ଆଇପିଏଲ୍‌ ୧୨: ବାଙ୍ଗାଲୁରୁର ଶୋଚନୀୟ ପରାଜୟ, ୧୧୮ ରନ୍‌ରେ ଜିତିଲା ହାଇଦ୍ରାବାଦ୍‌

ହାଇଦ୍ରାବାଦ୍‌: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ରୋୟାଲ ଚ୍ୟାଲେଞ୍ଜର୍ସ ଶୋଚନୀୟ ପରାଜୟ ସ୍ୱୀକାର କରିଛି। ଦଳ ନିର୍ଦ୍ଧାରିତ ୧୯.୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୩ ରନ୍‌ କରିଛି। ଫଳରେ ୧୧୮ ରନ୍‌ରେ ଏହି ମ୍ୟାଚ୍‌କୁ ହାଇଦ୍ରାବାଦ୍‌ ଜିତିଛି। ହାଇଦ୍ରାବାଦ୍‌ର ବୋଲର ମହମ୍ମଦ ନାବି ୪ଟି ଓ୍ଵିକେଟ ନେଇଛନ୍ତି। ସେହିପରି ସନ୍ଦୀପ ଶର୍ମା ୩ଟି ଓ୍ଵିକେଟ ନେଇଛନ୍ତି।

ବେଙ୍ଗାଲୁରୁର କୋଲିନ ଡେ ଗ୍ରାଣ୍ଡହୋମ୍‌ (୩୭ ରନ୍‌, ୩୨ ବଲ, ୩ ଚୌକା ଓ ୨ ଛକା)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ଭଲ ଖେଳି ପାରି ନାହାନ୍ତି। ଦଳ ସ୍କୋର ୧୩ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବରେ ପାର୍ଥିବ ପଟେଲ (୧୧ ରନ୍‌)ଙ୍କୁ ହରାଇଥିଲା। ସ୍କୋର ୨୦ ରନ୍‌ରେ ସିମ୍‌ରନ୍‌ ହେଟମେୟର (୯ ରନ୍‌) ଆଉଟ୍‌ ହୋଇଥିବା ବେଳେ ୨୨ ରନ୍‌ରେ ଏବି ଡିଭିଲିୟର୍ସ (୧ ରନ୍‌) ଏବଂ ୩୦ ରନ୍‌ରେ ବିରାଟ କୋହଲି(୩ ରନ୍‌)-ମୋଇନ୍‌ ଅଲି (୨ ରନ୍‌) ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସେହିପରି ସ୍କୋର ୩୫ ରନ୍‌ରେ ଶିଭବ ଦୁବେ (୫ରନ୍‌), ୮୬ ରନ୍‌ରେ ପ୍ରୟାଶ ବର୍ମା (୧୯ ରନ୍‌), ୧୦୩ ରନ୍‌ରେ ଉମେଶ ଯାଦବ (୧୪ ରନ୍‌) ଓ ୧୦୯ ରନ୍‌ରେ ଗ୍ରାଣ୍ଡହୋମ୍‌ ଆଉଟ୍‌ ହୋଇଛନ୍ତି।

Cricbuzz

ପ୍ରଥମ ଇନିଂସରେ ସନରାଇଜର୍ସ ହାଇଦ୍ରାବାଦ୍‌ର ଓପନର ଜନି ବେୟାରଷ୍ଟେ (୧୧୪ ରନ୍‌, ୫୬ ବଲ୍‌, ୧୨ ଚୌକା ଓ ୭ ଛକା) ଓ ଡାଭିଡ ଓ୍ଵାର୍ଣ୍ଣର (ଅପରାଜିତ ୧୦୦ ରନ୍‌, ୫୫ ବଲ, ୫ ଚୌକା ଓ ୫ ଛକା) ବଳରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚ୍‌ରେ ବାଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟି କରିଥିଲା। ବେୟାରଷ୍ଟୋ ଏବଂ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ଵିକେଟ୍‌ ହରାଇ ୨୩୧ରନ୍‌ କରିଥିଲା। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱରେ ବେଙ୍ଗାଲୁରୁକୁ ୨୩୨ ରନ୍‌ ଟାର୍ଗେଟ ମିଳିଥିଲା।

ହାଇଦ୍ରାବାଦ ୧୬.୨ ଓଭରରେ ସ୍କୋର ୧୮୪ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟରେ ବେୟାରଷ୍ଟୋଙ୍କୁ ହରାଇଥିଲା। ୟୁଜବେନ୍ଦ୍ର ଚହଲଙ୍କ ବଲ ଉମେଶ ଯାଦବଙ୍କୁ କ୍ୟାଚ୍‌ ଦେଇ ବେୟାରଷ୍ଟୋ ପାଭଲିଅନ୍‌ ଫେରିଥିଲେ। ଏହାପରେ ବିଜୟ ଶଙ୍କର ପଡ଼ିଆକୁ ପ୍ରବେଶ କରି ଛକା ମାରି ଖାତା ଖୋଲିଥିଲେ। ୩ଟି ବଲ ଖେଳି ଶଙ୍କର ୯ ରନ୍‌ କରିବା ପରେ ରନ୍‌ ଆଉଟ୍‌ ହୋଇ ଫେରିଯାଇଥିଲେ। ବେଙ୍ଗାଲୁରୁର ବୋଲର ପୟାସ ବର୍ମାନ ୪ ଓଭର ବୋଲିଂ କରି ସର୍ବାଧିକ ୫୬ ରନ୍‌ ଦେଇଥିବା ବେଳେ ଉମେଶ ଯାଦବ ୪୭ ରନ୍‌ ଖର୍ଚ୍ଚ କରିଥିଲେ। ସେହିପରି ୟୁଜବେନ୍ଦ୍ର ଚହଲ ୪୪ ରନ୍‌ ଦେଇଥିବା ବେଳେ ମହମ୍ମଦ ସିରାଜ ୩୮ ରନ୍‌ ଦେଇଥିଲେ।
IPL 2019: Hyderabad won by 118 runs

ସମ୍ବନ୍ଧିତ ଖବର