ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମାଗିଲେ ମହିଳା କନଷ୍ଟେବଲ : ଅଡ଼ୁଆରେ ପୁଲିସ୍ ବିଭାଗ

ମୁମ୍ବାଇ: ମହାରାଷ୍ଟ୍ରର  ପୁଲିସ ବରିଷ୍ଠ ଅଧିକାରୀମାନେ ଏଇ କିଛିଦିନ ହେବ ସମସ୍ୟାରେ ଅଛନ୍ତି । ଏହି ସମସ୍ୟାର କାରଣ ହେଉଛନ୍ତି ଜଣେ ମହିଳା ପୁଲିସ କନଷ୍ଟେବଲ। ଏହି ମହିଳା କନଷ୍ଟେବଲ ଜଣକ ନିଜର ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ପୁଲିସ ଅଧିକାରୀଙ୍କୁ ଅନୁମତି ପତ୍ର ମାଗିଛନ୍ତି।

ସୂଚନାଯୋଗ୍ୟ,୨୭ବର୍ଷୀୟା କନଷ୍ଟେବଲ ଲଲିତା ସାଲବୀ ପୁଲିସ ଅଧିକାରୀମାନଙ୍କୁ ତଥା ରାଜ୍ୟ ଡେପୁଟି ଜେନେରାଲ ସତିଶ ମାଥୁରଙ୍କୁ ନିଜର ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅନୁମତି ମାଗିଛନ୍ତି। ଅନ୍ୟପକ୍ଷରେ ଲିଙ୍ଗ ପରିବର୍ତ୍ତନ କରି ଲଲିତା ଚାକରି ଜାରି ରଖିବେ ବୋଲି ବି କହିଛନ୍ତି।

ସାଙ୍କେତିକ ଫଟୋ

ଲିଙ୍ଗ ପରିବର୍ତ୍ତନ କରିବା ବ୍ୟକ୍ତିଗତ ନିଷ୍ପତ୍ତି ଅଟେ କିନ୍ତୁ ଲଲିତା ପୁଲିସ ବିଭାଗ ସହିତ ଯୋଡ଼ି ହୋଇଥିବାରୁ ଏହି ନିଷ୍ପତ୍ତି ପୁଲିସ ବିଭାଗକୁ ଅସୁବିଧାରେ ପକାଇ ପାରେ ବୋଲି କୁହାଯାଉଛି।

ମହିଳା କନେଷ୍ଟବଲ ଲଲିତା କହନ୍ତି, ମୋତେ ମହିଳା ଭାବେ ଜୀବନ ବଞ୍ଚିବାରେ ବହୁ ଅସୁବିଧା ହେଉଛି। ତେଣୁ ମୁଁ ମୋର ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଛି।

ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ପ୍ରଥମ ଥର ଏଭଳି ଘଟଣା ସାମ୍ନାକୁ ଆସିଛି। ଆମ୍ଭେମାନେ ଦ୍ୱିଧାରେ ଅଛୁ। କାରଣ ଏହା ବୁଝିବା କଷ୍ଟକର ହେଉଛି ଯେ, ଯେଉଁ କାର୍ଯ୍ୟ ଲଲିତା ଏବେ କରୁଛନ୍ତି, କ’ଣ ଲିଙ୍ଗ ପରିବର୍ତ୍ତନ କରିବା ପରେ ସେହି କାମ କରିବାରେ ସେ ସକ୍ଷମ ହେବେ?

ସେହିପରି ଲଲିତାଙ୍କ ସହିତ କାମ କରୁଥିବା ଜଣେ ମହିଳା କନଷ୍ଟେବଲ କହନ୍ତି, ଗତ ଚାରିବର୍ଷ ହେବ ଲଲିତା ନିଜର ଶରୀରରେ କିଛି ପରିବର୍ତ୍ତନ ହେବାର ଅନୁଭବ କରୁଛି। ଯାହାକି କେବଳ ପୁରୁଷ ଶରୀରରେ ହିଁ ହୋଇଥାଏ। ଏହାପରେ ଲଲିତାଙ୍କୁ ନିଜର ଲିଙ୍ଗ ପରିବର୍ତ୍ତନ କରିବାର ନିଷ୍ପତ୍ତି ହିଁ ଠିକ୍‌ ଲାଗିଥିଲା।

ଲଲିତା ୨୦୦୯ରେ ମହାରାଷ୍ଟ୍ର ପୁଲିସରେ ନିଯୁକ୍ତି ପାଇଥିଲେ । ଦୁଇମାସ ପୂର୍ବରୁ ସେ ନିଜ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର