ଓସିଏ କ୍ଲବ୍‌ ସଦସ୍ୟତା ବଢ଼ିବ, ନୂଆ କ୍ଲବ୍‌ଙ୍କ ଭବିଷ୍ୟତ ନିର୍ଧାରଣ କରିବ ଯାଞ୍ଚ କମିଟି

େଵବସାଇଟ୍‌ରେ ବିଜ୍ଞପ୍ତି, ସପ୍ତାହେ ମଧ୍ୟରେ ଆବେଦନ

କଟକ: ଫୁଲବାଣୀ ଜିଲ୍ଲା ଦୌଡ଼କୁଦ ସ˚ଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଯାଞ୍ଚ କମିଟି ରାଜ୍ୟର ବିଭିନ୍ନ କ୍ଲବ୍‌ମାନଙ୍କ ଭବିଷ୍ୟତ ନିର୍ଧାରଣ କରିବେ। ଯେଉଁ କ୍ଲବ୍‌ମାନେ ଓସିଏର ସଦସ୍ୟ ହେବା ପାଇଁ ଆଗ୍ରହୀ ଅଛନ୍ତି, ସେମାନେ ଏହି କମିଟିକୁ ସପ୍ତାହେ ମଧ୍ୟରେ ଆବେଦନ କରିବେ। ସ˚ପୃକ୍ତ କ୍ଲବ୍‌ମାନେ ସାମାଜିକ କ୍ଲବ୍‌ ନା କ୍ରିକେଟ କ୍ଲବ୍‌ ତାହା ଉପରେ ଏହି କମିଟି ନିଷ୍ପତ୍ତି ନେବ। ରବିବାର ଓସିଏ ପରିଚାଳନା ସମିତି ବୈଠକରେ ଏହା ଉପରେ ଆଲୋଚନା ହେବା ପରେ ଯାଞ୍ଚ କମିଟି ଗଠନ କରାଯାଇଛି। ଶିବ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ଗଞ୍ଜାମ ଜିଲ୍ଲା କ୍ରିକେଟ ସ˚ଘ ସମ୍ପାଦକ ଅଶୋକ ସାହୁ, ପୂର୍ବତନ ଖେଳାଳି ତଥା ଚୟନକର୍ତ୍ତା ଚିନ୍ମୟାନନ୍ଦ ଜେନା, ଖ୍ରୀଷ୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ କୁମାର ସାହୁ ଓ ଷ୍ଟିଵାର୍ଟ ସ୍କୁଲ୍‌ ଅଧ୍ୟକ୍ଷ ଏଫ୍‌ସି ନର୍ଥଙ୍କୁ ନିଆଯାଇଛି। କ୍ଲବ୍‌ମାନଙ୍କ ଉପରେ ବିଚାର କରାଯିବାକୁ ଥିବାରୁ କମିଟିରେ ଜିଲ୍ଲା, ସ୍କୁଲ୍‌ ଓ କଲେଜର ସଦସ୍ୟମାନଙ୍କୁ ସ୍ଥାନ ଦିଆଯାଇଛି। ତେବେ ଏହି କମିଟିରେ ରାଜ୍ୟର ତିନି ଆନ୍ତର୍ଜାତିକ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ରଖିବା ପାଇଁ ଚିନ୍ତା କରାଯାଉଥିଲା। କିନ୍ତୁ ସେମାନେ ଏବେ ବିସିସିଆଇ ଚୁକ୍ତି ଅଧିନରେ ଥିବାରୁ ଦ୍ବୈତ ଦାୟିତ୍ବ ଦିଆଯାଇପାରିବ ନାହିଁ ବୋଲି ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତେଣୁ ସନ୍ତୁଳନ ରକ୍ଷା କରିବା ପାଇଁ ପ୍ରତ୍ୟେକ କ୍ଷେତ୍ରରୁ ସଦସ୍ୟ ବଛାଯାଇଥିବା ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି।

ପୂର୍ବରୁ ଓସିଏ ଅଧିନରେ ୨୦ କ୍ଲବ୍‌ଙ୍କୁ ସଦସ୍ୟ ଭାବେ ସମ୍ବିଧାନରେ ସ୍ଥାନ ଦିଆଯାଇଛି। ଏମାନଙ୍କ ସ୍ଥାନ ସୁରକ୍ଷିତ ଥିବା କୁହାଯାଇଛି। ତେବେ ଯେଉଁ ନୂଆ କ୍ଲବ୍‌ଗୁଡ଼ିକ ଓସିଏ ଅଧିନରେ ସଦସ୍ୟ ହେବା ପାଇଁ ଆଗ୍ରହୀ ଅଛନ୍ତି, ସେମାନେ ଏହି କମିଟିକୁ ଆବେଦନ କରିପାରିବେ। ପୂର୍ବରୁ ସଦସ୍ୟତା ବିବାଦ ସମୟରେ ଏକାଧିକ କ୍ରିକେଟର୍‌ ସୃଷ୍ଟି କରିଥିବା ରାଜ୍ୟର କ୍ଲବ୍‌ଗୁଡ଼ିକ ଓସିଏର ସଦସ୍ୟତା କାହିଁକି ପାଇପାରିବେନି ବୋଲି ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ। ମୋଟ ୫୪ କ୍ଲବ୍‌ ଏଥିପାଇଁ ବିସିସିଆଇ ଆଗରେ ଆବେଦନ କରିଥିଲେ। ତେବେ ଏହି କ୍ଲବ୍‌ଗୁଡ଼ିକ ପୁଣି ଥରେ ଓସିଏର ଉପରୋକ୍ତ ସବ୍‌କମିଟି ଆଗରେ ସଦସ୍ୟତା ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି। ସେମାନଙ୍କ ମଧ୍ୟରୁ କିଏ କ୍ରିକେଟ ପାଇଁ କାର୍ଯ୍ୟ କରୁଛି ତାହାକୁ ଅନୁଧ୍ୟାନ କରିବା ପରେ ସଦସ୍ୟ ଭାବେ ଗ୍ରହଣ କରିବାକୁ ପରିଚାଳନା ସମିତିକୁ ସୁପାରିସ କରାଯିବ ବୋଲି ସବ୍‌ କମିଟି ପକ୍ଷରୁ କୁହାଯାଇଛି। ସୋମବାର ଓସିଏ େଵବସାଇଟ୍‌ରେ କ୍ଲବ୍‌ମାନଙ୍କ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇବାର ସପ୍ତାହେ ମଧ୍ୟରେ କ୍ଲବ୍‌ଗୁଡ଼ିକ ଆବେଦନ କରିବେ। ଏହାପରେ ଯାଞ୍ଚ କମିଟି ନିର୍ଧାରିତ ମାନଦଣ୍ତ ଅନୁଯାୟୀ କ୍ରିକେଟ କ୍ଲବ୍‌ଗୁଡ଼ିକଙ୍କ ନାମ ସୁପାରିସ କରିବ ବୋଲି ଅଧ୍ୟକ୍ଷ ଶିବପ୍ରସାଦ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର