ଟିକେଟ ଫେରାଇବା ପରେ ଦଳ ଛାଡ଼ିଲେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ପାତ୍ର

ଭୁବନେଶ୍ୱର/ପୁରୀ: ପୁରୀ ଜିଲ୍ଲାର ନିମାପଡ଼ା ଆସନରୁ ମିଳିଥିବା ଟିକେଟକୁ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର ଓରଫ ରମୁ ଫେରାଇ ଦେଇଛନ୍ତି। ଟିକେଟ ଫେରାଇବାର କିଛି ସମୟ ପରେ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି। ଦଳ ଛାଡ଼ିବା ପରେ ସେ ଅଭିଯୋଗ ଆଣିଛନ୍ତି ଯେ, ପିସିସି ସଭାପତି ଟଙ୍କା ନେଇ ଟିକେଟ ଦେଉଛନ୍ତି।

ପୂର୍ବରୁ କଂଗ୍ରେସ ପକ୍ଷରୁ ବଡ଼ଚଣା ପାଇଁ ମିଳିଥିବା ଟିକେଟକୁ ସୀତାକାନ୍ତ ମହାପାତ୍ର ଫେରାଇ ଦେଇଥିଲେ। ନିଜର ପ୍ରତିକ୍ରିୟାରେ ସୀତାକାନ୍ତ ଗଣମାଧ୍ୟମକୁ କହିଥିଲେ, ନିର୍ବାଚନ ପାଇଁ ଏବେ କମ ସମୟ ଅଛି ଏବଂ ଏହି ସମୟ ମଧ୍ୟରେ ଅନ୍ୟ ଦଳକୁ ମୁକାବିଲା କରିବା ସହଜ ନୁହେଁ। କଂଗ୍ରେସ ମୋତେ ଏପ୍ରିଲ ୭ରେ ଟିକେଟ ଦେଇଥିଲା।

କଂଗ୍ରେସ ଟିକେଟ ପାଇ ମଧ୍ୟ ଏଥର ରାଜ୍ୟର ବଡ଼ ବଡ଼ ନେତାମାନେ ଖୁସି ଅନୁଭବ କରି ନଥିବା ଜଣାପଡ଼ିଛି। କାରଣ ପୂର୍ବରୁ ମଧ୍ୟ ବରିଷ୍ଠ ନେତାମାନେ କଂଗ୍ରେସ ଟିକେଟକୁ ଗୁରୁତ୍ୱ ଦେଇ ନାହାନ୍ତି। ପୂର୍ବରୁ ପିପିଲି ଆସନ ପାଇଁ ଟିକେଟ ପାଇଥିବା ଯୁଧିଷ୍ଠିର ସାମନ୍ତରାୟ ଟିକେଟ ଫେରାଇଥିଲେ। ସେହିପରି ରାଉରକେଲା ପାଇଁ ଟିକେଟ ପାଇଥିବା ମୁକ୍ତିକାନ୍ତ ବିଶ୍ୱାଳ ମଧ୍ୟ ଟିକେଟ ଫେରାଇ ଦେଇଥିଲେ। ସେ ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିଲେ। ତିର୍ତ୍ତୋଲରୁ ଟିକେଟ ପାଇଥିବା ବିଭୁ ପ୍ରସାଦ ତରାଇ ଟିକେଟ ପାଇ ମଧ୍ୟ ଦଳ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର