ଏସିଆ କପ୍ ଜିତିଲେ ମହିଳା ବସ୍ କଣ୍ଡକ୍ଟରଙ୍କ ପୁଅ

ମୁମ୍ବାଇ : ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ ଗତ ଶନିବାର ଲଗାତାର ଦ୍ବିତୀୟ ଥର ପାଇଁ ୧୯ ବର୍ଷରୁ କମ୍ ଏସିଆ କପ୍ ଜିତିଥିଲା। ଭାରତ ଫାଇନାଲରେ ବାଂଲାଦେଶକୁ ହରାଇବାରେ ମୁମ୍ବାଇର ୧୮ ବର୍ଷୀୟ ସ୍ପିନର ଅଥର୍ବ ଅଙ୍କଲେକର ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ବାଂଲାଦେଶକୁ ବିଜୟ ପାଇଁ ମାତ୍ର ୬ ରନ୍‌ ଦରକାର ଥିଲା ବେଳେ ଅଙ୍କଲେକର ଦୁଇଟି ୱିକେଟ୍ ନେଇ ଭାରତ ବିଜୟକୁ ପକ୍କା କରିଥିଲେ। ୮ ଓଭରରେ ୨୮ ରନ୍ ଦେଇ ସେ ୫ ୱିକେଟ୍ କରାୟତ କରିଥିଲେ। ତାଙ୍କ ପାଇଁ ୧୦୭ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶ ୩୩ ଓଭରରେ ୧୦୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ସେ ଏବେ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ତ‌ାରକା ଭାବେ ଉଭା ହୋଇଛନ୍ତି।

ଏକ ସ୍ଥାନୀୟ ମହାବିଦ୍ୟାଳୟରେ ବାଣିଜ୍ୟ ପଢ଼ୁଥିବା ଅଙ୍କଲେକର ମାତ୍ର ୧୦ ବର୍ଷ ବୟସରେ ପିତାଙ୍କୁ ହରାଇଥିବା ବେଳେ ତାଙ୍କ ମା’ ବୈଦେହୀ ଅଙ୍କଲେକର ହେଉଛନ୍ତି ଜଣେ ବସ୍ କଣ୍ଡକ୍ଟର। ୨୦୧୦ରେ ଅଙ୍କଲେକରଙ୍କ ପିତା ହଠାତ୍ ଆଖି ବୁଜିବା ପରେ ବୈଦେହୀ ଚାରି ବର୍ଷ ଧରି ଛୋଟ ପିଲାଙ୍କୁ ପାଠ ପଢ଼ାଇ ଗୁଜୁରାଣ ମେଣ୍ଟାଉଥିଲେ। ୨୦୧୪ରେ ସେ ମୁମ୍ବାଇର ଲୋକପ୍ରିୟ ବେଷ୍ଟ୍‌ ବସ୍‌ରେ କଣ୍ଡକ୍ଟର ଭାବେ ଯୋଗ ଦେଇଥିଲେ। ପିଲାବେଳେ ଅଙ୍କଲେକରଙ୍କ ପ୍ରଶିକ୍ଷକ ସୁରେନ୍ ଆହିରେ ତାଙ୍କ ପାଠ ପଢ଼ା କଥା‌ ବୁଝୁଥିଲେ। ଅନ୍ୟପକ୍ଷରେ ବୈଦେହୀ ବହୁତ କଷ୍ଟକରି ତାଙ୍କୁ କ୍ରିକେଟ୍ ଉପକରଣ ଯୋଗାଉଥିଲେ। ଏବେ ବି ସେମାନେ ୧୦ ଫୁଟରେ ୧୦ ଫୁଟ ଘରେ ରହୁଛନ୍ତି। ତେବେ ଅଙ୍କଲେକରଙ୍କ ସଫଳତା ପରେ ତାଙ୍କ ଭାଗ୍ୟ ବଦଳିବ ବୋଲି ବୈଦେହୀ ଆଶା ରଖିଛନ୍ତି। ଚଳିତ ବର୍ଷ ପୁଅ ଭାରତୀୟ କନିଷ୍ଠ ଦଳରେ ସ୍ଥାନ ପାଇବା ପରେ ତାଙ୍କ ଛାତି କୁଣ୍ଢେମୋଟ ହୋଇଯାଇଥିଲା। ଏସିଆ କପ୍ ବିଜୟ ଏହି ଖୁସିକୁ ଦ୍ବିଗୁଣିତ କରିଛି। ଆଗକୁ ଭାରତୀୟ ଦଳରେ ଖେଳିବାର ଲକ୍ଷ୍ୟ ରଖିଥିବା ଅଙ୍କଲେକର ମା’କୁ ଚାକିରି ଛାଡ଼ି ବିଶ୍ରାମ ନେବାକୁ କହୁଥିଲେ ମଧ୍ୟ ଗୋଡ଼ ହାତ ଚାଲୁଥିଲା ପର୍ଯ୍ୟନ୍ତ ସେ ଚାକିରି ଛାଡ଼ିବେ ‌ନାହିଁ ବୋଲି ବୈଦେହୀ ସ୍ପଷ୍ଟ କରି ଦେଇଛନ୍ତି। ଭାରତୀୟ ବିଜୟର ଶ୍ରେୟ ସେ ନିଜ ପୁଅକୁ ନୁହେଁ ପୂରା ଦଳକୁ ଦେଇଛନ୍ତି।

ସମ୍ବନ୍ଧିତ ଖବର