ଓଡ଼ିଶା କଂଗ୍ରେସ ନିର୍ବାଚନମୁହାଁ, ଆସନ୍ତା ଦୁଇମାସରେ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ଦଳର ଶୀର୍ଷସ୍ତରର ନବକଳେବର ସହିତ ଅଖିଳ ଭାରତ କଂଗ୍ରେସ କମିଟି ପ୍ରଥମ ଦିନରୁ ଆସନ୍ତା ନିର୍ବାଚନ ଲାଗି ଗୋଟିଚାଳନା ଆରମ୍ଭ କରିଦେଇଛି। ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଗଣମାଧମକୁ ସମ୍ବୋଧନ କରିବା ବେଳେ ବୁଲେଇ ବଙ୍କେଇ ଏମିତି କିଛି ସଙ୍କେତ ଦେଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମୁହଁରୁ ବି ନିର୍ବାଚନ ପ୍ରସ୍ତୁତିର ଭାଷା ବାହାରିଥିଲା।

ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିଂହ ସ୍ପଷ୍ଟ କରିଥିଲେ ଯେ ୨୦୧୯ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ହିଁ ଲଢାଯିବ। ଏଥିରେ କିଛି ସନ୍ଦେହ ରହିବା କଥା ନୁହେଁ। ତେବେ ଏଆଇସିସି ନିଷ୍ପତ୍ତି ନେଇଛି, ଆସନ୍ତା ନିର୍ବାଚନରେ ତୃଣମୂଳସ୍ତରରେ ଲୋକଙ୍କ ସହିତ ଯୋଡି ହୋଇରହିଥିବା ଟାଣୁଆ ଓ କାମିକା ଏବଂ ଯୋଗ୍ୟ ଯୁବକ ଓ ମହିଳାଙ୍କୁ ପ୍ରାର୍ଥୀ କରିବା କ୍ଷେତ୍ରରେ ପ୍ରାଥମିକତା ଦିଆଯିବ। ଆସନ୍ତା ଦୁଇମାସରେ ଅଧିକାଂଶ ଆସନ
ଲାଗି ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ ଏକଥା ବି କହିଥିଲେ, ଆସନ୍ତା ନିର୍ବାଚନରେ ଜୁମ୍‌ଲା ଦଳ (ବିଜେପି) ୧୨୦+ ଆସନରେ ଜିତିବ ବୋଲି କହୁଛି। ବିଜେଡି ବି ସଂଖ୍ୟା ରଖି ସରକାର କରିବ ବୋଲି ଦମ୍ଭ ଦେଖାଉଛି। ମାତ୍ର କଂଗ୍ରେସ ଏସବୁରେ ବିଶ୍ୱାସ କରେନି। ଓଡ଼ିଶା ଜନତାଙ୍କ ଭଲପାଇବା ହାସଲ ଲାଗି ଲକ୍ଷ୍ୟ ରଖିଛି। ସେ ଆହୁରି କହିଥିଲେ, ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇଟି ପ୍ରସଙ୍ଗରେ ତାଙ୍କର ଆଭିମୁଖ୍ୟ ପିସିସି ସଭାପତିଙ୍କ ନିକଟରେ ସ୍ପଷ୍ଟ କରିଛନ୍ତି। ପ୍ରଥମତଃ ଯେଉଁ ସମୟରେ ଯେତେବେଳେ ପିସିସି ସଭାପତି ଚାହିଁବେ, ସେ ଓଡ଼ିଶା ଗସ୍ତରେ ଆସିବେ। ଏପରିକି ପ୍ରତି ମାସରେ ଚାହିଁଲେ ବି ଥରୁଟିଏ ଶ୍ରୀ ଗାନ୍ଧୀ ଓଡ଼ିଶା ଆସିବେ। କେବଳ ସେତିକି ନୁହେଁ, ମହାନଦୀ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସକୁ ଏଆଇସିସି ସବୁ ପ୍ରକାର ସମର୍ଥନ ଦେବ ବୋଲି ଶ୍ରୀ ପଟ୍ଟନାୟକଙ୍କୁ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିବା ସଂପର୍କରେ କଂଗ୍ରେସ ପ୍ରଭାରୀ ସୂଚାଇଥିଲେ।

ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାର ବିକାଶ କରିବାରେ ବିଫଳ ହୋଇଛନ୍ତି। ଗୋଟିଏ ଆଞ୍ଚଳିକ ଦଳକୁ ଓଡ଼ିଶାବାସୀ ବିଶ୍ୱାସ କରି ଭୋଟ ଦେଇଥିଲେ। ସେମାନେ ରାଜ୍ୟବାସୀଙ୍କୁ ହତାଶ କରିଛନ୍ତି। ବେକାରୀ ବଢିଛି, ଚାଷୀ, ମହିଳା, ଅନୁସୂଚିତ ଜାତି, ଜନଜାତି ସବୁ ବର୍ଗ ନିରାଶ ହୋଇଛନ୍ତି। ସେହିପରି ଗୋଟିଏ ପ୍ରଚାର ସର୍ବସ୍ୱ ଦଳ ବିଜେପି ଅଚ୍ଛେଦିନ୍‌ ଆଣିବ ବୋଲି କହିଥିଲା। ପ୍ରତି ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦେବ ବୋଲି ସ୍ୱପ୍ନ ଦେଖାଇଥିଲା। ଏବେ ସେସବୁକୁ ଭୁଲି ସମ୍ବିଧାନ ପରିବର୍ତନ କରିବା ଲାଗି ସେମାନେ ପାଗ ଭିଡିଛନ୍ତି ଏବଂ ଲୋକଙ୍କୁ ଦୁର୍ଦିନ ଓ ଦୁର୍ଦଶା ଭିତରକୁ ଠେଲି ଦେଇଛନ୍ତି।

ଦଳର ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା ବେଳେ ପ୍ରଭାରୀ ଶ୍ରୀ ସିଂହ ସ୍ପଷ୍ଟ କରିଦେଇଛନ୍ତି ଯେ ଦଳରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏମିତି ସୂଚନା ଦେଇ ପିସିସି ସଭାପତି କହିଥିଲେ, ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ଗତି କରୁଛି। ଆମେ ଏବେ ତୃତୀୟ ସ୍ଥାନରେ ରହିଛୁ। କଂଗ୍ରେସ ଦୁର୍ବଳ ହୋଇଥିବାରୁ ତାହାର ଫାଇଦା ବିଜୁ ଜନତା ଦଳ ନେଇଛି। ଗତ ପଂଚାୟତ ନିର୍ବାଚନରେ ଆମ ଦୁର୍ବଳତାର ଫାଇଦା ମଧ୍ୟ ବିଜେପି ନେଇଛି। ଏଭଳି ଏକ ସମୟରେ କଠିନ ଦାୟିତ୍ୱ ଦିଆଯାଇଛି। ଏଥିପାଇଁ ସାରା ଓଡ଼ିଶାକୁ ୪ ଜୋନ୍‌ରେ ବିଭକ୍ତ କରାଯାଇଛି। ଏହି ଜୋନଗୁଡ଼ିକ ଦାୟିତ୍ୱରେ ଏଆଇସିସି ନେତା ରହିବେ। ବୁଥସ୍ତରରୁ ନେଇ ରାଜ୍ୟସ୍ତର ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସକୁ ପୁନର୍ଗଠିତ କରିବା ପାଇଁ ଏଆଇସିସି ପ୍ରଭାରୀ ଶ୍ରୀ ସିଂହ କାର୍ଯ୍ୟ ଆରମ୍ଭ କରିସାରିଲେଣି।

ଏସବୁକୁ ନେଇ କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ବୋଲି ସୂଚାଇ ଶ୍ରୀ ପଟ୍ଟନାୟକ କହିଥିଲେ, ଏବେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆମେ ପ୍ରତିଶ୍ର୍‌ୁତିବଦ୍ଧ ହୋଇଛୁ। କର୍ମୀ ଓ ନେତାଙ୍କ ମନରେ କଂଗ୍ରେସକୁ ନେଇ ବହୁ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ଯେଉଁମାନେ ଭାବୁଛନ୍ତି ଆମେ ହାରିବାକୁ ଯାଉଥିବା ଯୁଦ୍ଧ ଲଢ଼ିବାକୁ ଯାଉଛୁ, ସେମାନଙ୍କର ଆକଳନ ଭୁଲ୍‌। ଏଥର ଆମେ ଲୋକଙ୍କ ଆସ୍ଥାଭାଜନ ହୋଇ ଜିତିବାକୁ ଯାଉଥିବା ଏକ ଯୁଦ୍ଧ ପାଇଁ ଲଢ଼େଇ କରିବାକୁ ଯାଉଛୁ।

ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପିସିସି ସଭାପତି କହିଥିଲେ, ଅତୀତର କେତେକ ଭୁଲ ପାଇଁ ଲୋକମାନେ ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅତୀତର ତ୍ରୁଟି ସୁଧାରି ଆମେ ଲୋକଙ୍କ ପାଖକୁ ଯାଇ ଆସ୍ଥାଭାଜନ ହେବୁ। ମହାନଦୀ ପ୍ରସଙ୍ଗ ନେଇ ଶ୍ରୀ ପଟ୍ଟନାୟକ କହିଥିଲେ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ହିଁ ମହାନଦୀ ଆନ୍ଦୋଳନର ଅସଲ ନେତୃତ୍ୱ ନେଇଥିଲେ। ସେତେବେଳେ ବିଜେଡି ଛାଡି ଅନ୍ୟ ସମସ୍ତେ ଯୋଗଦେଇଥିଲେ। ଓଡ଼ିଶା ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ମହାନଦୀର ଏଭଳି ଅବସ୍ଥା ପାଇଁ ରାଜ୍ୟ ସରକାର ପ୍ରଥମତଃ ଦାୟୀ। କେନ୍ଦ୍ରରେ ଥିବା ବିଜେପି ସରକାର ମଧ୍ୟ କମ୍‌ ଦୋଷୀ ନୁହନ୍ତି। ମହାନଦୀ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ଓ କଂଗ୍ରେସ ଲଢ଼େଇ କରିବ। ତେବେ ନିର୍ଦିଷ୍ଟ ରଣନୀତି କଣ ହେବ, ତାହା ଖୁବ୍‌ ଶୀଘ୍ର ନିର୍ଣ୍ଣୟ ହେବ। ଆଜିର ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଓଡ଼ିଶା କଂଗ୍ରେସର ସଂଯୋଜକ କମିଟିର ଆବାହକ ଜଗନ୍ନାଥ ପଟ୍ଟନାୟକ ଓ ବରିଷ୍ଠ ନେତା କୈଳାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ଆଜି ଶ୍ରୀ ସିଂହ ସକାଳେ ନୂଆ ଟିମ୍‌ ସହିତ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ପରେ ରାଜ୍ୟ କଂଗ୍ରେସ ଭବନରେ ବିଧାୟକ ଦଳ ସମେତ ଅନ୍ୟ ଛାମୁଆ ସଂଗଠନ, ଜିଲ୍ଲା ସଭାପତି ପ୍ରମୁଖଙ୍କ ସହିତ ବୈଠକ କରିଥିଲେ। ପିସିସି ସଭାପତି, ଦଳର ତିନି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ନବ ଦାସ ଓ ପ୍ରଦୀପ ମାଝୀ ଏବଂ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା।

ପ୍ରଦେଶ କଂଗ୍ରେସ କମିଟି ଓ ବିଧାୟକ ଦଳ ମଧ୍ୟରେ ହୋଇଥିବା ବୈଠକ ଆଜି ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମିଳିତ ଭାବେ କଂଗ୍ରେସ ପାଇଁ ରୋଡ଼ ମ୍ୟାପ୍‌ ପ୍ରସ୍ତୁତ କରିବେ। ଏହି ରୋଡ଼ ମ୍ୟାପ୍‌ ଆଧାରରେ କଂଗ୍ରେସ କାର୍ଯ୍ୟ କରିବ ଓ କ୍ଷମତାକୁ ଆସିବ। ସେହିପରି ବିଧାୟକ ପ୍ରଫୁଲ୍ଳ ମାଝୀ କହିଥିଲେ, ପିସିସି ଓ ବିଧାୟକ ଦଳ ମଧ୍ୟରେ ଥିବା ବିବାଦ ଦୂରୀଭୂତ ହୋଇଛି। ଆଗାମୀ ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ଆମେ ମିଳିତ ଭାବେ ଲଢ଼ିବୁ। ବିଧାୟକ ଦେବେନ୍ଦ୍ର ଶର୍ମା କହିଥିଲେ, ମିଳିତ ଭାବେ ଲଢ଼େଇ କରିବାକୁ ଏଆଇସିସି ନେତାମାନେ ଆମକୁ ପରାମର୍ଶ ଦେଇଥିଲେ। ଏକଜୁଟ୍‌ ହୋଇ ଲଢ଼ି କଂଗ୍ରେସକୁ ଆଗକୁ ନେବାପାଇଁ ଆମେ କାର୍ଯ୍ୟ କରିବୁ।

ସମ୍ବନ୍ଧିତ ଖବର