ଅସରନ୍ତି ସମସ୍ୟାରେ ଆଶାର ଝଲକ୍‌

1 93

ସକାଳୁ ସକାଳୁ ହଜାର ହଜାର ଲୋକ ଏକାଠି ହୋଇଥିଲେ ଜାନବାଇ କୂଳରେ। ମନ ଭିତରେ ପ୍ରବଳ ଉତ୍ସାହ ଥିଲା। ଜୀବନରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏତେ ପାଖରେ ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। କେହି ମୁହୂର୍ତ ପର୍ଯ୍ୟନ୍ତ କାହା ପାଖରେ ଭାଷା ନଥିଲା। ହେଲେ ଏହା ବେଶି ସମୟ ରହିଲା ନାହିଁ। କେଇ ସେକେଣ୍ଡ୍‌ ମଧ୍ୟରେ ଉଭାଇଗଲା। ବିଚ୍ଛିନ୍ନାଞ୍ଚଳବାସୀ ଅର୍ଧ ଶତାବ୍ଦୀ ଧରି ଭୋଗୁଥିବା ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଗୋଟିଏ ଗୋଟିଏ ପରେ ଓଗାଳିବା ଆରମ୍ଭ କରିଦେଇଥିଲେ। ସେତୁ ଲୋକାର୍ପଣ ପାଇଁ ଖୁସିବ୍ୟକ୍ତ କରିବା ସହିତ କହିିଥିଲେ, ଆମର ରାସ୍ତା ନାହିଁ, ତୁରନ୍ତ ଏହା ପୂରଣ କରନ୍ତୁ। ପିଇବା ପାଣି ନଥିବାରୁ ଆମେ ନାହିଁ ନଥିବା ସମସ୍ୟା ଭୋଗୁଛୁ। ବିଦ୍ୟାଳୟ ଖୋଲିବା ଦରକାର, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉନ୍ନତି ଆବଶ୍ୟକ। ଏମିତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ଦେଇ ଚାଲିଆସିଥିଲେ।

ଗୁରୁପ୍ରିୟା ସଂପର୍କର ସେତୁ ସ୍ଥାପନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚ୍ଛିନ୍ନାଞ୍ଚଳରେ ପାଦ ଦେବା ମାତ୍ରେ ଆଜି ଏଭଳି ଭାବେ ତାଙ୍କ ପାଖରେ ପ୍ରଥମ ଦରଖାସ୍ତ ପଡ଼ିଥଲା। ସଂପର୍କର ଏହି ସେତୁ ଏବେ ସ୍ଥାନୀୟ ଲୋକଙ୍କ ଭିତରେ ଅନେକ ଆଶା ସୃଷ୍ଟି କରିଛି। ଏତେ ସଂଖ୍ୟକ ଲୋକ ପ୍ରଶାସନର ବଡ଼ ବାବୁ ଓ ଖୋଦ୍‌ ରାଜ୍ୟର ମୁଖିଆ ତାଙ୍କ ଅଞ୍ଚଳରେ ପ୍ରଥମ କରି ପାଦ ଦେଇଥିବାରୁ ସେମାନେ ଆମୋଦିତ ହୋଇଥିଲେ। ହେଲେ କେଉଁଠି ନା କେଉଁଠି ସେମାନଙ୍କ ହସ ଭିତରୁ ବିଚ୍ଛିନ୍ନାଞ୍ଚଳର ବିକଳ ଚିତ୍ର ପଦାକୁ ଚାଲିଆସିଥିଲା।

ମୁଖ୍ୟମନ୍ତ୍ରୀ ଚାଲିଯିବା ପରେ ମୁରବିମାନେ ଆମ ସାମ୍ନାକୁ ଆସି ବଖାଣିଥିଲେ, ସେମାନଙ୍କ ଅକଥନୀୟ ଦୁର୍ଦଶାର ଲମ୍ବା ଇତିହାସ। ଜାନବାଇ କୁଳରେ ଛିଡ଼ାହୋଇ ବଡ଼ପଡ଼ା ଅଞ୍ଚଳର ସୁଚୁ ଗଲରି କହିଥିଲେ- ବାବୁ, ଆମକୁ ୩ଶହ ଟଙ୍କା ଲେଖାଏଁ ଫି ମାସରେ ଭତ୍ତା ମିଳୁଛି। ଟଙ୍କିକିଆ ଚାଉଳ ବି ପାଉଛୁ। ବହୁଦିନ ତଳେ ସରପଞ୍ଚ ନୀଳକଣ୍ଠକୁ କହିଥିଲୁ, ମନ୍ତ୍ରୀ (ମୁଖ୍ୟମନ୍ତ୍ରୀ)କୁ କହ ରାସ୍ତା କରିବ, ଆମେ ମରିଯିବୁ। ଆଜି ରାସ୍ତା ହୋଇଛି ଓ ସେ ନିଜେ ଆମ ପାଖକୁ ଆସିଥିଲା। ହେଲେ ଏବେ ବି ଏହି ପୋଲଠାରୁ ଅଳ୍ପ କେଇ ବାଟ ଗଲା ପରେ ରାସ୍ତା ନାହିଁ। ପିଇବା ପାଣି ଆମ ପାଖରେ ନାହିଁ। ଚୁଆ ଖୋଳି ଗୋଳିଆ ପାଣି ବର୍ଷ ବର୍ଷ ଧରି ପିଉଛୁ। କାହା ପାଖରେ ଅଭିଯୋଗ କରିଥାନ୍ତୁ, ଏଠାକୁ ତ ଆଜି ସମସ୍ତଙ୍କର ପ୍ରଥମ କରି ପାଦ ପଡ଼ିଛି।

ତାଙ୍କ ତୁଣ୍ଡରୁ ଏତିକି କଥା ସରିନାହିଁ, ସୁନାରା ସେଠୀ, ସଦାନନ୍ଦ ଅନ୍ତାଲ ଆମ ପାଖକୁ ମାଡ଼ି ଆସି ତାଙ୍କ ପାଟି ଚୁପ୍‌ କରାଇବା ସହିତ କହିଥିଲେ, ଆରେ ରାସ୍ତା ପଛେ ହେବ। ଆଗ ଭିଟାମାଟି ତ ରହୁ। ଲୁହ ବୋହି ଆସିଥିଲା ଆଖିରୁ। କହିଥିଲେ, ବାବୁ, ସରକାର ଜଙ୍ଗଲ ଜମି ପଟ୍ଟା ଦେଇଛନ୍ତି। ୨ ଏକର ଜମି ମିଳିଛି। କିନ୍ତୁ ଏହା କେଉଁ କାମକୁ ନୁହେଁ। ପିଲାମାନେ ତ ଆମର ପାଠ ପଢ଼ିପାରୁନାହାନ୍ତି। କାରଣ ଆମକୁ ଜାତି ପ୍ରମାଣପତ୍ର ମିଳୁନାହିଁ। ଆର୍‌ଆଇ ଆମକୁ ଦୁର୍‌ ଦୁର୍‌ ମାର୍‌ କରୁଛି। କହୁଛି, ରଣା, ଗଉଡ଼, କମାର, ଦୋରା ଏମାନଙ୍କୁ ପ୍ରମାଣପତ୍ର ଦେଇହେବ ନାହିଁ। ଆମ ପିଲାମାନେ ଜାତି ସାର୍ଟିଫିକେଟ୍‌ ପାଇପାରୁନଥିବାରୁ ପାଠ ପଢ଼ିପାରୁନାହାନ୍ତି। ଏବର୍ଷ ଏଯାଏ ନାମ ଲେଖା ହୋଇନି। ଆର୍‌ଆଇ ୧୦ ହଜାର ଟଙ୍କା ମାଗୁଛି। କେଉଁଠୁ ଆଣିବୁ ଏତେ ଟଙ୍କା। ବାଳକୃଷ୍ଣ ହନ୍ତାଳ କହିଥିଲେ, ମୁଁ ଏବେ ଆର୍‌ଆଇକୁ ହଜାରେ ଟଙ୍କା ଦେଇ ଆସିଛି। ବାକି ଟଙ୍କା ଦେଲେ ସେ ପ୍ରମାଣପତ୍ର ଦେବେ। ଏଇଟା ଆଗ ସମାଧାନ ହେବା ଦରକାର। ଆମକୁ କାହିଁକି ଜାତି କାର୍ଡ ଖଣ୍ଡକ ମିଳିବନାହିଁ।

ମୁତାଆମ୍ବ ଗାଁର ଦଇମତି କଅଁର କହିଥିଲେ, ବାବୁ ଏଠି ଭେଣ୍ଡିଆମାନଙ୍କୁ ଭତ୍ତା ମିଳୁଛି। ଆମକୁ ନାହିଁ। ବୁଢ଼ାବୁଢ଼ିଙ୍କ କଥା କେହି ଶୁଣୁନାହାନ୍ତି। କେବଳ ଦଇମତି ନୁହେଁ, ସୀତା ମା, ପୁରୁଟା ମାଟମ୍‌ ପ୍ରମୁଖଙ୍କ ଅଭିଯୋଗ ମଧ୍ୟ ସମାନ। ସମସ୍ତେ ଏକା ସ୍ୱରରେ ସ୍ୱୀକାର କରିଥିଲେ, ମମତା ଯୋଜନା କ’ଣ ସେମାନେ ଜାଣନ୍ତିନି। ଛତୁଆଠାରୁ ଆରମ୍ଭ କରି ମୋ କୁଡ଼ିଆ ପର୍ଯ୍ୟନ୍ତ ନବୀନଙ୍କର ନୂଆ ଯୋଜନା ସଂପର୍କରେ ସେମାନେ ଅଜ୍ଞ।

କିଛି ଯୁବକଙ୍କ ଅଭିଯୋଗ ଥିଲା, ସବୁ ଗାଁରେ ପ୍ରାଥମିକ ସ୍କୁଲ୍‌ ଅଛି, କିନ୍ତୁ ୧୫୧ଟି ଗାଁ ପାଇଁ ହାଇସ୍କୁଲ୍‌ ଗୋଟିଏ। କଲେଜ ୬୦ କିଲୋମିଟର ମଧ୍ୟରେ ନାହିଁ। ଏଣୁ ଯେଉଁ କିଛି ପିଲା ପାଠ ପଢ଼ୁଛନ୍ତି, ସେମାନଙ୍କ ପାଠପଢ଼ାରେ ଅଧାରୁ ଡୋରି ଲାଗୁଛି। ବିଦ୍ୟୁତ୍‌କରଣ ବ୍ୟବସ୍ଥା ଶତପ୍ରତିଶତ କାର୍ଯ୍ୟକାରୀ ହୋଇନାହିଁ। ଗୁରୁପ୍ରିୟାକୁ ନେଇ ସେମାନେ ଖୁସି, କିନ୍ତୁ ପେଟରମାଟଲା, ମାଲିଗୁଡ଼ା ଓ ଡଲିଆମ୍ବରେ ତୁରନ୍ତ ଛୋଟ ଛୋଟ ପୋଲ ନିର୍ମାଣ ନ ହେଲେ, ସେମାନଙ୍କ ସମସ୍ୟା ଦୂର ହେବ ନାହିଁ।

ବିଚ୍ଛିନ୍ନାଞ୍ଚଳବାସୀଙ୍କ ମନରେ ଥିବା କ୍ଷୋଭ ଏତିକିରେ ସରିନଥିଲା। ସେମାନେ କହିଥିଲେ, ପ୍ରତିବର୍ଷ ଜାନବାଇ ନିକଟରେ ୧୫ରୁ ୨୦ ଜଣ ଲୋକ ପ୍ରାଣ ହରାଉଛନ୍ତି। ଦୁଇ ଦିନ ତଳେ କତାଓରି ଗାଁର ଚିଟି ବାବୁ ନଈରେ ବୁଡ଼ିଯାଇଛନ୍ତି। ଏକଥାକୁ କେହି ନଜର ଦେଉନାହାନ୍ତି। ଚିକିତ୍ସା ପାଇଁ ୩୦ କିଲୋମିଟର ଯିବୁ। ସେଠି ଡାକ୍ତର ନଥିବେ। ମାଣ୍ଡିଆ ଆଦି ଧରି ନଈ କୁଳରେ ବସିଥିବୁ, ବିକ୍ରି କରିବାକୁ ଯାଇ ପାରିବୁନି। ଏବେ ଏଥିରୁ ମୁକ୍ତି ମିଳିବ ଓ ସାହୁକାର ଏଠାକୁ ଆସିବ ଓ ଆମେ ଚିତ୍ରକୋଣ୍ଡାକୁ ବଜାର ପାଇଁ ଯାଇପାରିବୁ। ହେଲେ, ସେଠି ତ ଡାକ୍ତର ନାହାନ୍ତି। ସେଠି ତ ବି ଆମକୁ ମୂଲ୍ୟ ମିଳୁନାହିଁ। ବିଚ୍ଛିନ୍ନାଞ୍ଚଳରେ ଡାକ୍ତର ନଥିବାରୁ ନକଲି ଡାକ୍ତର (କ୍ୱାକ୍‌) ମାଳ ମାଳ। ଆମେ ଏକଥା ଜାଣିପାରୁଛୁ। ସେମାନେ ଆମଠାରୁ ଢେର୍‌ ଅଧିକ ପଇସା ନେଉଛନ୍ତି ଔଷଧ ପାଇଁ। କିନ୍ତୁ କାହାକୁ ଗୁହାରି କରିବୁ। ପୁଲିସ ବାବୁ ବି ଏଠାକୁ ଆସନ୍ତିନି। ବର୍ଷ ବର୍ଷ ଧରି ସେମାନଙ୍କର ଏଠାରେ ପାଦ ପଡ଼ିନି।

ହେଲେ ନକ୍ସଲଙ୍କ ସଂପର୍କରେ କିନ୍ତୁ ଉଁ କି ଚୁଁ କିଛି କହିନଥିଲେ। କହିଥିଲେ, ଆମକୁ କିଏ ସୁରକ୍ଷା ଗ୍ୟାରେଣ୍ଟି ଦେବ। ପୁଲିସ ପାଖ ମାଡୁନାହିଁ। ଏଣୁ ତାଙ୍କ କଥା ନ ମାନିଲେ ମୃତ୍ୟୁ ଦଣ୍ଡ ମିଳିବ, ମାଡ଼ ମିଳିବ ନ ହେଲେ ଭିଟାମାଟି ଛାଡିବାକୁ ବାଧ୍ୟ ହେବୁ। ଏଠି ମୋବାଇଲ୍‌ ଧରିବା ମନା, ଭଲ ପୋଷାକ ପିନ୍ଧିବା ମନା। ଭଲ ଘର କରିବା ମନା। ଜମି ଅଧିକ ଥିଲେ, ନକ୍ସଲ ଛଡାଇ ନେବେ। ଘରୁ ଖାଇବା ବି। ଭଗବାନଙ୍କ ଭରସାରେ ପଡିରହିଛୁ।

ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତରେ କହିଥିଲେ, ଲୋକଙ୍କ ଅଭିଯୋଗ କିଛି ମିଛ ନୁହେଁ। କାରଣ, ଭିନିଲ କ୍ରିଷ୍ଣା ଅପହରଣ ପରଠାରୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ କଥା ଦୂରେ ଥାଉ, ବ୍ଲକସ୍ତରୀୟ ଅଧିକାରୀ ବି ବିଚ୍ଛିନ୍ନାଞ୍ଚଳକୁ ଯାଇନାହାନ୍ତି। ଏବେ କିନ୍ତୁ ଏଥିରେ ସୁଧାର ଆସିବ ଓ ଗୁୁରୁପ୍ରିୟା ବିଚ୍ଛିନ୍ନାଞ୍ଚଳ ସହିତ ସଂପର୍କ କେବଳ ବଢାଇବ ତା ନୁହେଁ, ସେମାନଙ୍କ ଆଶଙ୍କା ବି ଦୂର କରିବ।

ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଲେ, ବିଚ୍ଛିନ୍ନାଞ୍ଚଳର ସାତ କିଲୋମିଟର ଭିତରେ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ସେଠାରେ ଗୋଟିଏ କଂପାନି ଯବାନ ରହୁଛନ୍ତି। ଖୁବ୍‌ଶୀଘ୍ର ଦ୍ୱିତୀୟ କ୍ୟାମ୍ପ ହେବ। ଅଳ୍ପ କେଇ ବର୍ଷ ମଧ୍ୟରେ ବିଚ୍ଛିନ୍ନାଞ୍ଚଳକୁ ପ୍ରଶାସନ କବ୍‌ଜାକୁ ନେବ।

ଜାନବାଇରୁ ଭବାନୀ ଶଙ୍କର ତ୍ରିପାଠୀଙ୍କ ରିପୋର୍ଟ

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Anirudh says

    Very sad story,very very thank sambad team