ଘଷିପୁରାରେ ରାଜନୈତିକ ହିଂସା : ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଜିଲ୍ଲା ବିଜେପିର ଅଭିଯୋଗ, ବଦ୍ରୀଙ୍କ ଖଣ୍ଡନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଘଷିପୁରାଠାରେ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟିଯାଇଛି। ଏଥିରେ ଜିଲ୍ଲାର ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ହାତ ରହିଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଶ୍ରୀ ପାତ୍ର ଏହାକୁ ଦୃଢ ଖଣ୍ଡନ କରିଛନ୍ତି।

ଘଷିପୁରାର ବିଧାୟକ ପୃଥ୍ଵୀରାଜ କହଁର ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପ୍ରୋତ୍ସାହନରେ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଛି। ଦୋଷୀଙ୍କୁ ଗିରଫ କରାଯାଉ ଏବଂ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଶ୍ରୀ କହଁର ଦାବି କରିଛନ୍ତି।

ଅନ୍ୟ ପକ୍ଷରେ ଶ୍ରୀ କହଁରଙ୍କ ଅଭିଯୋଗର ଖଣ୍ଡନ କରି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ,ଏଠାରେ ବିରୋଧୀଙ୍କ କୌଣସି ଭିତ୍ତି ନାହିଁ। ସେଥିପାଇଁ ସେମାନେ ସବୁବେଳେ ହତୋତ୍ସାହିତ ହୋଇପଡୁଛନ୍ତି। ଆଗକୁ ନିର୍ବାଚନ,ସେଥିପାଇଁ ବିରୋଧୀ ହତାଶ ହୋଇ ଏପରି ମିଥ୍ୟା ଅଭିଯୋଗ କରୁଛନ୍ତି।
ଶ୍ରୀ ପାତ୍ର କହିଛନ୍ତି,ଶ୍ରୀ ବେହେରାଙ୍କୁ ଆମ ଦଳରେ ମିଶାଇବାକୁ ଉଦ୍ୟମ କରୁଥିଲୁ। ସେଥିପାଇଁ ତାଙ୍କ ସହିତ କଥାବାର୍ତ୍ତା ହୋଇସାରିଥିଲା। ଏହା ଅତ୍ୟନ୍ତ ଜଘନ୍ୟ ଓ ନୃଶଂସ ହତ୍ୟାକାଣ୍ଡ। ଏହାର ଆମେ ଦୃଢ ନିନ୍ଦା କରୁଛୁ।

ଶ୍ରୀ ବେହେରାଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଏହି ହତ୍ୟାକାଣ୍ଡ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟ କେତେକଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ଶ୍ରୀ ବେହେରାଙ୍କ ମର ଶରୀରକୁ ତାଙ୍କ ପରିବାରବର୍ଗଙ୍କୁ ଶବ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର