ରଥ କଥା-୯ : ଶ୍ରୀନୃସିଂହ ଚତୁର୍ଦ୍ଦଶୀର ମହତ୍ତ୍ଵ

ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀବେଳକୁ ଶ୍ରୀଜଗନ୍ନାଥ ଓଡ଼ିଶାର ତଥା ଭାରତବର୍ଷର ଜନମାନସରେ ସୁପ୍ରତିଷ୍ଠିତ ହୋଇସାରିଥିଲେ। ବର୍ତ୍ତମାନର ଶ୍ରୀମନ୍ଦିରକୁ ମଧ୍ୟ ତିନି-ଚାରି ଶତାବ୍ଦୀ ହୋଇସାରିଥିଲା। ତଥାପି ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତର ଆରମ୍ଭ ହୋଇଛି ‘ନମଇଁ ନୃସିଂହ ଚରଣ’ରୁ। ଏଥିରୁ ଶ୍ରୀନୃସିଂହଙ୍କର ଗୁରୁତ୍ଵ ସ୍ୱୀକୃତ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ’ରେ ମଧ୍ୟ ଭଗବାନଙ୍କର ନୃସିଂହ ମୂର୍ତ୍ତିି ଗ୍ରହଣ ସଂପର୍କରେ ବର୍ଣ୍ଣନା ଅଛି। ଏହା ଅଷ୍ଟାବିଂଶ ଅଧ୍ୟାୟର ବିଷୟବସ୍ତୁ। ତାହାର ପୂର୍ବ ଅଧ୍ୟାୟ, ଅର୍ଥାତ୍‌ ସପ୍ତବିଂଶ ଅଧ୍ୟାୟ ଅନୁସାରେ, ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ଦାରୁମୟ ମୂର୍ତ୍ତିି ପ୍ରଥମେ ପ୍ରାସାଦ(ମନ୍ଦିର)ରେ ପ୍ରତିଷ୍ଠା ହୋଇଥିଲେ। ସେହି ଅନୁସାରେ ଏବେ ସେହି ତିଥିରେ ଶ୍ରୀମନ୍ଦିରରେ ‘ନୀଳାଦ୍ରି ମହୋଦୟାଷ୍ଟମୀ’ ଉତ୍ସବ ପାଳିତ ହେଉଛି। ଦାରୁବିଗ୍ରହଙ୍କ ସହିତ ଶ୍ରୀନୃସିଂହଙ୍କ ସଂପର୍କର ଗୁରୁତ୍ଵ ମଧ୍ୟ ସେହି ସ୍କନ୍ଦପୁରାଣରେ ବର୍ଣ୍ଣିତ ହୋଇଛି।

ସ୍କନ୍ଦପୁରାଣ ଅନୁସାରେ, ଶ୍ରୀବିଗ୍ରହମାନଙ୍କର ପ୍ରତିଷ୍ଠା କାଳରେ ଶ୍ରୀନୃସିଂହ ମୂର୍ତ୍ତିି ପ୍ରକଟ ହୋଇଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ଥିଲା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧଯଜ୍ଞର ଯଜ୍ଞବେଦୀ। ସେହିଠାରେ ଆବିର୍ଭୂତ ହୋଇଥିଲେ ଶ୍ରୀନୃସିଂହ। ତେଣୁ ସେ ‘ଯଜ୍ଞନୃସିଂହ’ ଭାବରେ ଖ୍ୟାତ। ସେ ଚତୁର୍ଦ୍ଧା ମୂର୍ତ୍ତିିଙ୍କର ପୂର୍ବରୂପ ଭାବରେ ଶାସ୍ତ୍ର-ପୁରାଣରେ ସ୍ୱୀକୃତ।

ସ୍କନ୍ଦପୁରାଣ, ଅଷ୍ଟାଦଶ ଅଧ୍ୟାୟର ବର୍ଣ୍ଣନା ଅନୁସାରେ, ବ୍ରହ୍ମାଙ୍କର ମନ୍ତ୍ରମହିମା ଦ୍ଵାରା ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଅନ୍ୟମାନେ ଶ୍ରୀଜଗନ୍ନାଥ ଦେବଙ୍କୁ ଅଦ୍ଭୁତ ଆକାରର ନୃସିଂହ ରୂପରେ ଦର୍ଶନ କରିଥିଲେ। ସେହି ଭୟପ୍ରଦ ରୂପଦେଖି ଦେବର୍ଷି ନାରଦ ବ୍ରହ୍ମାଙ୍କୁ ପ୍ରଶ୍ନ କଲେ- ପ୍ରଭୁ କାହିଁକି ଏହି ବିକଟ ରୂପରେ ପ୍ରକଟ ହୋଇଛନ୍ତି? ନାରଦଙ୍କ ପ୍ରଶ୍ନ ଶୁଣି ବ୍ରହ୍ମା ସହାସ୍ୟ ମୁଖରେ କହିଥିଲେ- ହେ ନାରଦ ! ମୂଢ଼ ଲୋକମାନେ ସାକ୍ଷାତ୍‌ ବ୍ରହ୍ମରୂପୀ ଏହି ଶ୍ରୀଜଗନ୍ନାଥ ଦେବଙ୍କୁ ଦାରୁମୟ ବୋଲି ଭାବି ଅବଜ୍ଞା କରିବେ। ଏହି ବିବେଚନାରେ, ସର୍ବମନ୍ତ୍ରପ୍ରଧାନ ପରମେଷ୍ଠି ମନ୍ତ୍ରରେ ତାଙ୍କୁ ଅଭିମନ୍ତ୍ରିତ କରିବା ଫଳରେ ପ୍ରଭୁ ଏହି ବିକଟ ରୂପରେ ପ୍ରକଟ ହୋଇଛନ୍ତିା ପୂର୍ବକାଳରେ ଶ୍ରୀନୃସିଂହ ଏହିପରି ଭୟଙ୍କର ରୂପଧରି ମହାଦୈତ୍ୟ ହିରଣ୍ୟକଶିପୁକୁ ବିଦୀର୍ଣ୍ଣ କରିଥିଲେ। ଅମିତ ତେଜମୟ ଭଗବାନ ବିଷ୍ଣୁଙ୍କର ଏହି ମୂର୍ତ୍ତିି କାଳାଗ୍ନି ସ୍ୱରୂପ।

ଦାରୁବିଗ୍ରହଙ୍କ ଠାରେ ‘ପ୍ରତିମାବୁଦ୍ଧି’ ନକରିବାପାଇଁ ଏହି ପ୍ରସଙ୍ଗର ଅବତାରଣା କରାଯାଇଛି। ସେଥିପାଇଁ ଚେତାବନୀ ଦିଆଯାଇ କୁହାହୋଇଛି- ଏହି ଦାରୁମୂର୍ତ୍ତିିଙ୍କୁ ସାମାନ୍ୟ ପ୍ରତିମା ମନେକରିବା ଅନୁଚିତ।

ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ଯଜ୍ଞବେଦୀଠାରେ ପ୍ରଭୁ ନୃସିଂହ ରୂପରେ ଆବିର୍ଭୂତ ହୋଇଥିଲେ, ସେଠାରେ ଏବେ ଏକ ସ୍ୱତନ୍ତ୍ର ମନ୍ଦିରରେ ଶ୍ରୀନୃସିଂହ ପୂଜା ପାଉଛନ୍ତି। ନବକଳେବରର ନୂତନ ବିଗ୍ରହ ନିର୍ମାଣ ନିମନ୍ତେ ଯେଉଁ ଶଗଡ଼ିରେ ଦାରୁମାନଙ୍କୁ ଅଣାଯାଏ, ସେହି ଶଗଡ଼ିକୁ ସେଥିପାଇଁ ନୃସିଂହ ମନ୍ଦିରଠାରେ ପ୍ରଥମେ ରଖାଯାଇ ତା’ପରେ ସେଠାରୁ ପଟୁଆରରେ ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠକୁ ଅଣାଯାଇଥାଏ।

କେବଳ ଏତିକି ନୁହେଁ, ଶ୍ରୀମନ୍ଦିରରେ ପ୍ରତିବର୍ଷ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ ନୃସିଂହ ଜନ୍ମ ଉତ୍ସବ ଅନୁଷ୍ଠିତ ହୁଏ ଏବଂ ସେହି ନୃସିଂହ ଚତୁର୍ଦ୍ଦଶୀର ପବିତ୍ର ତିଥିରେ ହିଁ ରଥଗୁଜରେ ଶ୍ରୀନୃସିଂହଙ୍କ ମୂର୍ତ୍ତିି ଖୋଦନର ଅନୁକୂଳ କରାଯାଇଥାଏ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର