ରଥ ଡାହୁକ ସେବା

0 88

ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ-୧୦୪ରେ ସ୍ଥାନିତ ‘ରଥ ଡାହୁକ’ ରଥଯାତ୍ରାର ଏକ ଗୁରୁତ୍ଵପୂର୍ଣ୍ଣ ସେବା। ‘କର୍ମାଙ୍ଗୀ ମାଦଳା’ରେ ମଧ୍ୟ ଏହାର ଉଲ୍ଲେଖ ଅଛି ଏବଂ ସେଥିରେ ଏହାର କ୍ରମ-୮୧। କିନ୍ତୁ ଏହା ସତ୍ତେ୍ଵ, ଅନେକେ ଏହି ସେବାକୁ ରଥ-ଛତିଶା ନିଯୋଗ ମଧ୍ୟରେ ନେଇ ନଥିବା ଦେଖାଯାଏ। ଶ୍ରୀ ରଥଶର୍ମା ଏହାକୁ ତାଙ୍କ ରଥ ସେବା ବିବରଣୀର କ୍ରମ-୪୦ରେ ନେଇଛନ୍ତି ଏବଂ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ତାଙ୍କ ‘ରଥ ନିର୍ମାଣରେ ଚଉଷଠି ବିନ୍ଧାଣି’ରେ ଏହାକୁ ‘ରଥ ଛତିଶା ନିଯୋଗ’ର କ୍ରମ-୩୬ରେ ନେଇଥିଲେ ମଧ୍ୟ, ‘ଚଉଷଠି ବିନ୍ଧାଣି’ ତାଲିକା ମଧ୍ୟରେ ନେଇ ନାହାନ୍ତି। କିନ୍ତୁ ସେବାର ଗୁରୁତ୍ଵ ଦୃଷ୍ଟିରୁ ଏଠାରେ ଏହି ସେବାକୁ ନିମ୍ନ କ୍ରମରେ ସ୍ଥାନିତ କରାଯାଇପାରିବ।

୩୩. ରଥ ଡାହୁକ ସେବା: ‘କର୍ମାଙ୍ଗୀ ମାଦଳା’ର ସେବାକ୍ରମ-୮୧ରେ ଏହାକୁ ‘ଡାହୁକ’ ବୋଲି ଉଲ୍ଲେଖ କରାଯାଇଛିଏବଂ କୁହାଯାଇଛି ‘‘ଏ ଭୂଇଁ ଭୋଗୀ। ଏମାନେ ରଥ ବେଳେ ରଥ ଚଳାଇବେ। ମୋଡ଼ ବୋଲିବେ। ଅକଥା କହି ପରମେଶ୍ୱରଙ୍କ ରଥ ରୋକାଇ ଆଗ ଜନମାନବ ରୋକି ରଥଗତି ଉଣ୍ଡି ବେତ ଚଳାଇ ମୋଡ଼ କଥା କହିବେ। ସେ ସମସ୍ତ ରଥ ଚାଳିବେ।’’

ଶ୍ରୀମନ୍ଦିର ସ୍ୱତ୍ଵଲିପିରେ ଏହି ସେବକଙ୍କର ଯୋଗ୍ୟତା ରୂପେ କୁହାଯାଇଛି- ସେବା ପୁରୁଷାନୁକ୍ରମିକ, କିନ୍ତୁ ଏମାନେ ଶାଢ଼ିବନ୍ଧା ସେବକ ନୁହନ୍ତି। ସେବା କରିବା ପାଇଁ ଜାଗିରି ପାଇଛନ୍ତି। ସେବା ତ୍ରୁଟି କଲେ ଜାଗିରି ଉଚ୍ଛେଦ ହୋଇ ଅନ୍ୟ ପ୍ରଧାନ ଜାତିର ଲୋକ ନିଯୁକ୍ତ ହୋଇପାରିବେ। ସ୍ୱତ୍ଵଲିପିର ଅନ୍ୟ ସୂଚନାରୁ ଜଣାଯାଏ, ମୌଜା ବାଟଗାଁ, ପ୍ର- ରାହାଙ୍ଗ, ପୁରୀରେ ଏମାନେ ଜାଗିରି ପାଇଛନ୍ତି ଏବଂ ତଦନୁସାରେ ସେବା କରିଆସୁଛନ୍ତି। ତେବେ ସ୍ୱତ୍ଵଲିପିରେ ‘‘ଏ ବାଦେ (ଜାଗିରି ବ୍ୟତୀତ) ବାର୍ଷିକ ଦରମା ପାଇବେ’’ ବୋଲି ଉଲ୍ଲେଖ ଥିଲେ ମଧ୍ୟ, ବାର୍ଷିକ ଭତ୍ତା ରୂପେ ନିର୍ଦ୍ଧାରିତ ପରିମାଣର ଅର୍ଥ ଦିଆଯାଉଥିବା ଜଣାଯାଏ।

ଶ୍ରୀମନ୍ଦିରର ପାରମ୍ପରିକ ପ୍ରଥା ଅନୁସାରେ, ନେତ୍ରୋତ୍ସବ ଦିନ ରଥଖଳାଠାରୁ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଟାଣି ଅଣାଯାଇଥାଏ। ସେତେବେଳେ ‘ଘଣ୍ଟୁଆ’ ସେବକ ଘଣ୍ଟ ବଜାଇବା ସହିତ ‘ଡାହୁକ’ ସେବକ ଗୀତଗାଇ ରଥ ଚଳାଇ ଥାଆନ୍ତି। ଏହି ‘ସେବାର ନିୟମ’ ରୂପେ ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି, ‘‘ନେତ୍ରୋତ୍ସବ ଦିନ ମହାଖଳାଠାରୁ ସିଂହଦ୍ଵାରକୁ ରଥ ଆଣିଲା ବେଳେ, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ରଥଟଣାରେ ଓ ରଥ ଦକ୍ଷିଣ ମୋଡ଼ରେ ଏ ସେବକମାନେ ପ୍ରତ୍ୟେକ ରଥରେ ଜଣେ ଲେଖାଏଁ ଗୀତ ଗାଇବେ।’’

ତେବେ, ସେବାର ନିୟମ ଭାବରେ ଏ ସଂପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶନାମା ସ୍ୱତ୍ଵଲିପିରେ ଲିପିବଦ୍ଧ ହୋଇଛି। ତାହା ହେଉଛି, ‘‘ଲୋକଙ୍କ ଚିତ୍ତାକର୍ଷକ ଗୀତ ଗାଇବେ। ଅଶ୍ଳୀଳ ଗୀତ ଗାଇବା ଅବିଧି।’’

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଡାହୁକ ସେବକଙ୍କର ଏହି ଗୀତକୁ ନେଇ ବିତର୍କ ଦୀର୍ଘକାଳ ଧରି ରହିଆସିଥିଲା। ଏହାକୁ ଅନେକେ ଯୋଗସାଧନା ସମ୍ବଳିତ ଗୀତ କହୁଥିବାବେଳେ, ଏହାର ଅଶ୍ଳୀଳତା ନେଇ ବିବାଦ ଉଠୁଥିଲା। ସେଥିପାଇଁ ‘କର୍ମାଙ୍ଗୀ ମାଦଳା’ରେ ଏହାକୁ ‘ଅକଥା’ ଆଖ୍ୟା ଦିଆଯାଇଛି। ଶ୍ରୀ ରଥଶର୍ମାଙ୍କ ରଥସେବା ବିବରଣୀରେ ମଧ୍ୟ ଏ ସଂପର୍କରେ କୁହାଯାଇଛି, ‘‘ଏମାନେ ଖଣ୍ଡିଆବନ୍ଧ ବେରବୋଇରେ ବାସ କରନ୍ତି। ରଥରେ ଯୋଗ ସମର୍ଥିତ ଗୀତ ଗାଆନ୍ତି। ଏବେ ଅତି ଅଶ୍ଳୀଳ ଗୀତ ଗାଉଛନ୍ତି।’’

ଏଣୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ, ଶ୍ରୀମନ୍ଦିର ପ୍ରଶାସନ ୧୯୯୫ ମସିହାର ରଥଯାତ୍ରାଠାରୁ ରଥରେ ଅଶ୍ଳୀଳ ଡାହୁକ ବୋଲିକୁ ସଂପୂର୍ଣ୍ଣ ନିଷେଧ କରିବା ସହିତ ସ୍ୱତନ୍ତ୍ର ରଥବୋଲି ପ୍ରଳଚନ କରିଛନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.