ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ: ଶେଷ ବଲ୍‌ରେ ଚୌକା ଯୋଗୁଁ ବିଶାଖାପାଟଣା ଦିନିକିଆ ଟାଇ

ବିଶାଖାପାଟଣା: ଭାରତ ଓ  ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ବୁଧବାର ଖେଳାଯାଇଥିବା ୨ୟ ଦିନିକିଆ ଟାଇ ହୋଇଛି। ୱେଷ୍ଟଇଣ୍ଡିଜ୍‌କୁ ଶେଷ ବଲରେ ୫ ରନ୍‌ ଦରକାର ଥିବା ବେଳେ ୪ ରନ୍‌ ହୋଇପାରିଛି। ୱେଷ୍ଟଇଣ୍ଡିଜ୍‌ ୩୨୨ ରନ୍‌ ଲକ୍ଷ୍ୟ ନେଇ ୨ୟ ଇନିଂସ ଖେଳି ମ୍ୟାଚ୍‌କୁ ଟାଇ କରିଛି। ସାଇ ହୋପ(ଅପରାଜିତ ୧୨୩ ରନ୍‌) ଓ ସିମ୍‌ରନ୍‌ ହେଟମେୟର (୯୪ ରନ୍‌) ବିସ୍ଫୋରକ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍‌ ୭ ଓ୍ଵିକେଟ ହରାଇ ୩୨୨ ରନ୍‌ ସଂଗ୍ରହ କରିଛି। ଶେଷ ଓଭରରେ ୧୪ ରନ୍‌ ଦରକାର ଥିବା ବେଳେ ୧୩ ରନ୍‌ ସଂଗ୍ରହ ହୋଇ ପାରିଥିଲା।

ଚନ୍ଦ୍ରପଲ ହେମ୍‌ରାଜ ୩୨ ରନ୍‌ ସଂଗ୍ରହ କରିଥିବା ବେଳେ କିରଣ ପାେଓ୍ଵଲ ଏବଂ ରଭମ୍ୟାନ୍‌ ପାେଓ୍ଵଲ ୧୮-୧୮ ରନ୍‌ ଯୋଡ଼ିଥିଲେ। ଭାରତର କୁଲଦୀପ ଯାଦବଙ୍କୁ ୩ଟି ଓ୍ଵିକେଟ୍‌ ମିଳିଥିବା ବେଳେ, ଉମେଶ ଯାଦବ, ମହମ୍ମଦ ସାମି ଓ ୟୁଜବେନ୍ଦ୍ର ଚହଲ ୧-୧ ଓ୍ଵିକେଟ୍‌ ନେଇଛନ୍ତି। ୫ ଦିନିକିଆ ଶୃଙ୍ଖଳାରେ ଭାରତ ଗୋଟିଏ ମ୍ୟାଚ ଜିତିଥିବା ବେଳେ ୨ୟ ଦିନିକିଆ ଟାଇ ହୋଇଛି।

ୱେଷ୍ଟଇଣ୍ଡିଜ୍‌ ୩୬ ରନ୍‌ରେ କିରଣ ପୋଲର୍ଡ ଏବଂ ୬୪ ରନ୍‌ରେ ଚନ୍ଦ୍ରପଲ ହେମରାଜଙ୍କୁ ହରାଇ ଥିଲା। ସେହିପରି ଦଳୀୟ ସ୍କୋର ୭୮ ରନ୍‌ ଥିବା ବେଳେ ମାରଲନ୍‌ ସାମୁଏଲ୍‌ (୧୩) ପାଭଲିଅନ୍‌ ଫେରିଥିଲେ। ମାତ୍ର ୪ର୍ଥ ଓ୍ଵିକେଟରେ ଶତକୀୟ ଭାଗିଦାରୀ ହୋଇଥିଲା। ସ୍କୋର ୨୨୧ ରନ୍‌ରେ ହେଟ୍‌ମେୟର ୬୪ଟି ବଲ ଖେଳି ୪ଟି ଚୌକା ଓ ୭ଟି ଛକା ମାରିବା ପରେ ୟୁଜବେନ୍ଦ୍ର ଚହଲଙ୍କ ବଲ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇଥିଲେ।

ପ୍ରଥମ ଇନିଂସରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ଦ୍ରୁତତମ ଅପରାଜିତ ଶତକ (୧୫୭ ରନ୍‌, ୧୨୯ ବଲ୍‌, ୧୩ ଚୌକା, ୪ ଛକା) ବଳରେ ୩୨୧ ରନ୍‌ ସଂଗ୍ରହ କରିବା ପରେ ୱେଷ୍ଟଇଣ୍ଡିଜ୍‌କୁ ୩୨୨ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ଏହି ରନ୍‌ ସଂଗ୍ରହ କରିଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଓ୍ଵାଇଏସ୍‌ ରାଜଶେଖର ଷ୍ଟାଡିୟମ୍‌ରେ ବୁଧବାର ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଭାରତ ୧୫ ରନ୍‌ରେ ଓପନର ରୋହିତ ଶର୍ମା (୪) ଓ ୪୦ ରନ୍‌ରେ ଶିଖର ଧାଓ୍ଵନ୍‌ (୨୯ ରନ୍‌)ଙ୍କୁ ହରାଇବା ପରେ ୩ୟ ଓ୍ଵିକେଟ୍‌ରେ କୋହଲି ଓ ଅମ୍ବାତି ରାୟଡୁ (୭୩ ରନ୍‌) ଶତକୀୟ ଭାଗିଦାରୀ (୧୩୯ ରନ୍‌) ହୋଇପାରିଥିଲେ। ରୋହିତ ୮ଟି ବଲ ଖେଳି ରୋଚ୍‌ଙ୍କ ବଲ ହେଟମେୟରଙ୍କୁ କ୍ୟାଚ ଦେଇଥିଲେ। ଆସଲେ ନର୍ସଙ୍କ ବଲରେ ଶିଖର ଧାଓ୍ଵନ ଏଲ୍‌ବିଡବ୍ଲୁ ହୋଇଥିଲେ। ସେହିପରି ଓବେଡ ମ୍ୟାକ୍‌କଏଙ୍କ ଦ୍ୱାରା ରାୟଡୁ ଆଉଟ୍‌ ହୋଇଥିଲେ। ଏହା ପୂର୍ବରୁ ରାୟଡୁ ୮୦ଟି ବଲ୍‌ ଖେଳି ୮ଟି ଚୌକା ମାରିଥିଲେ।

ୱେଷ୍ଟଇଣ୍ଡିଜ୍‌ର ୪ର୍ଥ ଶିକାର ହୋଇଥିଲେ ମହେନ୍ଦ୍ର ସିଂହ ଧୋନି(୨୦)। ସେ ୨୫ଟି ବଲ୍‌ ଖେଳି ଗୋଟିଏ ଚୌକା ମାରିଥିଲେ। ଓବେଡ ମ୍ୟାକ୍‌କଏଙ୍କ ଦ୍ୱାରା ବୋଲ୍ଡ ହୋଇ ଧୋନି ପାଭଲିଅନ୍‌ ଫେରିଥିଲେ। ଋଷଭ ପନ୍ତଙ୍କ ଓ୍ଵିକେଟ୍‌ ଭାରତ ପାଇଁ ଥିଲା ୫ମ ଓ୍ଵିକେଟ୍‌। ପନ୍ତ ୧୩ଟି ବଲରୁ ୧୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା। ୧୪ଟି ବଲ୍‌ ଖେଳି ୧୩ ରନ୍‌ ସଂଗ୍ରହ କରିଥିଲେ ରବୀନ୍ଦ୍ର ଜାଦେଜା।

ସମ୍ବନ୍ଧିତ ଖବର