ଭୁବନେଶ୍ବର: ଲାଓସ୍ର ଭିଏଣ୍ଟିନେଠାରେ ରବିବାର ଶେଷ ହୋଇଥିବା ଏସୀୟ ରଗ୍ବି ସେଭେନ୍ସ ୨୦ ବର୍ଷରୁ କମ୍ ପ୍ରତିଯୋଗିତାରେ ଭାରତୀୟ ବାଳିକା ଦଳ କାଂସ୍ୟ ପଦକ ଜିତିନେଇଛନ୍ତି। ଏଥି ସହିତ ଓଡ଼ିଆ ଝିଅ ସୁମିତ୍ରା ନାୟକଙ୍କ ନେତୃତ୍ବରେ ଖେଳିଥିବା ଭାରତୀୟ ଦଳ ନିରାଶ କରିନାହିଁ। କାଂସ୍ୟ ପଦକ ପାଇଁ ହୋଇଥିବା ମୁକାବିଲାରେ ଭାରତ ୨୬-୧୨ ପଏଣ୍ଟରେ ସିଙ୍ଗାପୁରକୁ ପରାସ୍ତ କରିଥିଲା। ସୁମିତ୍ରାଙ୍କ ସହିତ ୫ କିସ୍ ଝିଅ ଭାରତୀୟ ଦଳରେ ସାମିଲ ଥିବାରୁ ଓଡ଼ିଶାର ବଡ଼ ଅବଦାନ ରହିଛି ଏହି ସଫଳତା ପଛରେ। ଓଡ଼ିଶାର ଅନ୍ୟ ୪ ଝିଅ ହେଲେ ସୋନି ମାଣ୍ଡାଙ୍ଗୀ, ଲିଜା ସର୍ଦାର, ରଜନୀ ଶବର ଓ ପାର୍ବତୀ କିସ୍କୁ। ସମସ୍ତେ କିସ୍ ଛାତ୍ରୀ ହୋଇଥିବାରୁ ଏହାର ପ୍ରତିଷ୍ଠାତା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଏବଂ କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା ଅଭିନନ୍ଦନ ଜଣାଇଛନ୍ତି। ଅଗଷ୍ଟ ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ କିଟ୍ର ସହଯୋଗରେ ଭୁବନେଶ୍ବରରେ ଅନୁଷ୍ଠିତ ୩ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ଶିବିର ଶେଷ କରି ଭାରତୀୟ ଦଳ ଲାଓସ ଗସ୍ତ କରିଥିଲା। ଏହି ପ୍ରତିଯୋଗିତାରେ ହଂକଂ ବିଜେତା ଏବଂ ଥାଇଲାଣ୍ଡ୍ ଉପବିଜେତା ହୋଇଛି। ସିଙ୍ଗାପୁର ଚତୁର୍ଥ ଏବଂ ଲାଓସ ପଞ୍ଚମ ସ୍ଥାନ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଦଳ: ସୁମିତ୍ରା ନାୟକ (ଅଧିନାୟିକା), ସୋନି ମାଣ୍ଡାଙ୍ଗୀ, ଲିଜା ସର୍ଦାର, ରଜନୀ ଶବର ଓ ପାର୍ବତୀ କିସ୍କୁ, ସନ୍ଧ୍ୟା ରାଏ, ଲଛ୍ମୀ ଓରାଓଁ, ସୁମନ ଓରାଓଁ , ସ୍ବିଟୀ କୁମାରୀ, ପ୍ରିୟା, ସୁଲ୍ତାନା ଓ ଶିଖା ୟାଦବ।