ତିନି ସାଙ୍ଗଙ୍କ ଉଦ୍ଭାବନ: ଗାଡି ଧୂଆଁରୁ ପ୍ରସ୍ତୁତ ହେବ ପ୍ରିଣ୍ଟର ପାଇଁ କାଳି

ଇନ୍ଦୋର: ଦିନକୁ ଦିନ ସାରା ବିଶ୍ୱରେ ବଢୁଛି ପ୍ରଦୂଷଣର ମାତ୍ରା | ଆମ ଦେଶର ଦିଲ୍ଲୀରେ ପ୍ରଦୂଷଣ ଏତେ ମାତ୍ରାରେ ବ୍ୟାପକ ହେବାରେ ଲାଗିଛି ଯେ ଏଠାରେ ଜୀବନ ଜିଇଁବା କଷ୍ଟକର ହୋଇପଡୁଛି | ଯାହାକୁ ନେଇ ପରିବେଶବିତ ଚିନ୍ତାରେ ଥିବାବେଳେ ୩ ଜଣ ସାଙ୍ଗ ଏବେ ପ୍ରଦୂଷଣମୁକ୍ତ ଭାରତର ସ୍ବପ୍ନ ଦେଖି ନୂଆ ଆବିଷ୍କାର କରିବାରେ ଲାଗିପଡିଛନ୍ତି | ଆଜି ଆମେ ଆପଣଙ୍କୁ ଏମିତି ତିନିଜଣ ସାଙ୍ଗଙ୍କ ବିଷୟରେ କହିବୁ ଯେଉଁମାନେ କଲେଜରେ ପାଠପଢା ସାରିବା ପରେ ପ୍ରଦୂଷଣ ମୁକ୍ତ ଭାରତ ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି | ମଧ୍ୟପ୍ରଦେଶ ଇନ୍ଦୋରର ଅକ୍ରପାଲିସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚର ତିନି ଜଣ ଛାତ୍ର ହର୍ଷ ନିଖରା, ଗଗନ ତ୍ରିପାଠୀ ଓ ଦିବ୍ୟାଙ୍କ ଗୁପ୍ତା |

Photo-Better India

ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଂଜିନିୟରିଂ ପଢ଼ୁଥିବା ଏହି ଛାତ୍ରମାନେ ଏବେ ନିଜର ନୂଆ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି | ଷ୍ଟାର୍ଟଅପଟିର ନାମ ନଭୋବିରସ ଆଇଟିସ ପ୍ରାଇଭେଟ ଲିମିଟେଡ଼ ରଖିଥିବାବେଳେ ଏୟାର ପ୍ୟୁରିଫାୟାର ବା ବାୟୁ ବିଶୋଧନ ଯନ୍ତ୍ର ନିର୍ମାଣରେ ଲାଗିପଡିଛନ୍ତି | ୨୦୧୮ ମସିହାରେ ଏହି ଷ୍ଟାର୍ଟଅପ ଆରମ୍ଭ କରାଯାଇଥିବାବେଳେ ୨୦୧୯ ମସିହା ଡିସେମ୍ବର ମାସରେ ପ୍ରଥମ ଏୟାର ପ୍ୟୁରିଫାୟାର ବିକ୍ରି କରିଥିଲେ |

Photo-BetterIndia

୧୬ ହଜାର ଟଙ୍କାରୁ ନେଇ ୨ ଲକ୍ଷ ଟଙ୍କା ଯାଏଁ ପ୍ୟୁରିଫାୟାର ଥିବାବେଳେ ଏବେ ଏହାର ଚାହିଦା ବଢ଼ିଥିବାର ଦେଖିବାକୁ ମିଳିଛି | ବିଶେଷ କରି ବିବାହ ଉତ୍ସବ, ଅଫିସ ଓ ଭିଡ ସ୍ଥାନରେ ଏହି ଏୟାର ପ୍ୟୁରିଫାୟାର ବ୍ୟବହାର କରାଯାଉଥିବାବେଳେ ଟ୍ରାଫିକ ପୋଷ୍ଟ ମାନଙ୍କରେ ମଧ୍ୟ ଖୁବ ଶୀଘ୍ର ପ୍ୟୁରିଫାୟାର ଲଗାଯିବ ବୋଲି ତିନି ଜଣ ସାଙ୍ଗ କହିଛନ୍ତି | ବିଶେଷ କରି ଟ୍ରାଫିକ ଛକମାନଙ୍କରେ ବାହାରୁଥିବା ଧୂଆଁକୁ ଏହି ପ୍ୟୁରିଫାୟାର ଶୋଷି ନେଇ ପ୍ରିଣ୍ଟର ଓ କଲମ ପାଇଁ କାଳି ମଧ୍ୟ ଉତ୍ପାଦନ କରିପାରିବ | ଯେଉଁ ଗାଡିମାନଙ୍କରୁ ଅଧିକ ମାତ୍ରାରେ କଳା ଧୂଆଁ ବାହାରୁଛି ସେଥିରୁ ସହଜରେ ପ୍ରିଣ୍ଟର ପାଇଁ ଇଙ୍କ ବା କାଳି ପ୍ରସ୍ତୁତ କରାଯାଇପାରିବ | ଏଠାରେ ସୂଚନା ଥାଉ କି ତିନି ଜଣ ସାଙ୍ଗଙ୍କ ଏହି ଉଦ୍ୟମକୁ ଭାରତ ସରକାର ମଧ୍ୟ ପ୍ରଶଂସା କରିଛନ୍ତି | ଦେଶର ପ୍ରମୁଖ ୫ଟି ଉଦ୍ଭାବନ ତାଲିକାରେ ଏହି ତିନି ସାଙ୍ଗଙ୍କ କମ୍ପାନୀର ନାମ ମଧ୍ୟ ରହିଛି |

ସମ୍ବନ୍ଧିତ ଖବର