ଚ ଛାଡ଼ି ଚାଲିଯିବାକୁ କଂଗ୍ରେସ ପାର୍ଟି ତରଫରୁ କୁହାଯାଇଥିଲା। ୧୯୮୪ ମସିହା ଶିଖ୍‌ବିରୋଧୀ ଦଙ୍ଗାରେ ଟାଇଟଲର୍‌ ସମ୍ପୃକ୍ତ ଥିବା କଥା ଉଠିଥିଲା।

କିନ୍ତୁ କୌଣସି ବିବାଦ ହୋଇଥିବା କଥାକୁ ଦଳ ଅସ୍ୱୀକାର କରିଛି। ଦଳ କହିଛି ଯେ, ମାନଦଣ୍ଡ ମଧ୍ୟରେ ଆସୁ ନ ଥିବା ନେତାମାନଙ୍କୁ ମଞ୍ଚ ଛାଡ଼ିବାକୁ କୁହାଯାଇଥିଲା। କଂଗ୍ରେସ ପାର୍ଟିର ଦିଲ୍ଲୀ ମୁଖ୍ୟ ଅଜୟ ମାକେନ୍‌ ସାମ୍ବାଦିକମାନଙ୍କୁ କହିଲେ ଯେ କେବଳ କାର୍ଯ୍ୟାଳୟର କର୍ମକର୍ତ୍ତା ଏବଂ ପୂର୍ବତନ ମନ୍ତ୍ରୀମାନେ ମଞ୍ଚରେ କଂଗ୍ରେସ ଅଧ୍ୟକ୍ଷଙ୍କ ଉପବାସ କାର୍ଯ୍ୟକ୍ରମରେ ଯୋଗ ଦେବା କଥା।

ରାଜଘାଟ ଠାରେ ନିଜେ ରାହୁଳ ଗାନ୍ଧୀ ସାମ୍ପ୍ରଦାୟିକ ସମନ୍ଵୟର ସୁରକ୍ଷା ପାଇଁ ଉପବାସରେ ବସିଥିବା ବେଳେ ଏହା ଏକ ଦେଶବ୍ୟାପୀ କାର୍ଯ୍ୟକ୍ରମ ହେଉ ବୋଲି ସମସ୍ତ ଜିଲ୍ଲା ମୁଖ୍ୟାଳୟଗୁଡ଼ିକୁ କହିଛନ୍ତି।

ରାହୁଳଙ୍କ ନିଷ୍ପତ୍ତି ସମସ୍ତ ରାଜ୍ୟ ଅଧ୍ୟକ୍ଷ, ଏଆଇସିସି ସାଧାରଣ ସଚିବ ଏବଂ ବିଭିନ୍ନ ରାଜ୍ୟର କଂଗ୍ରେସ ବିଧାୟକ ଦଳର ନେତାମାନଙ୍କୁ ଏକ ପତ୍ର ମାଧ୍ୟମରେ ସାଧାରଣ ସମ୍ପାଦକ ଅଶୋକ ଗେଲୋଟ୍‌ ଜଣାଇ ଦେଇଥିଲେ।

ସମ୍ବନ୍ଧିତ ଖବର