ଓଡ଼ିଶାର ଖଣି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି : ଅଷ୍ଟ୍ରେଲୀୟ କନସୁଲ ଜେନେରାଲ

ଭୁବନେଶ୍ୱର : ଓଡ଼ିଶାର ଖଣି ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ଏ କ୍ଷେତ୍ରରେ ଅଷ୍ଟ୍ରେଲିଆର ଅନେକ ଅଭିଜ୍ଞତା ଥିବାରୁ ଓଡ଼ିଶା ତାହାର ସୁଯୋଗ ନେଇପାରିବ । ଏହା ଛଡା ଖଣି ଉପକରଣ,ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଗାମୀ ଦିନରେ ଅଷ୍ଟ୍ରେଲିଆ ପାଇଁ ଏକ ଫୋକସ ବା ଅଗ୍ରାଧିକାର ରାଜ୍ୟରେ ପରିଣତ ହେବ ବୋଲି କହିଛନ୍ତି କୋଲକତାରେ ଥିବା ଅଷ୍ଟ୍ରେଲୀୟ କନସୁଲେଟ୍ ଜେନେରାଲ ଆଣ୍ଡ୍ର୍ୟୁ ଫୋର୍ଡ କହିଛନ୍ତି ।
ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଫୋର୍ଡ କହିଛନ୍ତି ଯେ ଚୀନ ଏବେ ଅଷ୍ଟ୍ରେଲିଆର ବୃହତ୍ତମ ବାଣିଜ୍ୟ ସହଯୋଗୀ ରହିଛି । ଚୀନ ପଛକୁ ଜାପାନ, ଆମେରିକା ଓ ଭାରତ ରହିଛନ୍ତି । ଭାରତ ସହ ଅଷ୍ଟ୍ରେଲିଆର ହେଉଥିବା ବାଣିଜ୍ୟ କାରବାରର ଏକ ବଡ଼ ଭାଗ କୋଇଲା ଅଧିକାର କରିଛି । ଭାରତ ନିଜର କୋକିଂ କୋଲ ଆବଶ୍ୟକତାର ଆଧିକାଂଶ ଭାଗ ଅଷ୍ଟ୍ରେଲିଆରୁ ଆମଦାନୀ କରେ । ଓଡ଼ିଶା ଭାରତର ଇସ୍ପାତ ରାଜଧାନୀ ହୋଇଥିବାରୁ ଓଡ଼ିଶାକୁ ଅଷ୍ଟ୍ରେଲିଆରୁ କୋକିଂ କୋଲ ଆମଦାନୀ ହୋଇ ଆସିଥାଏ ବୋଲି ସେ କହିଛନ୍ତି ।

ଓଡ଼ିଶାରେ ଚାଲିଥିବା ଖଣି ନିଲାମରେ କୌଣସି ଅଷ୍ଟ୍ରେଲୀୟ କମ୍ପାନି ଭାଗ ନେଇଛନ୍ତି କି ନା, ସେପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଏହି ନିଲାମରେ କୌଣସି ଅଷ୍ଟ୍ରେଲୀୟ କମ୍ପାନି ଭାଗ ନେଇଥିବାର ସୂଚନା ନାହିଁ । ତେବେ ଖଣିଜ ଅନେ୍ଵଷଣ ବା ଏକ୍ସପ୍ଲୋରେସନ କ୍ଷେତ୍ରରେ ଭାରତ ସରକାରଙ୍କ ରାଷ୍ଟ୍ରାୟତ ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ ( ଏମଇସିଆଇଏଲ) ଅଷ୍ଟ୍ରେଲିଆର ଖଣିଜ ସନ୍ଧାନ ସଂସ୍ଥା ସହ ସହଯୋଗୀତା କରିଛି । ସୂଚନାଯୋଗ୍ୟ ଯେ ଭାରତ ସରକାର ନିଜର ସଂଶେଧିତ ଖଣି ଆଇନରେ ବିଦେଶୀ କମ୍ପାନିମାନଙ୍କୁ ଖଣିଜ ସଂଧାନ କ୍ଷେତ୍ରରେ ପ୍ରବେଶ କରିବାର ପଥ ଖୋଲିଦେଇଛନ୍ତି ।
ସେ କହିଛନ୍ତି ଯେ ଆସନ୍ତା ୨୦୩୫ ସୁଦ୍ଧା ଭାରତରେ ଅଷ୍ଟ୍ରେଲିଆର ନିବେଶ ପରିମାଣ ୧୦୦ ବିଲିୟନ ଅଷ୍ଟ୍ରେଲିଆ ଡଲାରରେ ପହଞ୍ଚିବ । ଏସବୁ ନିବେଶ ପାଇଁ ୧୦ଟି ଅଗ୍ରାଧିକାର କ୍ଷେତ୍ର ଚୟନ କରାଯାଇଛି । ଏସବୁ କ୍ଷେତ୍ର ମଧ୍ୟରେ ରହିଛି ଶିକ୍ଷା, କୃଷିବ୍ୟବସାୟ, ସମ୍ବଳ (ଖଣିଜ ସାମଗ୍ରୀ ଇତ୍ୟାଦି), ପର୍ଯ୍ୟଟନ,ଶକ୍ତି, ସ୍ୱାସ୍ଥ୍ୟ ସେବା, ଭିତ୍ତିଭୂମି, ବନ୍ଦର ଇତ୍ୟାଦି ।

ସମ୍ବନ୍ଧିତ ଖବର