୧୨ବର୍ଷର ଭାରତୀୟ ଝିଅ ୮୦ଟି ଭାଷାରେ ଗାଉଛି ଗୀତ

ଦୁବାଇ: ଦୁବାଇରେ ରହୁଥିବା ଭାରତୀୟ ବଂଶୋଦ୍ଭବ  ୧୨ବର୍ଷର ଝିଅ ଗିନିସ ଓ୍ଵାଲର୍ଡ ରେକର୍ଡରେ ନିଜ ନାମକୁ ସାମିଲ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି କୁନି କଳାକାରଙ୍କ ନାମ ହେଉଛି ସୁଚେତା ସତିଶ । ସୁଚେତା ଗୋଟିଏ ଗୀତକୁ ଭିନ୍ନ-ଭିନ୍ନ ଭାଷାରେ ଗାଇବାର ପ୍ରସ୍ତୁତି କରୁଛନ୍ତି। ସୁଚେତା ଦୁବାଇ ଇଣ୍ଡିଆନ୍‌ ହାଇସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ସେ ଡିସେମ୍ବର ୨୯ ତାରିଖରେ  ୮୫ଟି ଭାଷାରେ ଗୀତ ଗାଇ ରେକର୍ଡ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ୮୦ଟି ଭାଷାରେ ଗୀତ ଶିଖିଥିବା ସୁଚେତା ପ୍ରଥମ ଗୀତ ଜାପାନୀ ଭାଷାରେ ଗାଇଥିଲେ। ସୁଚେତାଙ୍କ ପିତା ଜାପାନରେ ତ୍ୱଚାରୋଗ ବିଶେଷଜ୍ଞ ଅଛନ୍ତି।

ସୁଚେତାଙ୍କ କହିବାନୁସାରେ, ତାଙ୍କୁ ବିଦେଶୀ ଭାଷାରେ ଗୀତ ଶିଖିବା ପାଇଁ ଦୁଇଘଣ୍ଟା ସମୟ ଲାଗିଥାଏ। ଯଦି ଗାଇବା ସମୟରେ ଉଚ୍ଚାରଣ ସହଜ ହୋଇଥାଏ ତେବେ ଖୁବ୍‌ ଶୀଘ୍ର ସେହି ଗୀତଟିକୁ ସେ ଶିଖି ଯାଇଥାଆନ୍ତି। ତାଙ୍କୁ ସବୁଠାରୁ ଫ୍ରେଞ୍ଚ୍‌, ଜର୍ମାନ ଓ ହଂଗେରିଆନ୍ ଭାଷାରେ ଗୀତ ଗାଇବା କଷ୍ଟ ହୋଇଥିଲା।

ଏଯାବତ୍‌ ସବୁଠାରୁ ଅଧିକ ଭାଷାରେ ଗୀତ ଗାଇ ଗିନିସ୍‌ ଓ୍ଵାଲର୍ଡ ରେକର୍ଡରେ ସାମିଲ ହୋଇଛନ୍ତି ଆନ୍ଧ୍ରପ୍ରଦେଶର କେସିରାଜୁ ଶ୍ରୀନିବାସ। ଶ୍ରୀନିବାସ ୨୦୦୮ରେ ଗାନ୍ଧି ହିଲରେ ୭୬ଟି ଭାଷାରେ ଗୀତ ଗାଇ ଏହି ରେକର୍ଡ ସୃଷ୍ଟି କରିଥିଲେ। ସୁଚେତା ତାଙ୍କ ରେକର୍ଡ ଭାଙ୍ଗିବାକୁ ଉଦ୍ୟମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର