କର୍ଣ୍ଣାଟକ ରାଜନୀତି : ମନ୍ତ୍ରୀ ପଦ ଭାଗବଣ୍ଟା ଚୂଡ଼ାନ୍ତ; କଂଗ୍ରେସର ୨୦, ଜେଡିଏସ୍‌ର ୧୩ ମନ୍ତ୍ରୀ

ପାଳିରେ ସରକାର ଚାଲିବ ନାହିଁ: କୁମାରସ୍ୱାମୀ, ରାହୁଲ-ସୋନିଆଙ୍କ ସହ ଆଲୋଚନା ଆଜି

ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ସରକାରର ମନ୍ତ୍ରିମଣ୍ଡଳ ଗଠନ ପାଇଁ ଆଜି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏଚ୍‌.ଡି କୁମାରସ୍ୱାମୀଙ୍କ ସରକାରରେ କଂଗ୍ରେସର ୨୦ ଏବଂ ଜେଡିଏସ୍‌ର ୧୩ ମନ୍ତ୍ରୀ ରହିବେ। ଶପଥ ଗ୍ରହଣ ସମାରୋହ ବୁଧବାର ଅନୁଷ୍ଠିତ ହେବ। ତେବେ କେବଳ କୁମାରସ୍ୱାମୀ ହିଁ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଗୁରୁବାର ବିଧାନସଭାରେ ଆସ୍ଥାଭୋଟ୍‌ ହେବା ପରେ ଯାଇ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଶପଥ ନେବେ ବୋଲି ଆଜି କଂଗ୍ରେସ ନେତା ଡି.କେ.ଶିବକୁମାର କହିଛନ୍ତି। କଂଗ୍ରେସରୁ ୨୦ ଜଣଙ୍କୁ ମନ୍ତ୍ରୀ କରିବା ପ୍ରସ୍ତାବରେ ଦଳ ସହମତି ପ୍ରକାଶ କରିବା ପରେ ଆଜି ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦ ସହିତ ତାଙ୍କ ହାତରେ ଅର୍ଥ ମନ୍ତ୍ରାଳୟ ରଖିବେ ବୋଲି ଜଣାପଡ଼ିଛି । କଂଗ୍ରେସର ଜି ପରମେଶ୍ୱରଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ସେପଟେ, କୁମାରସ୍ୱାମୀ ତାଙ୍କ ମନ୍ତ୍ରିମଣ୍ଡଳରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ରଖିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ସଂପର୍କରେ ଆଜି ମଧ୍ୟ ଆଲୋଚନା ହୋଇଛି ଏବଂ ଏ ବାବଦ ସବିଶେଷ ତଥ୍ୟ ଗୋପନ ରଖାଯାଇଛି।

କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ଗତକାଲି ରାଜ୍ୟପାଳ ବଜୁଭାଇ ବାଲା ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ପରେ ଉଭୟ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଉତ୍ସବ ମନାଯାଉଛି । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାପାଇଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ କୁମାରସ୍ୱାମୀ ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ସେ ରାହୁଲ-ସୋନିଆଙ୍କୁ ଦିଲ୍ଲୀରେ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଆଜି କୁମାରସ୍ୱାମୀ ସ୍ପଷ୍ଟ କରିଛନ୍ତି ଯେ କଂଗ୍ରେସ-ଜେଡିଏସ୍‌ ସରକାର ପାଳି କରି ଚାଲିବ ନାହିଁ। ସରକାର ଯଥାରୀତି ୫ ବର୍ଷ ଚାଲିବ। କେତେକ ଗଣମାଧ୍ୟମରେ ଉଭୟ ଦଳ ୩୦ ମାସ ଲେଖାଏଁ କ୍ଷମତାରେ ରହିବେ ବୋଲି ପ୍ରଚାର ହେବାପରେ ଏ ବାବଦରେ ସ୍ପଷ୍ଟୀକରଣ ଦେଇ କୁମାରସ୍ୱାମୀ କହିଛନ୍ତି ଯେ ଏଭଳି କୌଣସି ପ୍ରସ୍ତାବ ନାହିଁ। ପ୍ରଥମେ ସୋମବାର ଦିନ ଶପଥ ଗ୍ରହଣ ଉତ୍ସବ କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ତାହାକୁ ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି। ୨୧ ତାରିଖରେ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଥିବାରୁ ୨୩ ତାରିଖରେ ଶପଥ ଗ୍ରହଣ ଉତ୍ସବ କରାଯିବାକୁ ଉଭୟ ଦଳ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଜେଡିଏସ୍‌ ପ୍ରବକ୍ତା କହିଛନ୍ତି।

ଅନ୍ୟପକ୍ଷରେ କର୍ଣ୍ଣାଟକ ରାଜନୈତିକ ଘଟଣାକ୍ରମ ନେଇ ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଦଳମାନେ ଏବେ ଉତ୍ସାହିତ ହୋଇପଡ଼ିଛନ୍ତି ଏବଂ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ହଟାଇବା ନିମନ୍ତେ ମିଳିତ ରଣନୀତି ଉପରେ ଗୁରୁତ୍ୱାରୋପ କରିଛନ୍ତି।

ସମ୍ବନ୍ଧିତ ଖବର