କର୍ଣ୍ଣାଟକରେ କଳାଟଙ୍କାର ସୁଅ : ୧୫୦ କୋଟି ଜବତ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ଗୋଟିଏ ସପ୍ତାହ ବାକି ଥିବା ବେଳେ ପ୍ରଚାର ଅଭିଯାନ ଜୋର ଧରିଛି। ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ନେତାମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବିଭିନ୍ନ ଦଳ ସେମାନଙ୍କ ନିର୍ବାଚନ ରଣନୀତି ବଦଳାଇବାରେ ଲାଗି ପଡ଼ିଛନ୍ତିି। କେଉଁଠି ଭୋଟରଙ୍କୁ ଧମକ ଦିଆଯାଉଛି ତ କେଉଁଠି ସେମାନଙ୍କୁ ପ୍ରଲୋଭିତ କରିବା ପାଇଁ ବ୍ୟାପକ ଉଦ୍ୟମ ମଧ୍ୟ ଚାଲିଛି। ଏହାକୁ ରୋକିବା ଲାଗି ନିର୍ବାଚନ କମିସନ ତୀକ୍ଷ୍ଣ ନଜର ରଖିଛନ୍ତି। ରାଜ୍ୟସାରା ନିର୍ବାଚନ କମିସନ, ଆୟକର ବିଭାଗ ଏବଂ ପୁଲିସ ବାହିନୀର ସ୍ୱତନ୍ତ୍ର ସ୍କାଡ୍‌ ପଇଁତରା ମାରୁଛନ୍ତି।

କମିସନ ଏବଂ ଆୟକର ବିଭାଗର ସ୍ୱତନ୍ତ୍ର ସ୍କ୍ଵାଡ୍‌ ବିଭିନ୍ନ ସ୍ଥାନରେ ଯାଞ୍ଚ କରିବା ସମୟରେ ୧୫୦ କୋଟି ଟଙ୍କା ନଗଦ, ସୁନା, ଶାଢ଼ି ଓ ମଦ ଆଦି ଜବତ କରିଛନ୍ତି। ଟଙ୍କା ଓ ମଦର ସୁଅ ନିର୍ବାଚନର ସ୍ୱାଭାବିକ ପ୍ରକ୍ରିୟାକୁ ବଦଳାଇ ଦେବା ସହ ଗଣତାନ୍ତ୍ରିକ ଲକ୍ଷ୍ୟକୁ ଭଣ୍ଡୁର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଜବତ ସାମଗ୍ରୀ ମଧ୍ୟରେ ପ୍ରାୟ ୬୮ କୋଟି ନଗଦ ଟଙ୍କା, ୨୩.୩୬ କୋଟି ଟଙ୍କାର ମଦ ଏବଂ ୪୩.୧୭ କୋଟିର ସୁନା ଗହଣା ଜବତ ହୋଇଛି। ଏହାସହ ପ୍ରେସର କୁକର୍‌, ଶାଢ଼ି, ସିଲେଇ ମେସିନ, ଲାପଟପ, ଗାଡି ଓ ବିପୁଳ ଗୁଟଖା ମଧ୍ୟ ଜବତ ହୋଇଛି। ଭୋଟର୍‌ଙ୍କୁ ପ୍ରଲୋଭିତ କରିବା ପାଇଁ ଏସବୁ ସାମଗ୍ରୀ ଉଦ୍ଦିଷ୍ଟ ଥିଲା ବୋଲି ନିର୍ବାଚନ କମିସନ କହିଛନ୍ତି। ଭିନ୍ନ ଭିନ୍ନ ଅଂଚଳରେ ଏ ବାବଦରେ ତଦନ୍ତ ଜାରି ରହିଛି। ଜଣେ ଅଧିକାରୀ କହିଛନ୍ତି ଯେ ମୋଟ ୧୫୨ କୋଟି ୭୮ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ହୋଇଥିଲା, କିନ୍ତୁ ଯାଞ୍ଚ ପରେ ୩୩ କୋଟି ଟଙ୍କାର ସାମଗ୍ରୀ ଫେରସ୍ତ କରାଯାଇଛି। କର୍ଣ୍ଣାଟକରେ ୨୨୪ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୨ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ ଏବଂ ୧୫ ତାରିଖରେ ଫଳାଫଳ ଘୋଷଣା ହେବ।

‘ଭୋଟର୍‌ଙ୍କ ହାତଗୋଡ଼ ବାନ୍ଧି ବିଜେପି ପାଇଁ ଭୋଟ୍‌ ଆଣ’

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ୍‌ ୟେଦୁରପ୍ପା ବିବାଦୀୟ ବୟାନ ଦେଇ ଆଲୋଡ଼ନ ସୃଷ୍ଟି କରିଛନ୍ତି। କର୍ଣ୍ଣାଟକର ବେଲଗାବିରେ ଏକ ନିର୍ବାଚନୀ ସଭାରେ ଉଦ୍‌୍‌ବୋଧନ ଦେଇ ସେ କହିଥିଲେ- ବିଜେପି କର୍ମୀ ଏବେ ଆରାମରେ ବସିବା ଉଚିତ ନୁହେଁ। ଯଦି କୌଣସି ବ୍ୟକ୍ତି ଭୋଟ୍‌ ଦେବାକୁ ଯାଉନାହିଁ, ତା’ହେଲେ ସେହି ବ୍ୟକ୍ତିଙ୍କ ଘରକୁ ଯାଇ ତାଙ୍କ ହାତଗୋଡ଼ ବାନ୍ଧି ବିଜେପି ପ୍ରାର୍ଥୀ ସପକ୍ଷରେ ଭୋଟ ଦେବାକୁ ନେଇଯାଅ।

ୟେଦୁରପ୍ପାଙ୍କ ଏହି ବୟାନକୁ ନେଇ କର୍ଣ୍ଣାଟକ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ଭୋଟର୍‌ଙ୍କୁ ୟେଦୁରପ୍ପା ସିଧାସଳଖ ଧମକାଇଥିବାରୁ ତାଙ୍କ ବିରୋଧରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନିର୍ବାଚନ କମିସନଙ୍କଠାରେ ଦାବି କରିଛି। ୟେଦୁରପ୍ପାଙ୍କ ଏହି ବୟାନ ଭୋଟରଙ୍କୁ ସିଧାସଳଖ ଧମକ ହୋଇଥିବାରୁ ଏହା ଗଣତନ୍ତ୍ର ପ୍ରତି ଏକ ବଡ଼ ଧକ୍କା ବୋଲି କଂଗ୍ରେସ ପ୍ରବକ୍ତା ପ୍ରିୟଙ୍ଗା ଚତୁର୍ବେଦି କହିଛନ୍ତି। ୟେଦୁରପ୍ପା ବିଜେପିର ପରାଜୟ ଆଶଙ୍କାରେ ଏଭଳି ବୟାନ ଦେଇଥିବା ସେ କହିଛନ୍ତି। କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଲୋକତନ୍ତ୍ରର ବିରୁଦ୍ଧାଚରଣ କରୁଥିବା ଏଭଳି ବୟାନ ପାଇଁ ବିଜେପିକୁ ଜନସାଧାରଣ ଉଚିତ ଶାସ୍ତି ଦେବେ। ୟେଦୁରପ୍ପାଙ୍କ ବୟାନ ଦଳକୁ ଅଡ଼ୁଆରେ ପକାଇଥିବା ବେଳେ ଏ ବାବଦରେ ରାଜ୍ୟର ବରିଷ୍ଠ ନେତାମାନେ ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର