ଇନ୍ଦୋର: ଚଳିତ ଆଇପିଏଲର ୪୪ତମ ମ୍ୟାଚ୍ରେ ଶନିବାର ପୂର୍ବ ବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୩୧ ରନ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କେକେଆର ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ପଞ୍ଜାବ ଉପରେ ଚାପ ସୃଷ୍ଟି କରିଥିଲା। ବିଶେଷ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସୁନୀଲ ନରିନ (୭୫ ରନ୍, ୩୬ ବଲ୍, ୯ ଚୌକା, ୪ ଛକା)ଙ୍କ ୨୬ ବଲ୍ ଅର୍ଧଶତକ ସହ ଅଧିନାୟକ ଦୀନେଶ କାର୍ତିକ (୫୦ ରନ୍, ୨୩ ବଲ୍, ୫ ଚୌକା, ୩ ଛକା) ଏବଂ ଅଲରାଉଣ୍ଡର ଆନ୍ଦ୍ରେ ରସେଲ ( ୩୧ ରନ୍, ୧୪ ବଲ୍, ୨ ଚୌକା, ୩ ଛକା)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ କେକେଆର ନିର୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ବିନିମୟରେ ୨୪୫ ରନ୍ର ବିଶାଳ ସ୍କୋର କରିଥିଲା। ୨୪୬ ରନ୍ର ବିଜୟ ଲକ୍ଷ୍ୟ ଏକ ପ୍ରକାର ଅସମ୍ଭବ ମନେ ହେଉଥିଲା। ହେଲେ ପଞ୍ଜାବ ପାଖରେ କ୍ରିସ୍ ଗେଲ୍ଙ୍କ ଭଳି ଖେଳାଳି ଥିବାରୁ ଏହି ଦଳ ବିଜୟ ଲକ୍ଷ୍ୟ ହାସଲ କରିନେବ ବୋଲି ଆଶା କରାଯାଉଥିଲା। ହେଲେ ଗେଲ୍ ପୂରା ବିଫଳ ହୋଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ (୬୬ ରନ୍, ୨୯ ବଲ୍, ୨ ଚୌକା, ୭ ଛକା) ଏବଂ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ (୪୫ ରନ୍, ୨୨ ବଲ୍, ୪ ଚୌକା, ୩ ଛକା)ଙ୍କ ସାହସିକ ପ୍ରୟାସ ସତ୍ତ୍ୱେ ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୨୧୪ ରନ୍ କରି ପାରିଥିଲା। ପଞ୍ଜାବ ଆଜି ଏକାଦଶ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ କରିଥିଲା। ଅନ୍ୟ ପକ୍ଷରେ କେକେଆର ଦ୍ୱାଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ପାଇ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଥିଲା। ନରିନଙ୍କୁ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୪୫/୬ (ସୁନୀଲ ନରିନ ୭୫, ଦୀନେଶ କାର୍ତିକ ୫୦, ଆନ୍ଦ୍ରେ ରସେଲ ୩୧, କ୍ରିସ୍ ଲିନ୍ ୨୭, ଆଣ୍ଡ୍ର୍ୟୁ ଟାଇ ୪/୪୧)। କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୨୧୪/୮ (ଲୋକେଶ ରାହୁଲ ୬୬, ଆର ଅଶ୍ୱିନ ୪୫, ଆରୋନ ଫିଞ୍ଚ ୩୪, କ୍ରିସ୍ ଗେଲ୍ ୨୧, ଅକ୍ଷର ପଟେଲ ୧୯, ଆନ୍ଦ୍ରେ ରସେଲ ୩/୪୧, ପ୍ରସିଦ୍ଧ କୃଷ୍ଣା ୨/୩୧)।
ଆଇପିଏଲ୍-୧୧ର ସର୍ବାଧିକ ଦଳଗତ ସ୍କୋର
ଆଇପିଏଲ୍ରେ କେକେଆର ଶନିବାର ସର୍ବାଧିକ ଦଳଗତ ସ୍କୋର ଅର୍ଜନ କରିଥିଲା। ଏହା ପୂର୍ବରୁ ୨୦୦୮ ମସିହାର ପ୍ରଥମ ସଂସ୍କରଣରେ କରିଥିବା ୨୨୨ ଏହି ଦଳର ସର୍ବାଧିକ ଦଳଗତ ସ୍କୋର ହୋଇ ରହିଥିଲା। ସେହିଭଳି କେକେଆର ଅଧିନାୟକ ଦୀନେଶ କାର୍ତିକ ଆଇପିଏଲର ପଞ୍ଚଦଶ ଏବଂ ଚଳିତ ଋତୁର ପ୍ରଥମ ଅର୍ଧଶତକ ପୂରଣ କରିଥିଲେ। ଅନ୍ୟ ପକ୍ଷରେ ପଞ୍ଜାବ ବୋଲର ଆଣ୍ଡ୍ର୍ୟୁ ଟାଏ ତୃତୀୟ ବୋଲର ଭାବେ ଲଗାତାର ମ୍ୟାଚ୍ରେ ଚାରିଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ତାଙ୍କ ପୂର୍ବରୁ ୨୦୦୯ରେ ସଦାବ ଜକାଟି ଏବଂ ୨୦୧୨ରେ ମୁନାଫ ପଟେଲ ଏଭଳି ଅନନ୍ୟ ସଫଳତା ଲାଭ କରିଥିଲେ। ଟାଇ ଏହାକୁ ମିଶାଇ ଟେ୍ଵଣ୍ଟି-୨୦ରେ ୭ ଥର ୪ ଓ୍ଵିକେଟ୍ ସଫଳତା ପାଇଲେ। କେକେଆରର ୨୪୫ ଚଳିତ ଋତୁର ସର୍ବାଧିକ ଏବଂ ଆଇପିଏଲର ଚତୁର୍ଥ ସର୍ବାଧିକ ଦଳଗତ ସ୍କୋର ଥିଲା। ୨୦୧୩ରେ ବାଙ୍ଗାଲୋର ରୟାଲ ଚାଲେଞ୍ଜର୍ସ ଭାଙ୍ଗି ଯାଇଥିବା ଦଳ ପୁନେ ଓ୍ଵାରିୟର୍ସ ବିପକ୍ଷରେ କରିଥିବା ୨୬୩/୫ ଆଇପିଏଲ୍ ଇତିହାସର ସର୍ବାଧିକ ଦଳଗତ ସ୍କୋର ହୋଇ ରହିଛି।