ବିବାଦୀୟ ନାଲ୍‌କୋ ଓପନ୍‌ ଶନିବାରଠୁ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ଟେନିସ୍‌ ସଂଘ (ବିଡିଟିଏ) ପକ୍ଷରୁ ଆୟୋଜିତ ଅଲ୍‌ ଓଡ଼ିଶା ନାଲ୍‌କୋ ଓପନ୍‌ ଟେନିସ୍‌ ପ୍ରତିଯୋଗିତା ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ। ମୋଟ ୯ଟି ବର୍ଗରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଅଦ୍ୟାବଧି ୨୦୦ରୁ ଅଧିକ ଖେଳାଳି ନାମ ପଞ୍ଜିକରଣ କରି ସାରିଛନ୍ତି। ଏଥର ୫୦୦ ଖେଳାଳି ଅଂଶଗ୍ରହଣ କରିବା ସମ୍ଭାବନା ରହିଛି ବୋଲି ବିଡିଟିଏ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି। ଏଥର ପ୍ରଥମ ଥର ପାଇଁ ୧୪ ବର୍ଷରୁ କମ୍‌ ବାଳିକା ଏକକ ବର୍ଗକୁ ସାମିଲ କରାଯାଇଛି। ଏଥି ସହିତ ମୋଟ ପୁରସ୍କାର ରାଶିକୁ ୧.୭୦ ଲକ୍ଷ ଟଙ୍କାରୁ ୧.୯୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ବାଳକ ବର୍ଗରେ ୧୨ ଓ ୧୬ ବର୍ଷରୁ କମ୍‌ ଏକକ, ବାଳିକାରେ ୧୪ ବର୍ଷରୁ କମ୍‌ ଏକକ ଏବଂ ମହିଳା ଓପନ୍‌, ପୁରୁଷ ବର୍ଗରେ ପୁରୁଷ ଓପନ୍‌ ଏକକ, ଯୁଗଳ ସହିତ ୪୦, ୫୦, ୬୦ ବର୍ଷରୁ ଊର୍ଧ୍ୱ ଯୁଗଳ ବର୍ଗରେ ମଧ୍ୟ ପ୍ରତିଯୋଗିତା ହେବ। ଅନ୍ୟୁନ କ୍ୱାର୍ଟରଫାଇନାଲ୍‌ ପ୍ରବେଶ କରିଥିବା ଖେଳାଳିଙ୍କୁ ଆର୍ଥିକ ପୁରସ୍କାରର ବ୍ୟବସ୍ଥା ରହିଛି। ଭୁବନେଶ୍ୱର ବାହାର ଖେଳାଳିଙ୍କ ପାଇଁ ରହଣୀ ବ୍ୟବସ୍ଥା ରହିଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ।

ବିଡିଟିଏକୁ ୨୫

ଭୁବନେଶ୍ୱର ଜିଲ୍ଲା ଟେନିସ୍‌ ସଂଘ (ବିଡିଟିଏ) ୨୫ ବର୍ଷରେ ପଦାର୍ପଣ କରିଛି। ଦୀର୍ଘ ୧୯ ବର୍ଷ ଧରି ନାଲ୍‌କୋ ଓପନ୍‌ ନିଖିଳ ଓଡ଼ିଶା ପ୍ରତିଯୋଗିତା ଆୟୋଜନ କରିବାରେ ସକ୍ଷମ ହେଉଛି। ଏହି ନିରଂତର ଯାତ୍ରା ଫଳରେ ଓଡ଼ିଶାରେ ଟେନିସ୍‌ର ଲୋକପ୍ରିୟତା ବଢ଼ିଛି ବୋଲି କହିଛନ୍ତି ବିଡିଟିଏର ସଭାପତି ଆଇଏଏସ୍‌ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର। ଆଗରୁ ଏହି ପ୍ରତିଯୋଗିତାରେ ୫୦/୬୦ ଜଣ ଭାଗ ନେଉଥିଲେ। ଗତବର୍ଷ କିନ୍ତୁ ଏହି ସଂଖ୍ୟା ୪୫୦ରେ ପହଞ୍ଚିଥିଲା। ଏଥର ଆମେ ୫୦୦ ଜଣଙ୍କ ଅଂଶଗ୍ରହଣ ଆଶା କରୁଛୁ। ଏହାକୁ ଆମ ୨୫ ବର୍ଷର କୃତିତ୍ୱ ଭାବେ ଗଣାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। କିନ୍ତୁ ରାଜଧାନୀରୁ ମାତ୍ର କିଛି ହାତଗଣତି ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିବାରେ କାରଣ ସମ୍ପର୍କରେ ପ୍ରଶ୍ନ ହେବାରୁ ଶ୍ରୀ ମହାପାତ୍ର କହିଥିଲେ ଏହା ଓଡ଼ିଶା ଟେନିସ୍‌ ସଂଘ (ଓଟିଏ)ର ଦାୟିତ୍ୱ। ଓଟିଏ ଏବଂ କର୍ପୋରେଟ୍‌ ସଂସ୍ଥା ମିଶି ଚାହିଁଲେ ଓଡ଼ିଶାରୁ ଅଧିକ ଭଲ ଖେଳାଳି ବାହାରି ପାରିବେ।

ପ୍ରଶିକ୍ଷକଙ୍କୁ ବାରଣ ଜାରି

ଦୁଇ ଦଶନ୍ଧି ଧରି ପ୍ରତିଯୋଗିତା ଆୟୋଜନ କରିବା ପରେ ଆମେ ଦେଖିଲୁ ଖେଳାଳିଙ୍କର କିଛି ଉନ୍ନତି ହେଉ ନାହିଁ, ବରଂ ପ୍ରଶିକ୍ଷକମାନେ ସବୁ ପୁରସ୍କାର ହାତେଇ ନେଉଛନ୍ତି। ସେଥି ପାଇଁ ଆମେ ବିଗତ କିଛି ବର୍ଷ ହେବ ପ୍ରଶିକ୍ଷକମାନଙ୍କୁ ପ୍ରତିଯୋଗିତାରୁ ଦୂରେଇ ରଖିଛୁ, ଏ ବର୍ଷ ମଧ୍ୟ ତାହା କାଏମ ରହିବ ବୋଲି ସେ ସ୍ପଷ୍ଟ କରିଥିଲେ। ରାଜ୍ୟ ପ୍ରଶିକ୍ଷକମାନଙ୍କ ସ୍ତର ଉଚ୍ଚମାନର ନଥିବାରୁ ଖେଳାଳିଙ୍କୁ ବିଶେଷ ଫାଇଦା ହେଉନାହିଁ। ପ୍ରାୟ ୧୦ ବର୍ଷ ତଳେ ଆମେ କୋଲ୍‌କାତାରୁ ଜଣେ ପ୍ରଶିକ୍ଷକଙ୍କୁ ଆଣି ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାକୁ ଚେଷ୍ଟା କରିଥିଲୁ। କିନ୍ତୁ ଏଠାକାର ପ୍ରଶିକ୍ଷକମାନେ ତାଙ୍କୁ ଧମକ ଚମକ ଦେବାରୁ ସେ ପଳାଇଥିଲେ। ଖେଳାଳିଙ୍କ କ୍ଲେ କୋର୍ଟ ବ୍ୟବହାର ପ୍ରସଙ୍ଗରେ ଶ୍ରୀ ମହାପାତ୍ର କହିଥିଲେ, ପ୍ରତିଯୋଗିତା ଲାଗି ଗୋଟିଏ କୋର୍ଟ ଖୋଲା ରଖାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରଶିକ୍ଷକମାନେ ଯଦି ପୁରସ୍କାର ରାଶି ନ ନେଇ ଖେଳିବାକୁ ଚାହିଁବେ ତେବେ ଆମେ ସେମାନଙ୍କ ଅଂଶଗ୍ରହଣକୁ ବିଚାରକୁ ନେବୁ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ନାଲ୍‌କୋରେ ଅଭିଯୋଗ, ଚିନ୍ମୟ ଓହରିଲେ

ନାଲ୍‌କୋ ଓପନ୍‌ରେ ଖେଳିବାରୁ ବଞ୍ଚିତ ରାଜ୍ୟର ଆଗଧାଡ଼ିର ପ୍ରଶିକ୍ଷକ ତଥା ଖେଳାଳିମାନେ ଏହା ବିରୋଧରେ ମହାସଂଗ୍ରାମ ପାଇଁ ପ୍ରସ୍ତୁତି ପର୍ବ ଚଳାଇଛନ୍ତି। ପ୍ରଥମ ଦଫାରେ ସେମାନେ ବିଡିଟିଏର ମନମୁଖୀ ନିଷ୍ପତ୍ତି ତଥା ପରିଚାଳନାଗତ ବିଭ୍ରାଟ ସମ୍ପର୍କରେ ମୁଖ୍ୟ ପ୍ରାୟୋଜକ ନାଲ୍‌କୋକୁ ଜଣାଇଛନ୍ତି। ଏହାର ନକଲ ସେମାନେ ମୁଖ୍ୟମନ୍ତ୍ରୀ, ରାଜ୍ୟ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ, କେନ୍ଦ୍ର କ୍ରୀଡ଼ା ସଚିବ, ଓଡ଼ିଶା ଟେନିସ୍‌ ସଂଘ, ସର୍ବଭାରତୀୟ ଟେନିସ୍‌ ସଂଘ ଏବଂ ଗଣମାଧ୍ୟମକୁ ଜଣାଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ଏକନମ୍ବର ଖେଳାଳି ତଥା ପ୍ରଥମ ଡବ୍‌ଲ୍ୟୁଟିଏ ପଏଣ୍ଟ୍‌ ପ୍ରବେଶଧାରୀ ଚିନ୍ମୟ ପ୍ରଧାନ ଏହି ଅନ୍ୟାୟକୁ ବିରୋଧ କରି ନାଲ୍‌କୋ ଓପନ୍‌ରୁ ଓହରିଯାଇଛନ୍ତି। ଆୟୋଜକମାନେ ଯଦି ଖେଳାଳିଙ୍କ ସ୍ୱାର୍ଥ ଓ ବିକାଶ ଚାହୁଁଛନ୍ତି ପ୍ରଶିକ୍ଷକଙ୍କୁ ନ ଖେଳାଇଲେ ନାହିଁ ସେମାନଙ୍କୁ କାହିଁକି କ୍ଲେ କୋର୍ଟରେ ଅଭ୍ୟାସ କରିବାର ସୁଯୋଗ ନ ଦେଇ ତାଲା ପକାଇ ରଖୁଛନ୍ତି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର