କଳାଧନ ପଠାଇବାର ନୂଆ ତରିକା : ଭାରତରୁ ଚାଟାର୍ଡ ପ୍ଲେନ ମାଧ୍ୟମରେ ବିଦେଶକୁ ପଠାଯାଉଛି ଟଙ୍କା!

ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ କଳାଧନ ଗୁଡିକ ବିଦେଶକୁ ଯାଉଛି ବୋଲି ସାଧାରଣ ଲୋକ ଭାବିଥାନ୍ତି। କିନ୍ତୁ ଏଭଳି ଏକ ସତ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ପୁରୁଣା ହିନ୍ଦି ଫିଲ୍ମ ଭଳି ଭିଭିଆଇପି ଚାଟାର୍ଡ ପ୍ଲେନରେ ବିଦେଶକୁ କଳାଧନ ଯାଉଥିବା ସନ୍ଦେହ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ। ଏପରିକି କିଛି ବିଦେଶୀ ଗୁଇନ୍ଦା ସଂସ୍ଥା ଭାରତୀୟ ଏଜେନ୍‌ସିକୁ କହିଛି ଯେ, ଭାରତରୁ ଟଙ୍କାଗୁଡିକ ଚାଟାର୍ଡ ପ୍ଲେନ ମାଧ୍ୟମରେ ବିଦେଶକୁ ପଠାଯାଉଛି। ବ୍ୟବସାୟୀ ଉପେନ୍ଦ୍ର ରାୟଙ୍କୁ ଗିରଫ ପରେ ଏଭଳି ସନ୍ଦେହ ଜାତ ହୋଇଛି।

ଯାଞ୍ଚ ଏଜେନ୍‌ସି ଉପେନ୍ଦ୍ର ରାୟଙ୍କୁ ଜେରା କରିବା ପରେ ତାଙ୍କ ପାଖରୁ ଏରୋଡ୍ରମ ପାସ୍‌ ମିଳିଥିଲା ଯାହା ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ ଦ୍ୱାରା ଜାରି କରାଯାଇଛି। କିନ୍ତୁ ଏହି ପାସକୁ ଉପେନ୍ଦ୍ର ରାୟ ବେଆଇନ ଭାବେ ହାତେଇଥିଲେ। ଏହି ପାସ ଜରିଆରେ ଉପେନ୍ଦ୍ର ରାୟ ଦେଶର କୌଣସି ବିମାନବନ୍ଦରରେ ଚାଟାର୍ଡ ପ୍ଲେନରେ ଉଡାଣ ଭରି ପାରିବେ। ତେବେ ଯାଞ୍ଚ ଏଜେନ୍‌ସି ଏଯାଏଁ ସ୍ପଷ୍ଟ କରିନାହାନ୍ତି ଯେ, ଏହି ପାସ୍‌ ହାତେଇବା ପଛରେ ଉପେନ୍ଦ୍ର ରାୟଙ୍କର କଣ ଉଦ୍ଦେଶ୍ୟ ଥିଲା। ଗତ ସପ୍ତାହରେ ଉପେନ୍ଦ୍ର ରାୟଙ୍କର ୨୬ କୋଟି ଟଙ୍କା ଜବତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଯାଞ୍ଚ ଏଜେନ୍‌ସିର ସନ୍ଦେହ ଅନୁଯାୟୀ, ଇଞ୍ଜିନିୟରଙ୍କ ସହାୟତାରେ ଚାଟାର୍ଡ ପ୍ଲେନରେ ଟଙ୍କା ଲୁଚାଇ ନିଆଯାଉଥିଲା। ଏପରିକି ଭିଆଇପି ପ୍ଲେନକୁ ବେଶି ଯାଞ୍ଚ କରାଯାଇନଥାଏ। ତେଣୁ ବେଶ ସହଜରେ ଟଙ୍କା ଗୁଡିକୁ ବିଦେଶକୁ ନିଆଯାଇଥାଏ। ଯାଞ୍ଚକର୍ତ୍ତାଙ୍କ କହିବା ଅନୁଯାୟୀ, ଉପେନ୍ଦ୍ର ରାୟଙ୍କର ଏୟାରୱାନ କମ୍ପାନି ସହ ସର୍ମ୍ପକ ରହିଥିଲା। ଯାହାଫଳରେ ଅନେକ ସମୟରେ ଏହି ଚାଟାର୍ଡ ପ୍ଲେନ ଗୁଡିକ ଦୁବାଇରେ ଅଧିକ ସମୟରେ ରହୁଥିଲା। ଏପରିକି ଯାଞ୍ଚରୁ ବଞ୍ଚିବା ପାଇଁ ଏହି ଚାଟାର୍ଡ ପ୍ଲେନ ଗୁଡିକ ଦୁବାଇର ଛୋଟ ଛୋଟ ବିମାନବନ୍ଦରରେ ରଖାଯାଇଥାଏ। ଏପରିକି ଅନେକ ସମୟରେ ଏହି ଚାଟାର୍ଡ ପ୍ଲେନ ଗୁଡିକ ଋଷରେ ମଧ୍ୟ ଲ୍ୟାଣ୍ଡିଂ କରିଥାଏ।

ସମ୍ବନ୍ଧିତ ଖବର