ନାଲି କଙ୍କଡ଼ାରୁ ବାଘ ଯାଏଁ..

0 367

ଜୈବ ବିବିଧତାର ହଟ୍‌ସ୍ପଟ ଭାବେ ପରିଚିତ ଭିତରକନିକା ଉଦ୍ୟାନରେ ଦେଶର ୭୦ ପ୍ରତିଶତ ଲୁଣିପାଣି କୁମ୍ଭୀର ରହୁଥିବା ବେଳେ ମାଛରଙ୍କା, କାଠହଣା, ବଗ ଭଳି ୧୭୦ରୁ ଅଧିକ ପ୍ରକାରର ପକ୍ଷୀ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜନ୍ତି। ଡଙ୍ଗାରେ ବୁଲିବା ବେଳେ ଦୁଇ ପାର୍ଶ୍ୱରେ ଥିବା ବହଳ ହେନ୍ତାଳ ବଣ ସୁସ୍ଥ ଅନୁଭବ ଦେଇଥାଏ। ଏହା ନିକଟରେ ଡାଙ୍ଗମାଳରେ ଏକ ବିଶ୍ୱସ୍ତରୀୟ ବ୍ୟାଖ୍ୟାନ କେନ୍ଦ୍ର ଖୋଲିବ।

ଗହୀରମଥାରେ ଅଲିଭ୍‌ ରିଡ୍‌ଲେ ଦେଖିବାକୁ ଭିଡ଼ ଜମେ। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡା ଦେବାକୁ ଆସୁଥିବା ବେଳେ ଜାନୁଆାରି-ଫେବ୍ରୁଆରିରେ ଫେରିଯାଆନ୍ତି। ହଜାର ହଜାର ଅଲିଭ୍‌ ରିଡ୍‌ଲେଙ୍କ ଭିଡ଼ ଦେଖିବା ପାଇଁ ଏହି ସମୟରେ ଅଲିଭ୍‌ ରିଡ୍‌ଲେ ଟୁର୍‌ ମଧ୍ୟ ଅନୁଷ୍ଠିତ ହେଉଛି।

ମୟୂରଭଂଜର ଶିମିଳିପାଳ ଜାତୀୟ ଉଦ୍ୟାନରେ ହାତୀ ଓ ବ୍ୟାଘ୍ର ରିଜର୍ଭ ଦେଖିବାକୁ ପର୍ଯ୍ୟଟକଙ୍କ ଆଗମନ ହୁଏ। ରାଜ୍ୟରେ ଦେଖାଯାଉଥିବା ବାଘଙ୍କ ମଧ୍ୟରୁ ୭୫ ପ୍ରତିଶତ କେବଳ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରହିଛନ୍ତି।

ଜଳେଶ୍ୱରରୁ ୩୭ କିଲୋମିଟର ଦୂରରେ ଅବସ୍ଥିତ ତାଳସରିରେ ନାଲି କଙ୍କଡ଼ାର ଢେର୍‌ ଆକର୍ଷଣ ରହିଛି। ଚିଲିକାରେ ବିଦେଶୀ ପକ୍ଷୀଙ୍କର ଆଗମନ ହେଉଥିବା ବେଳେ ମଙ୍ଗଳାଯୋଡ଼ିରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ପକ୍ଷୀ ବ୍ୟାଖ୍ୟାନ କେନ୍ଦ୍ର ତଥା ବିହଙ୍ଗ ଭବନ ଗଢ଼ି ଉଠିଛି। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ବନ୍ୟଜୀବ ଅଭୟାରଣ୍ୟର ସୁନାବେଡ଼ା ଟାଇଗର ରିଜର୍ଭରେ ବାଘ ଏବଂ ଦେବ୍ରିଗଡ଼ ବନ୍ୟଜୀବ ଅଭୟାରଣ୍ୟରେ ବାଘ, ହେଟାବାଘ, ଚିତାବାଘ, ହରିଣ ସମେତ ବିଭିନ୍ନ ପ୍ରକାରର ସରୀସୃପ ଆକର୍ଷଣ ସାଜନ୍ତି।

ଟ୍ରି ହାଉସ୍‌ରେ ନିଆରା ଅନୁଭବ

ଗଛ ଉପରେ ରାତି କାଟିବେ। ଗଛରେ ରହିବେ, ଖାଇବେ ଓ ଶୋଇବେ। ସବୁ କିଛି ସୁବିଧା ଗଛ ଉପରେ ମିଳିବ। ସନ୍ଧ୍ୟାରୁ ଭୋର ପର୍ଯ୍ୟନ୍ତ ଜୀବଜନ୍ତୁଙ୍କ କଳରବରେ ବିତିବ ରାତି। ପର୍ଯ୍ୟଟକଙ୍କୁ ପ୍ରକୃତି ସହ ଯୋଡ଼ିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଘୁମୁସର ଉତ୍ତର ଡିଭିଜନ୍‌ରେ ଏଭଳି ସୁବିଧା ହୋଇଛି। ବରଗଛ ଉପରେ ନିମିତ କାଠ ଘରେ ଦୁଇଟି ରୁମ୍‌ ରହିଛି। ଭଞ୍ଜନଗର ଡ୍ୟାମ୍‌ ନିକଟରେ ଇକୋ-ଟୁରିଜିମ୍‌ ସ୍ଥଳ କରାଯାଇଛି। ସେଠାରେ ଟିମ୍ବର ହାଉସ୍‌ ସହ ଟିମ୍ବର କଟେଜ୍‌ ଓ ୩ଟି ଏସି ଟେଣ୍ଡ୍‌ ହାଉସ୍‌ ରହିଛି। ଚାରିପାଖ ପାହାଡ଼ ସାଙ୍ଗକୁ ଡ୍ୟାମ୍‌ ଏଠାକାର ପ୍ରମୁଖ ଆକର୍ଷଣ ସାଜିଛି। ନେଚର କ୍ୟାମ୍ପରେ ରାତିରେ ନିଆଁ ଜାଳି ମଜା ଉଠାଇପାରିବେ ପର୍ଯ୍ୟଟକ। ସାଇକେଲିଂ, ଟ୍ରେକିଂ, ବୋଟିଂ, ଫିସିଂ, ବାର୍ଡ ଓ୍ଵାଚିଂ ବ୍ୟବସ୍ଥା ମଧ୍ୟ ରହିଛି। ସାଳୁଆପଲ୍ଲୀ ଟେଣ୍ଡ୍‌ ହାଉସ୍‌ରେ ଦୁଇଟି କଟେଜ୍‌ ସହ ୩ଟି ଏସି ଟେଣ୍ଡ ହାଉସ୍‌ କରାଯାଇଛି। ଏଠାରେ ରହିବା ପାଇଁ ମଧ୍ୟ ଇକୋ-ଟୁର େଓ୍ଵବସାଇଟ୍‌ ମାଧ୍ୟମରେ ବୁକିଂ କରାଯାଉଛି।

ରାଜାଘର ପର୍ଯ୍ୟଟନ

ରାଜାଘରେ ମଉଜ କରିବା ପାଇଁ ରାଜକୀୟ ପର୍ଯ୍ୟଟନ ସୁଯୋଗ ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଏହାକୁ ନେଇ ଖସଡ଼ା ପ୍ରସ୍ତୁତ କରିଛି। ରାଜ୍ୟର ୧୬ଟି ରାଜପ୍ରାସାଦର ଦାୟାଦମାନଙ୍କୁ ଏକାଠି କରି ରାଜକୀୟ ପର୍ଯ୍ୟଟନ ପକ୍ଷରୁ ବିଗତ ଦିନରେ ବୈଠକ ହୋଇଛି। ସୂଚନା ମୁତାବକ, ରାଜ ଦରବାରର ଦାୟାଦମାନେ ନିଜକୁ ରାଜକୀୟ ପର୍ଯ୍ୟଟନ ବ୍ୟବସ୍ଥାରେ ପଂଜୀକୃତ କରିପାରିବେ। ଫଳରେ ପଂଜୀକୃତ ରାଜକୀୟ ପରିବାର ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆବଶ୍ୟକୀୟ ସୁବିଧା ସହଯୋଗ ପାଇପାରିବେ। ଆର୍ଥିକ ପ୍ରୋତ୍ସାହନଠୁ ଆରମ୍ଭ କରି ରାଜାଘରର ପୁନରୁଦ୍ଧାର ପାଇଁ ସହଯୋଗ ମିଳିବ।

Panda Mobile only

ସବୁଠୁ ବଡ଼ କଥା ହେଉଛି ରାଜକୀୟ ପର୍ଯ୍ୟଟନ କ୍ଷେତ୍ରକୁ କିଭଳି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ସେନେଇ  ପ୍ରକ୍ରିୟା ଚାଲିଛି। ଓଟିଡିସି େଓ୍ଵବ୍‌ସାଇଟ୍‌ରେ ପ୍ରଚାରପ୍ରସାର ସହ ଏନେଇ ସ୍ୱତନ୍ତ୍ର ପ୍ୟାକେଜ୍‌ର ମଧ୍ୟ ବନ୍ଦୋବସ୍ତ କରାଯିବାର ସମ୍ଭାବନା ରହିଛି ବୋଲି ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଯଦି ଏହି କାର୍ଯ୍ୟର ସଫଳ ରୂପାୟନ ହୁଏ ତେବେ, ୧୮୬୦ରେ ଗଢ଼ା ଯାଇଥିବା ଢେଙ୍କାନାଳ ପ୍ୟାଲେସ୍‌ଠୁ ଆରମ୍ଭ କରି ୧୭୦୦ ଖ୍ରୀଷ୍ଟାବ୍ଦରେ ଗଢ଼ି ଉଠିଥିବା କେନ୍ଦ୍ରାପଡ଼ାର ଆଳି ରାଜପ୍ରାସାଦ, ତାଳଚେର ପ୍ୟାଲେସ୍‌, ଢେଙ୍କାନାଳ ବୋରପଡ଼ାର ଗଜଲକ୍ଷ୍ମୀ ପ୍ୟାଲେସ୍‌, କଳାହାଣ୍ଡି ପ୍ୟାଲେସ୍‌, ଡାଲିଯୋଡ଼ି ପ୍ୟାଲେସ୍‌ ଓ ନୀଳଗିରି ପ୍ୟାଲେସ୍‌ ଆଦିରେ ରହି କେଇ କ୍ଷଣ ରାଜକୀୟ ଜୀବନ ଜୀଇଁବା ସହ ପର୍ଯ୍ୟଟନସ୍ଥଳୀ ଉପଭୋଗ କରିବାର ସୁଯୋଗ ମିଳିବ। ହୋମ୍‌ଷ୍ଟେ ବ୍ୟବସ୍ଥା ପାଇଁ ବିଭାଗ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ ଏଇ ନୂଆ ଧରଣର ରାଜକୀୟ ପର୍ଯ୍ୟଟନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାରେ ସହାୟକ ହେବ।

ରାଜାଘର ପର୍ଯ୍ୟଟନ 

ଝରଣାର କୁଳୁକୁଳୁ ନାଦ। ସାଙ୍ଗକୁ ପ୍ରାକୃତିକ ଶୋଭା। ଏଭଳି ଆକର୍ଷଣୀୟ ପରିବେଶ କେବଳ ଓଡ଼ିଶାରେ ହିଁ ଅନୁଭୂତ ହୁଏ। ବଲାଙ୍ଗୀରରୁ ବରଗଡ଼ ହେଉ ଅଥବା ସୁନ୍ଦରଗଡ଼ରୁ ଶିମିଳିପାଳ, ସବୁଠି ପର୍ଯ୍ୟଟକଙ୍କୁ ମଳେ ଏଭଳି ଅନୁଭୂତି। ସାରା ରାଜ୍ୟରେ ଶତାଧିକ ଜଳପ୍ରପାତ ଥିବା ବେଳେ ସେଥିମଧ୍ୟରୁ କେତେକ ଏବେ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି। ଦେବଗଡ଼ର ପ୍ରଧାନପାଟରୁ ଆରମ୍ଭ କରି ସୁନ୍ଦରଗଡ଼ର ଖଣ୍ଡାଧାର, ବଲାଙ୍ଗୀରର ହରିଶଙ୍କର ଜଳପ୍ରପାତ, ଶିମିଳିପାଳର ବରେହିପାଣି, ଦେବକୁଣ୍ଡ ଓ ଜୋରନ୍ଦା, କେନ୍ଦୁଝର ଜିଲ୍ଲାର ବଡ଼ଘାଗରା ଓ ସାନଘାଗରା, ମାଲକାନଗିରିର ଡୁଡୁମା, ଗଜପତି ଜିଲ୍ଲାର ଗଦାହାତୀ ଓ ଖସଡ଼ା ଜଳପ୍ରପାତ ବର୍ଷ ସାରା ପର୍ଯ୍ୟଟକଙ୍କୁ ଟାଣୁଛି।

ଜଳପ୍ରପାତ ବ୍ୟତୀତ ଝାରସୁଗୁଡ଼ାର ରମଚଣ୍ଡି ମନ୍ଦିର,  ବିକ୍ରମଖୋଲ ଗୁମ୍ଫା, ରାଉରକେଲାର ହନୁମାନ ବାଟିକା, ବେଦବ୍ୟାଶ ଧାମ, ବୌଦ୍ଧର ବୁଦ୍ଧ ମୂର୍ତ୍ତିର୍, ସମ୍ବଲପୁରର ଉଷାକୋଠୀ, ହୀରାକୁଦ ଡ୍ୟାମ, ହୁମା ମନ୍ଦିର, ସମଲେଶ୍ୱରୀ, ଘଟେଶ୍ୱରୀ ମନ୍ଦିର, ଚିପିଲିମା, ବରଗଡ଼ର ନୃସିଂହନାଥ, ଝାରସୁଗୁଡ଼ାର ରାମଚଣ୍ଡୀ ମନ୍ଦିର, ବରଗଡ଼ର ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ସବୁବେଳେ ପର୍ଯ୍ୟଟକଙ୍କ ପସନ୍ଦ ପାଲଟିଛି। ଖୁବ୍‌ଶୀଘ୍ର ଝାରସୁଗୁଡ଼ା, ରାଉରକେଲା ଓ ଜୟପୁରକୁ ବିମାନ ସେବା ଆରମ୍ଭ ହେବାକୁ ଥିବାରୁ ଏଠାରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବ।

ବୌଦ୍ଧ ପର୍ଯ୍ୟଟନର ଗନ୍ତାଘର

ରତ୍ନଗିିରି, ଉଦୟଗିରି, ଲଳିତଗିରି, ଲାଙ୍ଗୁଡିକୁ ନେଇ ଉପକୂଳ ଓଡ଼ିଶାର ବୌଦ୍ଧ କୀର୍ତ୍ତିରାଜ ସମୃଦ୍ଧ ହୋଇଛି। ହଜାର ହଜାର ବର୍ଷ ତଳର କୀର୍ତ୍ତିରାଜିର ସନ୍ଧାନ ମିଳିବା ସହ ଉତ୍‌ଖନନ ସମୟରେ ବୁଦ୍ଧଙ୍କ ଦାନ୍ତ ମିଳିଥିଲା। ଯାଜପୁର ଜିଲ୍ଲାର ରତ୍ନଗିରିଠାରେ ନିର୍ମାଣଧୀନ ଅନ୍ତର୍ଜାତୀୟ ସଂଗ୍ରହାଳୟ  ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ୱରର ଧଉଳି, ଖଣ୍ଡିଗିରି, ଜଟଣୀ ନିକଟ ଅରାଗଡ଼ଠାରେ ମଧ୍ୟ ବୌଦ୍ଧ କୀର୍ତ୍ତିରାଜି ପର୍ଯର୍୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ବୁଦ୍ଧିଷ୍ଟ ସର୍କିଟରେ ରତ୍ନଗିରି-ଉଦୟଗିରି-ଲଳିତଗିରି-ଲାଙ୍ଗୁଡି ଆଦିକୁ ସ୍ଥାନିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଜୈବ ବିବିଧତାରେ ଭରପୂର

ରାଜ୍ୟର ୨୨ଟି ଜିଲ୍ଲାରେ ୩୦ଟି ଜୈବ ବିବିଧତା ପର୍ଯ୍ୟଟନ ସ୍ଥଳ ଦେଖିବାକୁ ମିଳେ। କଳାହାଣ୍ଡିରୁ ଦେବଗଡ଼ ପର୍ଯ୍ୟନ୍ତ ଭରି ରହିଛି ଜୈବ ବିବିଧତା। ବିରଳ ତଥା ବିଲୁପ୍ତପ୍ରାୟ ବୃକ୍ଷଲତା, ଗଛ, ପକ୍ଷୀ ରହିଛନ୍ତି। ସେଗୁଡ଼ିକୁ ଚିହ୍ନଟ କରି ଜୈବ ବିବିଧତା ଐତିହ୍ୟ ସ୍ଥଳରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଓ ଫୁଲବାଣୀ ଜିଲ୍ଲାର ମଣ୍ଡାସାରୁକୁ ଜୈବ ବିବିଧତା ଐତିହ୍ୟ ସ୍ଥଳର ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡାସାରୁରେ ବିରଳ ପ୍ରଜାତିର କଦଳୀ ଗଛ ଓ ଅର୍କିଡ୍‌ ଚିହ୍ନଟ ହୋଇଛି। ୨୦ରୁ ୩୦ଟି ଅର୍କିଡ୍‌, ବିଲୁପ୍ତ ପ୍ରାୟ ଅରୁଗୁଣା ଗଛ, ୮୦୦ ସଳପୋଡସ ଗଛ ଏଠାରେ ରହିଛି। ୧୩୫ ପ୍ରକାରର ଛତୁ ମଧ୍ୟ ଏହା ଭିତରେ ଚିହ୍ନଟ ହୋଇଛି। ସେଥିରୁ ୩୨ଟି ପ୍ରକାର ଛତୁ ଖାଇବା ଯୋଗ୍ୟ। ଏହାବ୍ୟତୀତ ମାଲ୍ୟଗିରି, ପ୍ରଧାନପାଟ, ଗୁପ୍ତେଶ୍ୱର, ଦେଓମାଳି, କେନ୍ଦୁଝରର ଗୋନାସିକା ପରି ୩୦ଟି ସ୍ଥାନ ଜୈବ ବିବିଧତା ଐତିହ୍ୟ ସ୍ଥଳ ରହିଛି। ଏହି ଅଞ୍ଚଳଗୁଡ଼ିକରେ ବିରଳ ତଥା ବିଲୁପ୍ତପ୍ରାୟ ବୃକ୍ଷଲତା, ପଶୁପକ୍ଷୀଙ୍କୁ ଦେଖିବାକୁ ମିଳେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.