ନୂଆଦିଲ୍ଲୀରୁ ଆରମ୍ଭ ହୋଇଥିଲା ଏସିଆଡ୍‌

ଭୁବନେଶ୍ୱର: ଏସିଆର ସର୍ବୋଚ୍ଚ କ୍ରୀଡ଼ା ମହୋତ୍ସବ ଏସିଆଡ୍‌ ତଥା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ୬୮ ବର୍ଷର ଲମ୍ବା ଇତିହାସ ରଖିଛି। ଅଲିମ୍ପିକ୍‌ ଭଳି ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ପ୍ରତି ୪ ବର୍ଷରେ ଅନୁଷ୍ଠିତ ହୁଏ। ଏସୀୟ କ୍ରୀଡ଼ା ଶକ୍ତିର ବଡ଼ ପରୀକ୍ଷା ବି ହୋଇଥାଏ ଏହି ମଇଦାନରେ। ସବୁଠାରୁ ବଡ଼ କଥା ହେଲା ୬୭ ବର୍ଷ ତଳେ ଏହି ମହୋତ୍ସବର ଶୁଭାରମ୍ଭ ହୋଇଥିଲା ନୂଆଦିଲ୍ଲୀରୁ। ୧୯୫୧ ମସିହାରେ ପ୍ରଥମ ସଂସ୍କରଣ ନୂଆଦିଲ୍ଲୀର ଧ୍ୟାନଚାନ୍ଦ ନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଏସୀୟ କ୍ରୀଡ଼ା ମହାସଂଘ ଆୟୋଜିତ ଏହି ପ୍ରତିଯୋଗିତାରେ ୧୧ ଦେଶରୁ ୪୯୧ ଜଣ ଖେଳାଳି ୫୭ ଇଭେଣ୍ଟ୍‌ରେ ଭାଗ ନେଇଥିଲେ। ୧୯୭୮ ମସିହା ପର୍ଯ୍ୟନ୍ତ ଅର୍ନ୍ତଜାତୀୟ ଅଲିମ୍ପିକ୍‌ ସଂଘ (ଆଇଓସି) ଏହାକୁ ଅଲିମ୍ପିକ୍ସ ପରେ ଦ୍ୱିତୀୟ ବୃହତ୍‌ ବିବିଧ କ୍ରୀଡ଼ା ମହୋତ୍ସବର ମାନ୍ୟତା ଦେଇଥିଲା। ଏସୀୟ କ୍ରୀଡ଼ା ମହୋତ୍ସବରେ ଅଦ୍ୟାବଧି ମୋଟ ୪୬ ଦେଶ ପ୍ରତିନିଧିତ୍ୱ କରି ସାରିଛନ୍ତି। ଆଗରୁ ଇସ୍ରାଏଲ୍‌ ଭାଗ ନେଉଥିଲେ ମଧ୍ୟ ପରେ ବାଦ୍‌ ପଡ଼ିଯାଇଛି। ଶେଷ ଥର ପାଇଁ ଏହି ଦେଶ ୧୯୭୪ରେ ଖେଳିଥିଲା। ବାସ୍ତବରେ ୧୯୧୨ ମସିହାରେ ଜାପାନ, ଫିଲିପାଇନ୍‌ସ ଏବଂ ଚୀନ୍‌ର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିବା ‘ସୁଦୂର ପୂର୍ବ ଏସୀୟ ପ୍ରତିଯୋଗିତା’ ପରବର୍ତୀ ସମୟରେ ଏସୀୟ କ୍ରୀଡ଼ାର ରୂପରେଖ ନେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅଧିକାଂଶ ଏସୀୟ ଦେଶ ସ୍ୱାଧୀନ ହୋଇଯିବାରୁ ଏସୀୟ କ୍ରୀଡ଼ା ଯୁଗ ଆରମ୍ଭ ହୋଇଥିଲା। ରାଜନୈତିକ ଏବଂ ଧାର୍ମିକ ସଂକଟ କାରଣରୁ ଅନେକ ବାଧା ଦେଇ ଗତି କରିଥିଲେ ମଧ୍ୟ ନୂଆଦିଲ୍ଲୀ ସଂସ୍କରଣଠୁ ଏହା ନିରଂତର ଆୟୋଜିତ ହୋଇ ଆସୁଛି। ଭାରତ ମଧ୍ୟ ୧୯୮୨ ମସିହାରେ ଦ୍ୱିତୀୟ ଥର ପାଇଁ ଏହାକୁ ଆୟୋଜନ କରିଥିଲା। ଯେଉଁ ସଂସ୍କରଣଠୁ ଜାପାନର ପ୍ରାଧାନ୍ୟ କଟିଥିଲା ଏବଂ ଚୀନ ସେବେଠୁ ବିଜେତା ରହି ଆସିଛି।

ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ସାରିଥିବା ୧୭ଟି ସଂସ୍କରଣର ଇତିହାସ ଦେଖିଲେ ମୋଟ ୩୯ ଖେଳରେ ପ୍ରାୟ ୪୦୦ ଇଭେଣ୍ଟ୍‌ ସମ୍ପନ୍ନ ହୋଇଛି। ୨୦୧୦ ମସିହାରେ ସର୍ବାଧିକ ୪୨ ଇଭେଣ୍ଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୧୯୯୮ ମସିହାଠାରୁ ଏମ୍‌ଭିପି (ମୋଷ୍ଟ ଭାଲ୍ୟୁଏବୁଲ୍‌ ପ୍ଲେୟାର୍‌) ପ୍ରଦାନ ପରମ୍ପରା ଆରମ୍ଭ ହୋଇଥିଲା। ପଦକ କଥା ଦେଖିଲେ ଏହି କ୍ରୀଡ଼ା ଇତିହାସରେ ସର୍ବାଧିକ ୪୩ ଦେଶ ଅନ୍ୟୁନ ଗୋଟିଏ ଲେଖାଏଁ ପଦକ ଜିତିଛନ୍ତି। କେବଳ ଭୁଟାନ, ମାଳଦ୍ୱୀପ ଏବଂ ତିମୋର୍‌-ଲେସ୍ତେ ପଦକ ଖାତା ଖୋଲି ପାରିନାହାନ୍ତି। ସେହିଭଳି ୩୭ ଦେଶ ଅନ୍ୟୁନ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଜାପାନ ଓ ଭାରତ ପ୍ରତି ସଂସ୍କରଣରେ ଭାଗ ନେଇ ଆସିଛନ୍ତି। କେବଳ ଜାପାନ ଏବଂ ଚୀନ ଦୁଇ ଦେଶ ଭାବେ ଦଳଗତ ବିଜେତା ରହିଛନ୍ତି ବିଗତ ୧୭ ସଂସ୍କରଣରେ। ଚୀନ, ଜାପାନ, ଦକ୍ଷିଣ କୋରିଆ, ଇରାନ୍‌, କାଜାକସ୍ତାନ ପରେ ଭାରତ ଏବେ ପଦକ ତାଲିକାରେ ଷଷ୍ଠରେ ରହିଛି। ଅର୍ଥାତ୍‌ କ୍ରୀଡ଼ା ଶକ୍ତିର ଦେଶ ଭାବେ ଭାରତ ଏସିଆରେ ଷଷ୍ଠ।

ଏସୀୟ କ୍ରୀଡ଼ା ପାଇଁ ବ୍ରିଜ୍‌ ଭୂଷଣ ଚିଫ୍‌ ଡି ମିସନ୍‌
ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଏସୀୟ କ୍ରୀଡ଼ା ପାଇଁ ଶୁକ୍ରବାର ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍‌ଆଇ)ର ସଭାପତି ବ୍ରିଜ୍‌ ଭୂଷଣ ସରନ୍‌ ସିଂହଙ୍କୁ ଚିଫ୍‌ ଡି ମିସନ୍‌ ନିଯୁକ୍ତ କରିଛନ୍ତି। ଅନ୍ୟ ୪ ଜଣ ଉପ ଚିଫ୍‌ ଡି ମିସନ୍‌ ଭାବେ ମଧ୍ୟ ନିଯୁକ୍ତ ହୋଇଛନ୍ତିି। ସେମାନେ ହେଲେ ରାଜ୍‌ କୁମାର ସାଚେଟି, କର୍ଣ୍ଣେଲ ସତ୍ୟବ୍ରତ ସିଓରାନ୍‌, ବଲ୍‌ବୀର ସିଂହ କୁସ୍‌ଓ୍ଵାହା ଏବଂ ଦେବ କୁମାର ସିଂହ। ଏହି ନିଯୁକ୍ତି ପରେ ସମସ୍ତ ୫ ଜଣଙ୍କୁ ଆଇଓଏ ମହାସଚିବ ରାଜୀବ ମେହେଟ୍ଟା ଅଭିନନ୍ଦନ ଜଣାଇଛନ୍ତି।

କ୍ରୀଡ଼ା ମନ୍ତ୍ରଣାଳୟ ପ୍ରସ୍ତାବ ପ୍ରତ୍ୟାଖାତ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ଲାଗି ଭାରତୀୟ ଦଳ ଚୟନ ବେଳେ କିଛି କୋହଳ ଅବଲମ୍ବନ ଲାଗି ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)କୁ କ୍ରୀଡ଼ା ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଦେଇଥିଲା ତାହା ପ୍ରତ୍ୟାଖାତ ହୋଇଛି। ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଆଇଓଏ ଶୁକ୍ରବାର ଆଭ୍ୟନ୍ତରୀଣ ଓ ଆଇନଗତ ସମିତିର ଏକ ବୈଠକ ଡ଼ାକିଥିଲା। ଯେଉଁଥିରେ ଏହା ସମ୍ଭବ ନୁହେଁ ବୋଲି ଆଇଓଏ ସ୍ପଷ୍ଟ କରି ଦେଇଛି। କିଛି ନିର୍ଦ୍ଧିଷ୍ଟ ଖେଳ ଓ ଖେଳାଳିଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରଖି ଚୟନ ବ୍ୟବସ୍ଥାରେ କୋହଳ କରିବାକୁ ମନ୍ତ୍ରଣାଳୟ ବୁଧବାର ନିବେଦନ କରିଥିଲା। କିନ୍ତୁ ଏସୀୟ କ୍ରୀଡ଼ା ଆୟୋଜକଙ୍କ ନିୟମ ଏବଂ ଦଳ ଘୋଷଣା ଶେଷ ହୋଇଥିବା ଦୃଷ୍ଟିରୁ ଏହା ସମ୍ଭବ ନୁହେଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର