ଫୁଟ୍‌ବଲ୍‌ ଜଣିକିଆ ଖେଳ ନୁହେଁ

ହ୍ୟାଣ୍ଡ୍‌ ଅଫ୍‌ ଗଡ୍‌ ଡିଏଗୋ ମାରାଡୋନା

୨୦୧୮ ରୁଷିଆ ବିଶ୍ୱକପ୍‌ ଗତ ସଂସ୍କରଣ ଫାଇନାଲିଷ୍ଟଙ୍କ ପାଇଁ ଖରାପ ଚାଲିଛି। ବିଜେତା ଜର୍ମାନି ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଉପ ବିଜେତା ଆର୍ଜେଣ୍ଟିନା ୨ଟି ମ୍ୟାଚ୍‌ରୁ ଗୋଟିଏ ପଏଣ୍ଟ ପାଇ ସଂଘର୍ଷ କରୁଛି। କ୍ରୋଏସିଆ ବିପକ୍ଷ ପରାଜୟ ଆର୍ଜେଣ୍ଟିନାକୁ ଗଭୀର ଆଘାତ ଦେଇଛି। ଶେଷ ଲିଗ୍‌ ଜିତିଲେ ବି ଦଳକୁ ଯୋଗ୍ୟତା ଅର୍ଜନ ଲାଗି ଅନ୍ୟର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ।

ମୁୁଁ ଆଗରୁ କହିଥିଲି ଆର୍ଜେଣ୍ଟିନା ପାଇଁ ପ୍ରଥମ ଦୁଇ ମ୍ୟାଚ୍‌ କଷ୍ଟକର ହେବ। ୟୁରୋପୀୟ ପ୍ରତିଦ୍ୱନ୍ଦ୍ୱୀ, ଦଳର ଅବସ୍ଥା, ପ୍ରଶ୍ନୀଳ ରଣନୀତି ଏବଂ ଲିଓନେଲ୍‌ ମେସିଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ଆଦି ଅନେକ କାରଣ ରହିଥିଲା। କିନ୍ତୁ ମନ କହୁଛି କିଛି ଘଟିବ ଏବଂ ଆର୍ଜେଣ୍ଟିନା ଆଗକୁ ଯିବ। ସେଠାରେ ବସିବା ଏବଂ ଦଳର ପରାଜୟ ଦେଖିବା ଦୁଃଖଦାୟକ ଥିଲା। ଦଳ ଭିତରେ ଲଢ଼ୁଆ ଚରିତ୍ର ନ ରହିବା ଅଧିକ ସମସ୍ୟା ହୋଇଛି। ୨୦୦୨ ମସିହାରେ ଆମେ ମଧ୍ୟ ଗ୍ରୁପ୍‌ ପର୍ଯ୍ୟାୟରୁ ଆଗକୁ ଯାଇପାରିନଥିଲୁ। କିନ୍ତୁ ଏଭଳି ୦-୩ ପରାଜୟ ବରଣ କରିନଥିଲୁ। ମୁଁ ଭଲରେ ଜାଣିଛି ଦଳକୁ ପ୍ରେରିତ କରିପାରିନଥିବାରୁ ଏବେ ସମସ୍ତଙ୍କ ଆଙ୍ଗୁଳି ଲିଓ ମେସିଙ୍କ ଆଡ଼କୁ ଯିବ। ତାଙ୍କଠାରୁ ଯେଭଳି ଆଶା କରାଯାଉଥିଲା ସେ ସେଭଳି ଚମତ୍କାର ଖେଳି ନାହାନ୍ତି। ଆଇସଲାଣ୍ଡ୍‌ ବିପକ୍ଷ ପେନାଲ୍‌ଟି ମିସ୍‌ କରିବାର ମୂଲ୍ୟ ଦେବାକୁ ପଡ଼ିବ। କ୍ରୋଏସିଆ ବିପକ୍ଷରେ ମଧ୍ୟ ସେ ସେଭଳି ପ୍ରଭାବ ପକାଇ ପାରିନାହାନ୍ତି। ସେ ଚେଷ୍ଟା କରିଛନ୍ତି କିନ୍ତୁ ସୁଯୋଗ ପାଇ ନାହାନ୍ତି, ଏହା ନିରାଶାଜନକ। କିନ୍ତୁ ଫୁଟ୍‌ବଲ୍‌ ଜଣିକିଆ ଖେଳ ନୁହେଁ, ଏହା କେବେ ବି ନ ଥିଲା। ଏପିରକି ମୁଁ ଯେତେବେଳେ ୧୯୮୬ ମସିହାରେ ଦଳର ନେତୃତ୍ୱ ନେଇଥିଲି ଏବଂ ବିଜେତା ହୋଇଥିଲୁ ସେତେବେଳେ ନୁହେଁ। ଲିଓଙ୍କ ବିଫଳତାର ଅନ୍ୟତମ କାରଣ ହେଉଛି ତାଙ୍କ ଚାରିପାଖରେ ଉଚ୍ଚମାନର ଖେଳାଳି ନାହାନ୍ତି।

କ୍ରୋଏସିଆକୁ ଶ୍ରେୟ ଦେବି। କିନ୍ତୁ ବିଶ୍ୱକପ୍‌ର ଦୁଇଟି ମ୍ୟାଚ୍‌ ପରେ ମଧ୍ୟ ଆମ ନିକଟରେ ଏକ ସମନ୍ଵୟଭରା ଦଳ ନାହିଁ। ମଧ୍ୟଭାଗରେ ପ୍ରତିରୋଧ କରିବାର କ୍ଷମତା ନାହିଁ। ପେନାଲ୍‌ଟି ବକ୍ସ ନିକଟରେ ରକ୍ଷଣଭାଗ କାହିଁକି ଦୁର୍ବଳ ଲାଗୁଛି। ଗୋଲ୍‌ରକ୍ଷକ ବଲ୍‌କୁ କ୍ଲିୟର୍‌ କରିବା ପରିବର୍ତେ କାହିଁକି ଛୋଟ ଛୋଟରେ ଖେଳୁଛି। ଏସବୁର ସନ୍ତୋଷଜନକ ଉତ୍ତର ନାହିଁ। ଦଳ ହାରିଯିବା ବେଳେ ସମାଲୋଚନା କରିବା ସହଜ କଥା। କିନ୍ତୁ ବୃହତ୍ତର ଦିଗ ପ୍ରତି ଦେଖିବା ଉଚିତ୍‌। ଆର୍ଜେଣ୍ଟିନାକୁ ପରବର୍ତୀ ମ୍ୟାଚ୍‌ରେ ବଡ଼ ବିଜୟ ଆବଶ୍ୟକ ଏବଂ ଅନ୍ୟଠାରୁ ସୁହାଇବା ଭଳି ଫଳାଫଳ ମଧ୍ୟ ଲୋଡ଼ା। କେବଳ ଲିଓଙ୍କୁ ସମାଲୋଚନା କରିଦେଲେ ଯେଉଁ ସବୁ ସାମଗ୍ରିକ ସମସ୍ୟା ରହିଛି ଦୂର ହୋଇପାରିବ ନାହିଁ।

ଜର୍ମାନି ପାଇଁ ସ୍ୱିଡେନ୍‌ ବିପକ୍ଷ ମ୍ୟାଚ୍‌ ମଧ୍ୟ ସହଜ ହେବ ନାହିଁ। ଦକ୍ଷିଣ କୋରିଆକୁ ହରାଇଥିବା ସ୍ୱିଡେନ୍‌ ମଧ୍ୟ ପଏଣ୍ଟ୍‌ ଲକ୍ଷ୍ୟରେ ରହିବ। ସ୍ୱିଡେନ୍‌ ଏଥିରେ ସଫଳ ହେଲେ ବିଜେତା ଦଳ ପାଇଁ ସବୁକିଛି କଷ୍ଟକର ହୋଇଯିବ। ଜର୍ମାନିକୁ ହରାଇଥିବାରୁ ମେକ୍ସିକୋ ମଧ୍ୟ କୋରିଆଠୁ ପୂରା ପଏଣ୍ଟ୍‌ ନେବା ଆଶାରେ ରହିଛି। ଏଭଳି ପରିସ୍ଥିତି ଜର୍ମାନି ପାଇଁ ଶେଷ ଲିଗ୍‌ ‘କର ବା ମର’ ମ୍ୟାଚ୍‌ ହୋଇଯିବ। ଫିଲିମ୍‌ ଲାମ୍‌, ବାସ୍ତିଆଁ ସ୍ୱାଇନ୍‌ଷ୍ଟେଜର୍‌ଙ୍କ ଅବସର ପରେ ଜର୍ମାନିର ରକ୍ଷଣଭାଗ ଦୁର୍ବଳ ରହିଛି। ଗୋଲରକ୍ଷକ ଏବଂ ବ୍ୟାକ୍‌ଲାଇନ୍‌ ମଧ୍ୟରେ ଥିବା ଫାଙ୍କାରୁ ମେକ୍ସିକୋ ଫାଇଦା ଉଠାଇଥିଲା।

ସ୍ୱିଡେନ୍‌ର ରକ୍ଷଣଭାଗ ଓ କେନ୍ଦ୍ରୀୟ ପୁରୋଭାଗ ଭଲ ରହିଛି। ୪-୪-୨ ପଦ୍ଧତିର ଖେଳ ମଧ୍ୟ ଦୃଢ଼ ହେଉଛି। ଜର୍ମାନି ପାଇଁ ମେସୁତ୍‌ ଓଜିଲ୍‌ ଏବଂ ଥମାସ୍‌ ମୁଲାରଙ୍କୁ ଫାଙ୍କା ଖୋଜିବାକୁ ପଡ଼ିବ। ଏମାନେ ଗୋଲ୍‌ ପାଇଲେ ସ୍ୱିଡେନ୍‌ଙ୍କୁ ନିଜ ଯୋଜନାରେ ପରିବର୍ତନ କରିବାକୁ ପଡ଼ିବ। କିନ୍ତୁ ବଡ଼ ମ୍ୟାଚ୍‌ର ଅଭିଜ୍ଞତା ରଖିଥିବାରୁ ଜର୍ମାନି ଫାଇଦାରେ ରହିବ। ଆର୍ଜେଣ୍ଟିନା ତୁଳନାରେ ସେମାନେ ଭଲ କରିପାରିବେ ବୋଲି ମୋର ବିଶ୍ୱାସ।

ସମ୍ବନ୍ଧିତ ଖବର